ସାପ୍ତାହିକ ହାଟରେ ନକ୍ସଲ ହମ୍‌ଲା: ଯବାନ ଆହତ, ନକ୍ସଲ ନିହତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ହମଲାରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରୁ ୧୨ କିଲୋମିଟର ଦୂର ଚେରପାଲ ଠାରେ ଆଜି ସପ୍ତାହିକ ହାଟ ଚାଲିଥିଲା। ଏଠାକୁ ରାସନ ଆଣିବା ପାଇଁ ଯବାନମାନେ ଯାଇଥିଲେ। ଏହି ସମୟରେ ନକ୍ସଲଙ୍କ ଗୋଟିଏ ଛୋଟିଆ ଦଳ ଯବାନଙ୍କ ଉପରେ ହମଲା କରିଥିଲେ। ଏହି ହମଲାରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ବିଜାପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଯବାନଙ୍କ ପାଲଟା ଜବାବରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ଅନ୍ୟମାନେ ଖସିଯିବାରେ ସକ୍ଷମ ହୋଇଥିଲେ। ଏସପି ମୋହିତ ଗର୍ଗଙ୍କ କହିବା ଅନୁଯାୟୀ ମୃତ ନକ୍ସଲର ଶବକୁ ଜବତ କରାଯାଇଛି। କିନ୍ତୁ ଚିହ୍ନଟ କରାଯାଇ ପାରନି। ପ୍ରକାଶଥାଉକି ଆଜି ଚେରପାଲ ସାପ୍ତାହିକ ହାଟରେ ନକ୍ସଲ ହମଲା ହେବ ବୋଲି ସୁରକ୍ଷା ଯବାନଙ୍କୁ ସୂଚନା ମିଳିଥିଲା। ତେଣୁ ପୂର୍ବରୁ ସିଆରପିଏଫ ଏହି ଅଂଚଳରେ ଜଗି ରହିଥିଲେ। ତଥାପି ନକ୍ସଲଙ୍କ ଗୋଟିଏ ଛୋଟିଆ ଦଳ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର