ହାଇଦ୍ରାବାଦରେ ଚାକିରି କହି ମଧ୍ୟପ୍ରଦେଶରେ ବିକିଦେଲେ : ଅପହୃତ୍ତା ମହିଳା ଉଦ୍ଧାର; ୫ ଦଲାଲଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

କଟକ : ହାଇଦ୍ରାବାଦ୍‌ରେ ଚାକିରି ଦେବାକୁ କହି ଜଣେ ବିବାହିତ ମହିଳାଙ୍କୁ ମଧ୍ୟପ୍ରଦେଶରେ ବିକି ଦେଇଥିଲେ। ମାତ୍ର ୫୫ ହଜାର ଟଙ୍କାରେ ସଂପୃକ୍ତ ମହିଳାଙ୍କୁ ୪ ଜଣ ମହିଳା ବିକିଦେବା ପରେ ଯୁବକ ଜଣକ ତାଙ୍କୁ ବଳ ପୂର୍ବକ ବିବାହ କରି ଘରେ ରଖିଥିଲା। କିନ୍ତୁ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଘଟଣା ତଦନ୍ତ କରି ପୁରୀର ସୂର୍ଯ୍ୟକାନ୍ତି ମଲ୍ଲିକ(୩୫)ଙ୍କୁ ଉଦ୍ଧାର କରିବା ସହିତ ମାନବ ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମଧ୍ୟପ୍ରଦେଶର ରାମକ୍ରୀଷ୍ଣା ରାୟ, ମୀନା ଦାସ, ଜତି ଓରଫ ମନୋରମା ବାରିକ, ବିଦୁ ବେହେରା, ପ୍ରଭାତୀ ସାହୁ। ଏହି ବେଆଇନ ଚାଲାଣ ରୢାକେଟ୍‌ର ମୁଖ୍ୟ କାର୍ପଟଦାର ରାମକ୍ରୀଷ୍ଣା ହୋଇଥିବା ବେଳେ ଅନ୍ୟଚାରି ମହିଳା ସହଯୋଗୀ ଭାବେ କାମ କରୁଥିଲେ। ଏଥିରେ ମଧ୍ୟପ୍ରଦେଶରେ ଆଉ ଜଣେ ଦଲାଲ ସଂପୃକ୍ତ ଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି।

ମୁଖ୍ୟ ଅଭିଯୁକ୍ତ ରାମକ୍ରୀଷ୍ଣା ପୁରୀରେ ବିବାହ କରି ରୁହେ। ଓଡ଼ିଶାରୁ ଅନେକ ସମୟରେ ମହିଳାଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶ ଚାଲାଣ କରୁଥିଲା। ପୁରୀ ସଦର ଥାନା ବାଉରିସାହିର ସୂର୍ଯ୍ୟକାନ୍ତି ମଲ୍ଲିକ(୩୫)ଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଅନ୍ୟତ୍ର ବିବାହ କରିଥିଲେ। ମହିଳା ଘରେ ଚାରି ଛୁଆଙ୍କ ସହ ଅଭାବରେ ରହୁଥିଲେ। ରାମକ୍ରୀଷ୍ଣା ମାଧ୍ୟମରେ ଉପରୋକ୍ତ ଚାରି ମହିଳା ତାଙ୍କୁ ହାଇଦ୍ରାବାଦ୍‌ରେ ଏକ କମ୍ପାନିରେ ଚାକିରି ଯୋଗାଇବାର ପ୍ରତିଶ୍ରୁତି ଦେଇ ଟ୍ରେନ୍‌ରେ ମଧ୍ୟପ୍ରଦେଶ ନେଇ ଯାଇଥିଲେ। ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଜନଡ଼ା ଥାନା ଅଶୋକ ନଗର ସଦର ଅଞ୍ଚଳରେ ଦଶରଥ ସି˚ହଙ୍କ ନିକଟରେ ସୂର୍ଯ୍ୟକାନ୍ତିଙ୍କୁ ଦଲାଲ ରାମକ୍ରୀଷ୍ଣା ଛାଡ଼ିଥିଲା। ସୂର୍ଯ୍ୟକାନ୍ତି ଅବିବାହିତ ବୋଲି ଦର୍ଶାଇ ବିବାହ ଉଦ୍ଦେଶ୍ୟରେ ତାଙ୍କୁ ୫୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଦଶରଥ ତାଙ୍କୁ ବଳପୂର୍ବକ ବିବାହ ଏବ˚ ସାଂଗ ହୋଇ ରହିବାକୁ ବାଧ୍ୟ କରିଥିଲେ। କିନ୍ତୁ ସୁଯୋଗ ପାଇ ସୂର୍ଯ୍ୟକାନ୍ତି ଜଣେ ପଡେ଼ାଶୀଙ୍କ ମୋବାଇଲ୍‌ ଫୋନ୍‌ରୁ ବାପା ଅରୁ ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ମାନବ ଚାଲାଣ ନିରୋଧ ୟୁନିଟ୍‌ରେ ଅଭିଯୋଗ ପରେ ସୂର୍ଯ୍ୟକାନ୍ତିଙ୍କୁ ଉଦ୍ଧାର କରିବା ସହିତ ମାଷ୍ଟର‌୍‌ମାଇଣ୍ତ ରାମ କ୍ରିଷ୍ଣା ଏବ˚ ଅନ୍ୟ ୪ ସହଯୋଗୀ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ଦଫା ୩୬୫, ୩୬୬, ୩୭୦, ୧୨୦ (ବି)ରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନିଲିମା ପଣ୍ତା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର