ପୋଲ ତଳକୁ ଖସିଲା ଟ୍ରାକ୍ଟର: ୨ ମୃତ

ବୌଦ୍ଧ/ବଘିଆପଡ଼ା : ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଥୁଲମୁଣ୍ଡା ଜାମୁନାଳ ପୋଲ ତଳକୁ ଏକ ବାଲି ବୋଝେଇ ନମ୍ବର ବିହୀନ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏହାର ଚାଳକ ସମ୍ପଦ ରଣା ଓ ଜଣେ ଶ୍ରମିକ ସୁଧରୀ ମାଝୀ(୨୪)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ କବିତ୍ର କହଁର ଓ ହରେଶ ଦେହୁରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ମୃତାହତମାନେ ବିରିଗଡ଼ ଗାଁର ବୋଲି ଜଣାପଡ଼ିଛି। ବିରିଗଡ଼ ଗ୍ରାମବାସୀଙ୍କ କହିବା ଅନୁସାରେ, ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବିରିଗଡ଼ ଗାଁରେ ଏମ୍‌ଆଇ କେନାଲ କାମ ଚାଲିଛି। ଏହି କାମରେ ନିୟୋଜିତ ଉକ୍ତ ନମ୍ବର ବିହୀନ ଟ୍ରାକ୍ଟରଟି ଶନିବାର ରାତିରେ ଶ୍ରମିକଙ୍କୁ ନେଇ ବାଲି ଆଣୁଥିଲା। ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଉକ୍ତ ପୋଲ ତଳକୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ରାତିରେ କେହି ଖବର ପାଇ ନଥିଲେ। ରବିବାର ସକାଳୁ ଗ୍ରାମବାସୀ ଦେଖି ବୌଦ୍ଧ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ସୁଧୀରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍‌ସ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ଟ୍ରାକ୍ଟର ଚାଳକ ସମ୍ପଦଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର