ଉଷସୀଙ୍କୁ ଅସଦାଚରଣ : ଚୁଟି ଘୋଷାଡ଼ି ପିଟିଲେ, ଅଭିଯୁକ୍ତ ଫେରାର୍‌; ଚାଳକ ଗିରଫ

କଣିହାଁ : ଓଲିଉଡ୍‌ ଅଭିନେତ୍ରୀ ତଥା ଯାତ୍ରା କଳାକାର ଉଷସୀ ମିଶ୍ରଙ୍କୁ ଅସଦାଚାରଣ, ମାରପିଟ୍‌ ହୋଇଛି। ରବିବାର ରାତିରେ ସେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗ ଗାଁକୁ ଯାତ୍ରା ଅଭିନୟ କରିବାକୁ ଯାଉଥିବା ବେଳେ ସେହି ଗାଁର ଇନ୍ଦ୍ରମଣି ସାହୁ, ତାଙ୍କ ଦୁଇ ପୁଅ ଏବଂ ଗାଡ଼ି ଚାଳକ ତାଙ୍କ ଚୁଟି ଘୋଷାଡ଼ି ମାରପିଟ୍‌ କରିବା ସହ ଟଣାଓଟରା ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ତାଙ୍କ କାର୍‌କୁ ବି ଭଂଗାରୁଜା କରାଯାଇଛି। ଆଜି ସକାଳେ ଉଷସୀ ଏନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ବାପ, ଦୁଇ ପୁଅ ଏବଂ ଗାଡ଼ି ଚାଳକ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାଳଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ, କଣିହାଁ ଭାରପ୍ରାପ୍ତ ଥାନା ଅଧିକାରିଣୀ ସୁକାନ୍ତି କେର୍କେଟା ଡେରେଙ୍ଗ ଗାଁକୁ ଯାଇ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ବାପ, ପୁଅ ଫେରାର୍‌ ହୋଇ ଯାଇଛନ୍ତି। ମାତ୍ର ଗାଡ଼ି ଚାଳକ ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ଦୁଷ୍ମନ୍ତ ବେହେରାଙ୍କୁ ପୁଲିସ ଗିରଫ କରିଛି। ତେବେ ଗାଁରେ ଏତେ ବଡ଼ ଶୋଭାଯାତ୍ରା ଓ ଯାତ୍ରା ହେଉଥିବା ବେଳେ ଘଟଣାସ୍ଥଳରେ ପୁଲିସ ଅନୁପସ୍ଥିତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଲଜ୍ଜାକର ଘଟଣା ପାଇଁ ସ୍ଥାନୀୟ ଲୋକେ ସିଧାସଳଖ ପୁଲିସକୁ ଦାୟୀ କରିଛନ୍ତି।

ଚନ୍ଦନ ଯାତ୍ରା ଉପଲକ୍ଷେ ଡେରେଙ୍ଗ ଗ୍ରାମବାସୀ ତିନି ଦିନ ପାଇଁ ଅପେରା ପାର୍ଟି ଇଷ୍ଟର୍ଣ୍ଣ ବ୍ଲୁ’କୁ ଆଣିଥିଲେ। ରବିବାର ଯାତ୍ରାର ଥିଲା ପ୍ରଥମ ରାତି। ଯାତ୍ରା ଅଭିନୟ ପାଇଁ ଉଷସୀ ଭୁବନେଶ୍ୱରରୁ ନିଜ କାର୍‌ (ଓଡି୦୨ପି-୩୬୦୩)ରେ ଆସି ରାତି ପ୍ରାୟ ୧୨ଟା ବେଳେ ଡେରେଙ୍ଗରେ ପହଞ୍ଚି ଥିଲେ। ସେତେବେଳକୁ ଗାଁରେ ଚନ୍ଦନ ଯାତ୍ରା ଉପଲକ୍ଷେ ଜୋର୍‌ସୋର୍‌ରେ ରୋଶଣି ଚାଲିଥିଲା। ଯାତ୍ରା ପେଣ୍ଡାଲଠୁ ଅଳ୍ପ କିଛି ମିଟର୍‌ ଦୂରରେ ଉଷସୀଙ୍କ କାର୍‌ ଭିଡ଼ରେ ଫସି ଯାଇଥିଲା। ଏହି ସମୟରେ ଇନ୍ଦ୍ରମଣି ଉଷସୀଙ୍କ କାର୍‌ ନିକଟକୁ ଆସି କାହିଁକି ଗାଡ଼ି ଭିଡ଼ରେ ପୂରାଇଲ କହି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଉଷସୀ କାର୍‌ରୁ ଓହ୍ଲାଇ ଇନ୍ଦ୍ରମଣିଙ୍କୁ ଖରାପ ବ୍ୟବହାର ନକରିବା ପାଇଁ ଅନୁରୋଧ କରିିଥିଲେ। କିନ୍ତୁ ବାରମ୍ବାର ଅସଭ୍ୟ ଭାଷା ପ୍ରୟୋଗ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଉଷସୀ ଇନ୍ଦ୍ରମଣିଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା।

ସ୍ଥାନୀୟ ଲୋକେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଉଷସୀ ଯାତ୍ରାସ୍ଥଳକୁ ଚାଲି ଯାଇଥିଲେ। ହେଲେ ଇନ୍ଦ୍ରମଣି ଘରକୁ ଯାଇ ଦୁଇ ପୁଅଙ୍କୁ ଘଟଣା ବିଷୟରେ କହିଥିଲେ। ଦୁଇ ପୁଅ ରାଗ ତମତମ ହୋଇ ଗାଡ଼ି ଚାଳକ ଦୁଷ୍ମନ୍ତଙ୍କ ସହିତ ହଠାତ୍‌ ଯାତ୍ରା ପେଣ୍ଡାଲ୍‌ ଉପରେ ଚଢ଼ି ହଙ୍ଗାମା କରିଥିଲେ। ଘଟଣାର ସମାଧାନ ନହେଲା ଯାଏଁ ଯାତ୍ରା ଆରମ୍ଭ ହୋଇପାରିବ ନାହିଁ ବୋଲି ଅଡ଼ି ବସିଥିଲେ। ପାର୍ଟି ମ୍ୟାନେଜର୍‌ ଏବଂ କଳାକାର ଲରେନ୍‌ସ ବେହେରା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଦୁଇ ପୁଅ ଓ ଚାଳକ ଦୁଷ୍ମନ୍ତ ସେମାନଙ୍କୁ ବି ଠେଲାପେଲା ସହ ମାଡ଼ ମାରିଥିଲେ। ଏତିକିରେ ସେମାନଙ୍କ ମନ ଶାନ୍ତ ହୋଇନଥିଲା। ଡ୍ରେସିଂ ରୁମ୍‌ରୁ ଉଷସୀ ବାହାରୁଥିବା ବେଳେ ଉତ୍ତ୍ୟକ୍ତ ତିନି ଜଣ ତାଙ୍କ ଚୁଟି ଘୋଷାଡ଼ି ଆଣି ମାଡ଼ ମାରିବା ସହ ଟଣାଓଟରା ଏବଂ ପ୍ୟାଣ୍ଟ୍‌ ଚିରି ଦେଇଥିଲେ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଉଷସୀ ଏତଲାରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ପୁଲିସ ଉଷସୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପ, ପୁଅ ଓ ଚାଳକଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୪୨୭, ୩୫୪(ଏ), ୩୫୪(ବି), ୫୦୬ ଏବଂ ୩୪ଆଇପିସିରେ ମାମଲା ରୁଜୁ କରିଛି। ଏସ୍‌ଡିପିଓ ଶ୍ରୀ ସାମଲ କହିଛନ୍ତି ଯେ ଅଭିଯୁକ୍ତ ବାପ, ଦୁଇ ପୁଅ ଫେରାର୍‌ ହୋଇଯାଇଛନ୍ତି। କିନ୍ତୁ ଯାତ୍ରା ପେଣ୍ଡାଲ୍‌ରେ ଦୁଇ ପୁଅ ସହିତ ଗଣ୍ଡଗୋଳ କରିଥିବା ଦୁଷ୍ମନ୍ତଙ୍କୁ ଗିରଫ କରାଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ବାପ, ପୁଅଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସାମଲ ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର