ଗୋଟିଏ ପରିବାରର ଜଣଙ୍କୁ ଟିକେଟ୍‌ 

କଂଗ୍ରେସର ନିଷ୍ପତ୍ତି

ଭୁବନେଶ୍ୱର: ନିର୍ବାଚନରେ ଛିଡ଼ା ହେବା ପାଇଁ ଗୋଟିଏ ପରିବାରର ଜଣଙ୍କୁ ମିଳିବ  ଟିକେଟ୍‌। ଏଥିପାଇଁ କୌଣସି ସୁପାରିସ୍‌କୁ ବିଚାରକୁ ନିଆଯିବ ନାହିଁ। ଆଜି ଏଆଇସିସିର ଏଭଳି ନୀତି ନିୟମକୁ ସ୍ପଷ୍ଟ କରିଦେଇଛନ୍ତିି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ। ତାଙ୍କ ଘୋଷଣା ପରେ ଏହି ପ୍ରସଙ୍ଗ ନେଇ କଂଗ୍ରେସ ରାଜନୀତିରେ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ନେତା ଶ୍ରୀ ସିଂହ କହିଲେ ଯେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଯେଉଁମାନେ  ଲୋକପ୍ରିୟ ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ବିଜୟ ସମ୍ଭାବନା ଅଧିକ, ସେମାନଙ୍କୁ ଟିକେଟ୍‌ ବଣ୍ଟନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ବଂଶବାଦ କି ସୁପାରିସ ନୁହେଁ, ସେମାନଙ୍କର ଦକ୍ଷତା ଓ ବିଜୟ ସମ୍ଭାବନା ହିଁ ଟିକେଟ ପାଇବାର ମୂଳ ଆଧାର ହେବ। ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ମାନସ ମନ୍ଥନ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ନେତା ଶ୍ରୀ ସିଂହ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କୁ ତିନିମାସ ସମୟ ଦେଇଛନ୍ତି। ଆଗାମୀ ଅଗଷ୍ଟ ମାସ ଶେଷ ସପ୍ତାହ ବେଳକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ତାଙ୍କ ଗସ୍ତ ଅବସରରେ ଦଳୀୟ ନେତା ଓ କର୍ମୀମାନଙ୍କୁ ଆଗାମୀ ନିର୍ବାଚନକୁ କିପରି ସାମ୍ନା କରିବେ, ବିରୋଧୀଙ୍କ ମୁକାବିଲା ପାଇଁ କି ରଣନୀତି ଅବଲମ୍ବନ କରାଯିବ ସେ ନେଇ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର