ବଜ୍ରପାତରେ ଇଞ୍ଜିନିୟର୍‌ ଛାତ୍ରୀ ମୃତ, ୬ ଆହତ

ପଣ୍ଡୁଆ/ରାସୋଳ/ଖଜୁରିଆକଟା : ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବାବେଳେ ବଜ୍ରପାତ ହେବାରୁ ଢେଙ୍କାନାଳ ରାସୋଳ ଥାନା କାରନ୍ଦାସ୍ଥିତ ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ଦିନ ୧ଟା ସମୟରେ କଲେଜ ଛୁଟି ହେବା ପରେ କେତେକ ଛାତ୍ରୀ ଘରକୁ ଫେରିବା ପାଇଁ କଲେଜ ସମ୍ମୁଖ ଏକ ଦୋକାନ ପାଖରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଅପେକ୍ଷାରତ ଛାତ୍ରୀଙ୍କ ମଧ୍ୟରୁ କାରନ୍ଦା ପଞ୍ଚାୟତ ବାହାଳ ଗାଁର କଳ୍ପନା ନାଏକ (୧୭), ଦୀପାଞ୍ଜଳି ନାଏକ(୧୭), ବାର୍ଷିଙ୍ଗା ଗ୍ରାମର ସାବିତ୍ରୀ ନାଏକ(୧୭), ସୀତା ନାଏକ(୧୭), ରାସୋଳର ଇତିଶ୍ରୀ ବିଶ୍ୱାଳ(୧୭), ହଳଦିଆବାହାଳ ଗ୍ରାମର ସଂଧ୍ୟାରାଣୀ ନାଏକ(୧୬) ଓ ନମିତା ନାଏକ(୧୭) ଚେତା ହରାଇ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ଖଜୁରିଆକଟା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। କଳ୍ପନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତ ଛାତ୍ରୀମାନେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତିି।

ସମ୍ବନ୍ଧିତ ଖବର