ଖେଳପଡ଼ିଆରେ ବଜ୍ରପାତ, ଜଣେ ଛାତ୍ର ମୃତ, ୪ ଗୁରୁତର

ଜଳେଶ୍ବର : ଜଳେଶ୍ବର ବ୍ଲକ ବରଡିହା ପଞ୍ଚାୟତ ରାଇଶୂଳ ଗାଁରେ ଏକ ଅଘଟଣ ଘଟିଛି। ପଡ଼ିଆରେ ଭଲିବଲ ଖେଳିବାକୁ ଯାଇଥିବା ଜଣେ ଛାତ୍ରଙ୍କ ବଜ୍ରପାତରେ ମତ୍ୟୁ ହୋଇଛି। ତାଙ୍କ ସହ ଥିବା ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଇଶୂଳ ଗାଁର ଏକ ଖେଳପଡ଼ିଆରେ ୧୦ରୁ ଊର୍ଦ୍ଧ୍ବ ନାବାଳକ ଭଲିବଲ ଖେଳୁଥିଲେ। ଏହି ସମୟରେ ହଠାତ ମେଘ ଆସିବାରୁ ଏମାନେ ପାଖରେ ଥିବା ଗଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ପଞ୍ଚୁ ସିଂଙ୍କ ପୁଅ ଜଗନ୍ନାଥ(୧୪) ଓ ତାଙ୍କର ଅନ୍ୟ ଚାରିଜଣ ସାଙ୍ଗ ଯେଉଁ ଗଛମୂଳେ ଥିଲେ ସେହିଠାରେ ହଠାତ୍‌ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ଜଗନ୍ନାଥ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଶାଳବଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ହାତୀଗଡ଼ ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଜଗନ୍ନାଥଙ୍କ ସହ ଥିବା ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗ୍ରାମ୍ୟ ଡାକ୍ତରଙ୍କ ନିକଟକୁ ନେବା ପରେ ସେମାନେ ଏବ ସୁସ୍ଥ ଥିବା ଜଣାପଡ଼ିଛି। ମୃତ ଜଗନ୍ନାଥ ଶାଳବଣୀ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ।

ସମ୍ବନ୍ଧିତ ଖବର