ଭୁବନେଶ୍ୱର ବିମାନବନ୍ଦର ରନ୍‌େଓ୍ଵରେ ଦୌଡ଼ିଲା ଯୁବକ

ଅସୁରକ୍ଷିତ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଅସୁରକ୍ଷିତ ହୋଇ ପଡ଼ିଛି ଭୁବନେଶ୍ୱର ବିମାନବନ୍ଦର। କେତେବେଳେ ପ୍ରବାସୀ ଭାରତୀୟଙ୍କଠାରୁ ଲୁଟ୍‌ ହେଲାଣି ତ ଆଉ କେତେବେଳେ ଚୋରା ସୁନା ଜବତ ହେଲାଣି। ହେଲେ ଆଜି ସକାଳୁ ସକାଳୁ ସୁରକ୍ଷା ବ୍ୟବସ୍ଥାର ସମସ୍ତ ସୀମାକୁ ଡେଇଁ ଜଣେ ଯୁବକ ବିମାନବନ୍ଦରର ରନ୍‌େଓ୍ଵ ନିକଟରେ ପହଞ୍ଚି ଯାଇଥିଲା। ବହୁ କଷ୍ଟରେ ଉକ୍ତ ଯୁବକକୁ ସିଆଇଏସ୍‌ଏଫ୍‌ କର୍ତୃପକ୍ଷ କାବୁ କରିବା ପରେ ଏୟାରଫିଲ୍‌ଡ ଥାନା ପୁଲିସ ଜିମା ଦେଇଥିଲା। ଯୁବକ ଜଣକ ହେଲା କ୍ରିଷ୍ଣା ରାଉତ(୨୦)। ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଅଞ୍ଚଳରେ ରହୁଥିଲା। ତା ନିକଟରୁ ପୁଲିସ ଗୋଟିଏ ବ୍ୟାଗ୍‌, ୪ଟି ବହି, ୩ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଡାଇରି, ୬ଟି ଫଟୋଗ୍ରାଫ୍‌ ଜବତ କରିଛି।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟାରେ କ୍ରିଷ୍ଣା ପାଚେରି ଡେଇଁ ବିମାନବନ୍ଦର ଭିତରକୁ ପଶିଯାଇଥିଲା। ହାତରେ ଏକ ବ୍ୟାଗ୍‌ ଧରି ରନ୍‌େଓ୍ଵ ଚାରି ପଟେ ବୁଲିବାକୁ ଲାଗିଥିଲା। ତେବେ କ୍ରିଷ୍ଣାର ବ୍ୟବହାର ସନ୍ଦେହଜନକ ଥିଲା। ପଚରାଉଚରା ବେଳେ କ୍ରିଷ୍ଣାର ଆଚରଣ କିଛି ଠିକ୍‌ ଲାଗି ନଥିଲା। ଟିକଟ୍‌ ବି ଦେଖାଇପାରି ନଥିଲା। ଏହାପରେ ସିଆଇଏସ୍‌ଏଫ୍‌ କର୍ମଚାରୀ ଜଣଙ୍କ କ୍ରିଷ୍ଣାକୁ ଯାଞ୍ଚ କରିବା ବେଳେ ତା ନିକଟରୁ ମୋବାଇଲ୍‌ ଫୋନ୍‌, ଡାଏରି ଓ ଫଟୋ ଜବତ ହୋଇଥିଲା। ତା ପାଖରେ ଥିିବା ୩ଟି ମୋବାଇଲ୍‌ରୁ ଗୋଟିଏ ଫୋନ୍‌ ବ୍ୟବହାର ଉପଯୋଗୀ ଥିବା ବେଳେ ଅନ୍ୟ ୨ଟି ଖରାପ ଥିଲା। ତେବେ ସେ ଭିତରକୁ କେମିତି ପଶିଲା? ସେ ନେଇ ପୁଲିସ ଖୋଳତାଡ଼ କରୁଛି। ସିଆଇଏସ୍‌ଏଫ କର୍ତୃପକ୍ଷଙ୍କ ମଧ୍ୟରେ ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ଅନ୍ୟପଟେ କ୍ରିଷ୍ଣା ମାନସିକ ସ୍ଥିତି ଠିକ୍‌ ନଥିିବା ତାଙ୍କ ବାପା ସତ୍ୟପ୍ରିୟ ରାଉତ କହିଛନ୍ତି। ଏଠାରେ ପ୍ରକାଶ ଥାଉ କି ଗତ ୨ ତାରିଖରେ ଏଭଳି ସନ୍ଦେହଜନକ ଅବସ୍ଥାରେ ହାଇଦ୍ରାବାଦ ବନ୍‌ଜାରା ଥାନା ପୁଲିସ କ୍ରିଷ୍ଣାକୁ ଅଟକ ରଖିଥିଲା। ହେଲେ ତା ମାନସିକ ସ୍ଥିତି ଠିକ୍‌ ନଥିବାରୁ ପୁଲିସ ଚିକିତ୍ସା ପାଇଁ ସ୍ଥାନୀୟ ଆଶା ହସ୍ପିଟାଲରେ ଭର୍ତ୍ତି କରିଥିଲା।

ସମ୍ବନ୍ଧିତ ଖବର