ବେକାରୀ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ଏବେ ବି ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ପଡ଼ିଛି: ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାରୀ ସଂଖ୍ୟା ବଢି ଚାଲିଛି । ଯେଉଁଥିପାଇଁ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ଆଶାରେ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ବେଳେ ଏବେ ବି ରାଜ୍ୟରେ ଲକ୍ଷାଧିକ ସରକାରୀ ପଦବୀ ଫାଙ୍କା ପଡିଛି। ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ଥିବା ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ରାଜ୍ୟରେ କେତେ ସରକାରୀ ପଦବୀ ରହିଛି, ସେଥିରୁ କେତେ ପଦବୀରେ ନିଯୁକ୍ତି ଦିଆଯାଇଛି ଓ କେତେ ପଦବୀ ଫାଙ୍କା ପଡିଛି । ଏହାଛଡା କେତେ ପଦବୀକୁ ଉଚ୍ଛେଦ କରାଯାଇଛି । ସେନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ରାଜ୍ୟରେ ମୋଟ ୪ ଲକ୍ଷ ୯୭ ହଜାର ୨୫୭ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ସହ ମୋଟ ୫ ଲକ୍ଷ ୮୩ ହଜାର ୨୧ଟି ପଦବୀ ରହିଛି । ଯେଉଁଥିରେ ୬୫ ହଜାର ୭୬୪ ଗ୍ରାଣ୍ଟ ଇନ୍‌ ଏଡ୍‌ ପଦବୀ ରହିଥିବା ବେଳେ ୧୧,୦୦୬ଟି ପଦବୀ ଫାଙ୍କା ରହିଛି । ସେହିଭଳି ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗରୁ ୪୧,୬୩୫ ପଦବୀ ଉଚ୍ଛେଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ନିରଞ୍ଜନ ।

ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ଗ୍ରେଡର କେତେ ପଦବୀ ଫାଙ୍କା ରହିଛି ତାହାର ଉତ୍ତର ରଖିଛନ୍ତି ନିରଞ୍ଜନ । ଗ୍ରେଡ ଏରେ ୮୬୨୨, ଗ୍ରେଡ ବିରେ ୨୫୨୩୧, ଗ୍ରେଡ ସିରେ ୬୩୭୩୩, ଗ୍ରେଡ ଡିରେ ୨୨୯୨୬ ଓ ଗ୍ରାଣ୍ଟଇନ୍‌ ଏଡରେ ୧୧୦୦୬ଟି ପଦବୀ ଫାଙ୍କା ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୩୦୨୯୯ଟି ପଦବୀ ଫାଙ୍କା ରହିଥିବା ଲିଖିତ ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର