ଦିଲ୍ଲୀରେ ୪ ନାବାଳିକାକୁ ବିକିଦେଲେ : ୩ ଖସି ଆସିଲେ, ଜଣେ ଏବେ ବି ଅଟକ

ରାଉରକେଲା : ଦିଲ୍ଲୀରେ ବନ୍ଧା ପଡ଼ିଥିବା ରାଉରକେଲାର ୪ ନାବାଳିକାଙ୍କ ମଧ୍ୟରୁ ୩ ଜଣ ଖସି ଆସିଥିବା ବେଳେ ଜଣେ ଅଟକି ରହିଛି। ଦିଲ୍ଲୀ ପୁଲିସ ପକ୍ଷରୁ ଉଦ୍ଧାର ଚତୁର୍ଥ ନାବାଳିକା ଜଣଙ୍କ ଦିଲ୍ଲୀର ଏକ ଆଶ୍ରମରେ ରହୁଥିବାବେଳେ ରାଉରକେଲା ପୁଲିସର ଅସହଯୋଗ ଯୋଗୁଁ ଘରକୁ ଫେରି ପାରୁନାହିଁ। ତେଣୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ମାଲଗୋଦାମ ବସ୍ତିର ଜଣେ ମହିଳା ଦଲାଲ ଚାକିରି ଲୋଭ ଦେଖାଇ ସେହି ବସ୍ତିର ୪ ନାବାଳିକାଙ୍କୁ ଗତ ୨୦୧୮ ଜାନୁଆରୀ ୧୬ରେ ଦିଲ୍ଲୀ ନେଇଯାଇଥିଲା। ସେଠାରେ ଅନ୍ୟ ଜଣେ ଦଲାଲଙ୍କ ସହାୟତାରେ ୪ ନାବାଳିକାଙ୍କୁ ବିକ୍ରି କରି ଦେଇଥିଲା। ଦଲାଲ ଜଣକ ନାବାଳିକାଙ୍କୁ ପାରିଶ୍ରମିକ ନ ଦେଇ ଘରୋଇ କାମରେ ନିୟୋଜିତ କରିଥିଲା ଦୁଇ ଓଳକି ଖାଇବାକୁ ଦିଆନଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଚାରି ମାସ କାମ କରିବାରେ ପରେ ତିନି ଜଣ ନାବାଳିକା କୌଶଳକ୍ରମେ ସେଠାରୁ ଖସି ଆସି ସେମାନଙ୍କ ଦୁଃଖ କାହାଣୀ କହିଥିଲେ। ତେବେ ଚତୁର୍ଥ ନାବାଳକା ଜଣକ ସମ୍ପର୍କରେ କୌଣସି ଖୋଜଖବର ନ ମିଳିବାରୁ ତାଙ୍କୁ ଉଦ୍ଧାର କରାଯାଇ ପାରୁନଥିଲା। ଏହି ନାବାଳିକାଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ଥିବାରୁ ସେମାନେ ଦିଲ୍ଲୀ ଯାଇ ପାରୁନଥିଲେ। ଅନ୍ୟପକ୍ଷରେ, ନାବାଳିକାମାନଙ୍କୁ ଦିଲ୍ଲୀରେ ବିକ୍ରି କରିଥିବା ମହିଳା ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର