ପୂଜା ପାଇଁ ପତ୍ର ସଂଗ୍ରହ ହେଲା କାଳ : ମହୁମାଛି ଦଂଶନରେ ଛାତ୍ର ମୃତ

ରାୟଗଡ଼ା : ଗଣେଶ ପୂଜା ସାଜସଜ୍ଜା ପାଇଁ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ସ୍ଥାନୀଯ ବାରୁବାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଏମିତି ବିନ୍ଧିଲେ ଯେ ଜଣେ ଛାତ୍ର ଅକାଳରେ ଆଖି ବୁଜିଲେ। ଅନ୍ୟ ୫ଜଣ ଗୁରୁତର ଆହତ ହେଲେ। ମୃତ ଛାତ୍ର ଜଣକ (ଦ୍ୱିତୀୟ ଶ୍ରେଣୀ) ହେଲେ ମିରାବାଲି ଗାଁର ମଂଗୁଲୁ ତୋଇକାଙ୍କ ପୁଅ ଦେବଦାସ ତୋଇକା। ଏହି ଘଟଣାରେ ଟିକରପଡ଼ା ଗାଁ ପ୍ରଥମ ଶ୍ରେଣୀ ଛାତ୍ର ଶ୍ରୀନୁ ମାରାଣ୍ଡି ଓ ବିକାଶ ମାରାଣ୍ଡି, ଚମ୍ପି ଗାଁର ତୃତୀୟ ଶ୍ରେଣୀ ଛାତ୍ର ନାଥନ ମାରାଣ୍ଡି, ସାନସିଗୁରୁ ଗ୍ରାମର ଆଶିଷ ପୁଆଲା ଓ ମିରାବାଲି ଗ୍ରାମର ଦ୍ୱିତୀୟ ଶ୍ରେଣୀ ଛାତ୍ର ରୋହିତ ତୋଇକା ପ୍ରମୁଖ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲେ ବି ୧୨ଘଣ୍ଟା ଧରି ସ୍କୁଲରେ ହିଁ ରଖି ଆହତଙ୍କ ଚିକିତ୍ସା କରିବା କଥା ସମସ୍ତଙ୍କୁ ଚକିତ କରିଛି।

ସୂଚନା ଅନୁଯାୟୀ, ଗଣେଶ ପୂଜା ପାଇଁ ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଛାତ୍ରମାନେ ଆମ୍ବ ଡାଳ ଏବଂ ବେଲ ପତ୍ର ଆଣିବାକୁ ସ୍କୁଲ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଗୋଟିଏ ଆମ୍ବ ଗଛରୁ ପତ୍ର ତୋଳିବା ସମୟରେ ସେହି ଗଛରେ ବସା ବାନ୍ଦିଥିବା ବାଘୁଆ ମହୁମାଛି ଛାତ୍ରମାନଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। କିଛି ଛାତ୍ର ଦୌଡ଼ାଦୌଡ଼ି ହୋଇ ପ୍ରାଣ ବିକଳରେ ଚାଲି ଆସିଥିବା ବେଳେ ୬ଜଣ ଫସି ରହିଥିଲେ। ମହୁମାଛି ବିନ୍ଧି ସାରି ଚାଲିଯିବା ପରେ ଗୁରୁତର ଅବସ୍ଥାରେ ସେମାନେ ସ୍କୁଲ ହଷ୍ଟେଲରେ ପହଞ୍ଚିଥିଲେ। ସେହି ସମୟରେ ପ୍ରଧାନ ଶିକ୍ଷକ ଜଗନ୍ନାଥ ମାଣ୍ଡାଙ୍ଗି ପୂଜା ସାମଗ୍ରୀ କିଣିବାକୁ ରାୟଗଡ଼ା ଚାଲି ଆସିଥିଲେ। ବିଦ୍ୟାଳୟରେ ଥିବା ଅନ୍ୟ କର୍ମଚାରୀ ଛାତ୍ରମାନଙ୍କୁ ମେଡିକାଲ ନେବା ପରିବର୍ତେ ଦେଶୀ ଚେରମୂଳି ଔଷଧ ଆଣି ଦେଇଥିଲେ। ଖବର ପାଇ ଗାଁର ଆଶା କର୍ମୀ ସ୍କୁଲରେ ପହଞ୍ଚି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।

ଘଟଣାଟି ସମ୍ଭେଦନଶୀଳ ହୋଇଥିବାରୁ ଆଜି ସକାଳେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମେଡିକାଲ ପହଞ୍ଚି ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବି ନିର୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଏଡିଇଓ ଆନସ୍ତେସିଆ କେରକେଟା ଓ ବିଇଓ ରଜନୀକାନ୍ତ ସାମନ୍ତରାୟ କାରୁବାଇ ସ୍କୁଲ ଯାଇ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର