ପୂର୍ବତନ ବିଧାୟକ ପୁଅଙ୍କ ଆକ୍ରମଣରେ ଜଣେ ଆହତ

ପୋଲସରା: ପୋଲସରା ଥାନା ଅଧୀନ ଘୋଡ଼ାପଲାଣ ଗ୍ରାମରେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନଙ୍କ ଆକ୍ରମଣରେ ଉକ୍ତ ଗ୍ରାମର ସନ୍ତୋଷ ବେହେରା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିରଞ୍ଜନ ପ୍ରଧାନ ବିଧାୟକ ଥିବା ସମୟରେ ସନ୍ତୋଷ ତାଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଭାବେ କାର୍ଯ୍ୟ କରୁଥିଲେ। ଏପରିକି ବିଧାୟକ ପଦ ଯିବା ପରେ ମଧ୍ୟ ସେ କାର୍ଯ୍ୟ ଜାରି ରଖିଥିଲେ। କିଛି ଦିନ ପରେ ସେ ବର୍ତ୍ତମାନର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସାକ୍ଷାତ କରି ତାଙ୍କ ସହ କାର୍ଯ୍ୟ କରୁଛନ୍ତି। ଗତ ୧ ତାରିଖ ଦିନ ଘୋଡ଼ାପଲାଣରେ ବିଧାୟକଙ୍କ ଜନସମ୍ପର୍କ ଯାତ୍ରାକୁ ଭଣ୍ତୁର କରିବାକୁ ଦୀପକ ଚାହୁଁଥିବା ବେଳେ ସଫଳତାର ସହ ସନ୍ତୋଷ ଏହାର ପରିଚାଳନା କରିଥିଲେ। ଏହାକୁ ନେଇ ତିକ୍ତତା ବୃଦ୍ଧି ପାଇଥିଲା। ଦୀପାବଳି ଦିନ ସନ୍ଧ୍ୟା ପ୍ରାୟ ୫ଟାରେ ଦୀପକ ପୂର୍ବ ଯୋଜନା ମୁତାବକ ସନ୍ତୋଷଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଥାନାରେ ଏତଲା ହୋଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। କବିସୂର୍ଯ୍ୟନଗର ଥାନା ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର