ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ବୌଦ୍ଧରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ବାଇକ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ | ଯାହାଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ବୌଦ୍ଧର ଜାତୀୟ ରାଜପଥ ୫୭ସ୍ଥିତ ବ୍ରିଜ ଛକଠାରେ ଏଭଳି ଏକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଟୁଟୁସିଂଘା ଗାଁର ମହେଶ ପ୍ରଧାନ(୧୮) ଓ ବିମଲ ପ୍ରଧାନ(୧୭) ଏକ ବାଇକ ଯୋଗେ ଯାଉଥିବାବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଟ୍ରକ ନମ୍ବର ଓଡ଼ି୦୫-ଏଏ ୦୦୪୭ ସେମାନଙ୍କୁ ଧକ୍କା ଦେଇଥିଲା |

ଏଥିରେ ଘଟଣାସ୍ଥଳରେ ମହେଶ ପ୍ରଧାନଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ବିମଲ ପ୍ରଧାନ ଗୁରୁତର ଆହତ ହୋଇପଡିଥିଲେ | ବିମଲଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ସ୍ଥିତି ସଙ୍ଗୀନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି |

ବୌଦ୍ଧ ବ୍ରିଜ ଛକଠାରେ ମୃତ ଯୁବକଙ୍କ ଶବ ରଖି ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାରବର୍ଗ ଜାତୀୟ ରାଜପଥ ୫୭ ଅବରୋଧ କରିଛନ୍ତି | ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି |

ସମ୍ବନ୍ଧିତ ଖବର