ମା‌ସକ ପରେ କୋରାପୁଟକୁ ଫେରିଲା କରୋନା: ୬ ନୂଆ ସଂକ୍ରମିତଙ୍କ ଭିତରୁ ଜଣେ ଗୃହ ସଙ୍ଗରୋଧରୁ ଲୁଚି ପଳାଇଛନ୍ତି ଆନ୍ଧ୍ର

କୋରାପୁଟ : ଜିଲ୍ଲାକୁ ପୁଣି ଥରେ ଫେରିଛି କରୋନା। ଆଜି ଗୋଟିଏ ଦିନରେ କୋରାପୁଟ ଜିଲ୍ଲାରୁ ୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀପୁର ଓ ନନ୍ଦପୁର ବ୍ଲକରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଦଶମନ୍ତପୁର ଓ ଜୟପୁରରୁ ଜଣେ ଲେଖାଏଁ ଅଛନ୍ତି। ତେବେ ଆଶ୍ବାସନାର ବିଷୟ, ଏମାନଙ୍କ ଭିତରୁ ୫ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। କେବଳ ଜୟପୁରରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ଗୃହ ସଙ୍ଗରୋଧରେ ଥିବା କୁହାଯାଉଛି। କିନ୍ତୁ ଉଦବେଗର କଥା, ସେ କ‌ା‌ହାକୁ କିଛି ନ ଜଣାଇ ଆନ୍ଧ୍ର ପ୍ରଦେଶ ଚାଲି ଯାଇଛନ୍ତି। ଏହି ଜଣଙ୍କୁ ଛାଡିଦେଲେ ଅନ୍ୟ ୫ ଜଣ କରୋନା ସଂକ୍ରମିତଙ୍କୁ ଜୟପୁରସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସଂକ୍ରମିତ ହୋଇଥିବା ଲୋକମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସଂକ୍ରମିତ ଲୋକମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାହା ଖୋଳତାଡ କରାଯାଉଛି। ଏହି ସମସ୍ତଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।

ପାଖାପାଖି ମା‌ସକ ପରେ କୋରାପୁଟରେ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୨୭ ତାରିଖରେ କୋ‌ରାପୁଟ ଜିଲ୍ଲାରୁ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ଏ ଭିତରେ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଆଜି ୬ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪ ଜଣ ପୁରୁଷ ରହିଥିଲା ବେଳେ ଦୁଇଜଣ ମହିଳା ଅଛନ୍ତି। ସମସ୍ତେ ଆନ୍ଧ୍ରରୁ ଫେରି ସଙ୍ଗରୋଧରେ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ କହିବାନୁଯାୟୀ, ଲକ୍ଷ୍ମୀପୁର ବ୍ଲକ ଉପର କୁଟିଙ୍ଗା ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ, ନନ୍ଦପୁର ବ୍ଲକ ହିକିମପୁଟ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ଓ ଦଶମନ୍ତପୁର ରାଧାକୃଷ୍ଣ କଲେଜ ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେହିପରି ଜୟପୁର ସହରର ବେଲ ରୋଡରୁ ଜଣେ ବ୍ୟବସାୟୀ ଗୃହ ସଙ୍ଗରୋଧରେ ରହିଥିଲାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ପଜିଟିଭ ଆସିଥିବା ୫ ଜଣ ଆନ୍ଧ୍ର ଫେରନ୍ତା। କେବଳ ଦଶମନ୍ତପୁରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ସ୍ଥାନୀୟ ଲୋକ। କିନ୍ତୁ ସେ ଆନ୍ଧ୍ର ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ଜୟପୁର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଏପଟେ ଜୟପୁରର ସଂକ୍ରମିତ ଜଣଙ୍କ ଘରେ ନାହାନ୍ତି। ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବା ପରେ ସେ ଆନ୍ଧ୍ରର ପଶ୍ଚିମ ଗୋଦାବରୀ ଜିଲ୍ଲାକୁ ଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ସେଠାକାର ପ୍ରଶାସନକୁ ଅବଗତ କରି ଦିଆଯାଇଛି।

କୋରାପୁଟ ଜିଲ୍ଲାକୁ କରୋନାର ଏମିତି ଲେଉଟାଣି ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଉଠିଛି। ବରିଷ୍ଠ ଅଧିକାରୀମାନେ ଆଜି କରୋନା ସଂକ୍ରମିତ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ଯାଇ ସ୍ଥିତି ପରଖିଛନ୍ତି। ସୁରକ୍ଷା ଯାଂଚ କରିବା ସହ ସଂକ୍ରମିତଙ୍କ ଗତିବିଧି ନେଇ ପଚାରାଉଚୁରା କରାଯାଇଛି। ପଜିଟିଭି ଆସିଥିବା ୩ଟି ଯାକ ସଙ୍ଗରୋଧ କେନ୍ଦ୍ରକୁ ଓ ବେଲ ରୋଡ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ୭ ଦିନ ପାଇଁ ଏହି ସମସ୍ତ ଅଂଚଳ କଣ୍ଟେନମେଣ୍ଟରେ ରହିବ। ଆଖପାଖ ଅଂଚଳକୁ ବଫର ଜୋନ କରାଯାଇଛି। ଏହି ସବୁ ଅଂଚଳରୁ ଅଧିକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଏହା ସହିତ ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହି କଣ୍ଟେନମେଣ୍ଟ ଓ ବଫର ଜୋନ ଅଂଚଳକୁ କଡା ନଜରରେ ରଖାଯିବା ସହ ଲୋକମାନେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ପାଇପାରିବେ ତାକୁ ଗୁରୁତ୍ବ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ଜିଲ୍ଲାରୁ ୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଦୁଇ ଜଣଙ୍କ ପାଇଁ ପ୍ରଶାସନର ଚିନ୍ତା ବଢିଛି। ଜୟପୁର ବେଲ୍‌ ରୋଡରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୃହ ସଙ୍ଗରୋଧରେ ରହିଥିଲେ ମଧ୍ୟ କାହାକୁ କିଛି ନ ଜଣାଇ ଆନ୍ଧ୍ର ଚାଲି ଯାଇଛନ୍ତି। ତେଣୁ ସେ କାହା ସଂସ୍ପର୍ଶରେ ଆସିଛନ୍ତି ତ‌ାହା ଖୋଜିବା ଏବେ କଷ୍ଟକର ହୋଇ ପଡିବ। ସେହିପରି ଦଶମନ୍ତପୁରରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ସ୍ଥାନୀୟ ଅଂଚଳର ଏବଂ ତାଙ୍କର କୌଣସି ବାହାର ଗସ୍ତ ନ ଥିଲା। ତେବେ ପ୍ରବାସୀଙ୍କୁ ନେଇ ଆସିଥିବା ଏକ ବସ୍‌ ଭିତରକୁ ସେ ଜୋର କରି ପ୍ରବେଶ କରିବା ସହ ସମସ୍ତଙ୍କ ସହ ହାତ ମିଶାଇଥିଲେ। ଏପରିକି କିଛି ପ୍ରବାସୀଙ୍କୁ ଆଲିଙ୍ଗନ କରିଥିଲେ। ତେଣୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରି ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେ ସଙ୍ଗରୋଧ କେନ୍ଦ୍ର‌‌ରେ ରହିବାକୁ ରାଜି ନ ହେବାରୁ ତାଙ୍କୁ ଜୋର କରି ରଖାଯାଇଥିଲା। ତେବେ ସେ ଏ ଭିତରେ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଆଉ କିଛି ଲୋକଙ୍କ ସହ ମିଶିଥିଲେ। ତେଣୁ ଏହା ସ୍ଥିତିକୁ ବିଗାଡିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର