ଦିଲ୍ଲୀରୁ ଆସୁଛନ୍ତି ତିନିଜଣିଆ ଟିମ୍‌: ସାତକୋଶିଆର ବାଘୁଣୀ ‘ସୁନ୍ଦରୀ’ ପାଇଁ ନୂଆ ଆଶା

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ବନ୍ଦୀ ହେବାର ଆଉ କେଇଟା ଦିନ ପରେ ବର୍ଷେ ପୂରିବ। ତେବେ ଏହାର ଭାଗ୍ୟ ଆଗକୁ କେଉଁ ଦିଗରେ ଯିବ ତାହା ଏବେ ବି ଅସ୍ପଷ୍ଟ। ଏଭଳି ସ୍ଥିତିରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଦିନିକିଆ ଗସ୍ତରେ ଆସି ସାତକୋଶିଆ ବୁଲି ଫେରିଛନ୍ତି। ଏନ୍‌କ୍ଲୋଜର ମଧ୍ୟରେ ବାଘୁଣୀ ସ୍ଥିତି ମଧ୍ୟ ପରଖିଛନ୍ତି। ପିସିସିଏଫ୍‌ଙ୍କ ଦିନିକିଆ ଗସ୍ତ ପରେ ଆସନ୍ତା ସପ୍ତାହରେ ଦିଲ୍ଲୀରୁ ଏନ୍‌ଟିସିଏର ତିନି ଜଣିଆ ଟିମ୍‌ ସାତକୋଶିଆ ଆସୁଛନ୍ତି। ସାତକୋଶିଆରେ ‘ସୁନ୍ଦରୀକାଣ୍ଡ’ ପରେ ମହାବଳ ବଂଶ ବୃଦ୍ଧି ଯୋଜନାରେ ଏକ ପ୍ରକାର ଅଙ୍କୁଶ ଲାଗି ଯାଇଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗ ମୁଖିଆମାନଙ୍କର ତୁହାକୁ ତୁହା ଗସ୍ତ ସୁନ୍ଦରୀ ଭାଗ୍ୟ ଫିଟାଇବା ନେଇ ନୂଆ ଆଶା ସଂଚାର କରିଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଐତିହାସିକ ଯୋଜନା କରିଥିଲେ। ଭାରତରେ ପ୍ରଥମଥର ପାଇଁ ଗୋଟିଏ ରାଜ୍ୟର ମହାବଳକୁ ଅନ୍ୟ ରାଜ୍ୟକୁ ଆଣି ଛାଡ଼ିଥିଲେ। ମାତ୍ର ଦୁଇ ସପ୍ତାହର ବ୍ୟବଧାନରେ ମଧ୍ୟପ୍ରଦେଶରୁ ଆସିଥିଲେ ମହାବଳ ବାଘ ଓ ବାଘୁଣୀ। ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପ ଦେଇଥିଲା ମହାବଳ ‘ମହାବୀର’ ଏବଂ ବାନ୍ଧବଗଡ଼ରୁ ଆସିଥିଲା ତା’ର ବାନ୍ଧବୀ ‘ସୁନ୍ଦରୀ’। ମହାବୀର ସୁରୁଖୁରୁରେ ନୂଆ ସାତକୋଶିଆ ଜଙ୍ଗଲକୁ ଆପଣେଇ ନେଲା ସିନା, କିନ୍ତୁ ‘ସୁନ୍ଦରୀ’ ଆରମ୍ଭରୁ ଲୋକଙ୍କୁ ଡରାଇଲା। ଦୁଇ ଦୁଇଟା ମଣିଷ ଜୀବନ ନେଲା। କିନ୍ତୁ, ଶାନ୍ତ ସ୍ବଭାବରେ ଥାଇ ମଧ୍ୟ ବନ ବିଭାଗର ପୂରା ଅବହେଳା ପାଇଁ ଜଙ୍ଗଲ ମଧ୍ୟରେ ଶିକାରୀଙ୍କ ଫାଶରେ ପଡ଼ି ଜୀବନ ହରାଇଲା ମହାବୀର। ଅନ୍ୟପଟେ ଉନ୍ମତ୍ତକାଣ୍ଡ ପାଇଁ ବାଘୁଣୀ ସୁନ୍ଦରୀ ରାଇଗୁଡ଼ା ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ କାଟିଲା। ବାଘ ଓ ବାଘୁଣୀଙ୍କ ସମଦଶା ପରେ ଓଡ଼ିଶା ଏବଂ ଭାରତ ସରକାର ପ୍ରକଳ୍ପ ଉପରୁ ସତେ ଯେମିତି ମୁହଁ ବୁଲାଇ ଦେଇଛନ୍ତି। ‘ମହାବୀର’ ଓ ‘ସୁନ୍ଦରୀ’ ବାଦ୍‌ ସାତକୋଶିଆକୁ ଆହୁରି ଦୁଇ ଯୋଡ଼ା ବାଘ ଆଣିବାକୁ ଯୋଜନା ହୋଇଛି। କିନ୍ତୁ ସୁନ୍ଦରୀକାଣ୍ଡ ପରେ ଆଉ ଚାରୋଟି ବାଘ ଆଣିବା ଦୂରେ ଥାଉ, ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀକୁ ନେଇ ଆଗକୁ କ’ଣ କରାଯିବ ତାହା ମଧ୍ୟ ଝୁଲାଇ ରଖାଯାଇଛି। ସାତକୋଶିଆରେ ବାଘୁଣୀ ନେଇ ଘଟିଯାଇଥିବା ଦୁଃଖଦ ଅଘଟଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରକଳ୍ପରେ ସତେ ଯେମିତି ହାତ ମାରିବାକୁ ବି ରାଜି ନୁହଁନ୍ତି।

ବାଘୁଣୀକୁ ଦେଖି ‌ଫେରିଲେ ପିସିସିଏଫ୍‌
ନୂଆ ଏନକ୍ଲୋଜରକୁ ମିଳିପା‌ରେ ସବୁଜ ସଙ୍କେତ

ଏଭଳି ସ୍ଥିତିରେ ସାତକୋଶିଆକୁ ପିସିସିଏଫ୍‌ଙ୍କ ଦିନିକିଆ ଆଗମନ ଏବଂ ଠିକ୍‌ ତା’ ପରେ ପରେ ଏନଟିସିଏର ତିନି ଜଣିଆ ଟିମ୍‌ର ଗସ୍ତ ଯୋଜନା ମହାବଳ ବଂଶ ବୃଦ୍ଧି ନେଇ ନୂଆ ଆଶା ଭରି ଦେଇଛି। ବାଘୁଣୀ ତାରବାଡ଼ ଏନକ୍ଲୋଜର ଭିତରୁ ସାଙ୍ଗେ ସାଙ୍ଗେ ନ ମୁକୁଳିଲେ ନାହିଁ, ଅନ୍ତତଃ ତା’ର ଏନକ୍ଲୋଜର ସୀମା ବୃଦ୍ଧି ପାଇଁ ଯେଉଁ ପ୍ରସ୍ତାବ ଯାଇଥିଲା, ତା ଉପରେ ମୋହର ବାଜିପାରେ ବୋଲି ଆଶା କରାଯାଉଛି। ନୂଆ ପ୍ରସ୍ତାବ ମୁତାବକ ଏନକ୍ଲୋଜର ବଡ଼ ଜଙ୍ଗଲକୁ ନେଇ ବିରାଟକାୟ ହେବ। ଯେଉଁଥିରେ ବାଘ ରହିବା ପାଇଁ ବନାଞ୍ଚଳ ରହିବ। ଏନକ୍ଲୋଜର ଏତେ ବଡ଼ ହେବ ଯେ ତା’ ମଧ୍ୟରେ ତୃଣଭୋଜି ମଧ୍ୟ ରହିବେ। ବାଘ ପାଇଁ ତାହା ଏନକ୍ଲୋଜର ନୁହେଁ, ବରଂ ତାରବାଡ଼ ଘେରା ଏକପ୍ରକାର ବାସ ଉପଯୋଗୀ ଜଙ୍ଗଲ ହେବ। ଆସନ୍ତା ସପ୍ତାହରେ ସାତକୋଶିଆ ଆସୁଥିବା ନୂଆ ଟିମ୍‌ ଉପରେ ଏହି ସବୁ ଆଶା ନିର୍ଭର କରୁଛି। ନୂଆ ଏନକ୍ଲୋଜର ବାଟ ଫିଟିଗଲେ ଆରମ୍ଭରୁ ଲଟ୍‌କି ରହିଥିବା ସାତକୋଶିଆର ମହାବଳ ବଂଶବୃଦ୍ଧି ଗୋଟିଏ ପାଦ ଆଗେଇବ ବୋଲି ଆଶା କରାଯାଉଛି।

 

ସମ୍ବନ୍ଧିତ ଖବର