ଭୁବନେଶ୍ୱର : ୨୦୧୨-୧୩ରେ ରାଜ୍ୟରେ ଯେତିକି ହେକ୍ଟର ଜମିରେ ପିଆଜ ଚାଷ ହେଉଥିଲା, ଆଜି ଦିନରେ ସେ ମଧ୍ୟରୁ ପାଖାପାଖି ଦେଢ଼ହଜାର ହେକ୍ଟର ଚାଷ ଜମିରେ ଆଉ ପିଆଜ କରୁନି ଚାଷୀ। ଉତ୍ପାଦନ ହାର ବଢିଛି ଏକଥା ବି ନୁହେଁ। ବରଂ ଗତ ପାଞ୍ଚ ବର୍ଷ ଭିତରେ ଭୟଙ୍କର ଭାବେ କମିଛି। ପରିସଂଖ୍ୟାନକୁ ନିରେଖି ଦେଖିଲେ ଜଣାପଡୁଛି ଯେ ପାଖାପାଖି ୪୦ ହଜାର ୪୦୦ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ଏ ମଧ୍ୟରେ ହ୍ରାସ ପାଇଲାଣି ରାଜ୍ୟରେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଭଳି ରାଜ୍ୟରେ ପିଆଜ ଉପରେ ନିର୍ଭରଶୀଳତା ଟିକିଏ ଅଧିକ। ହେଲେ ବର୍ଷତମାମ କିନ୍ତୁ ପିଆଜ ଦରବୃଦ୍ଧି କାରଣରୁ ନାହିଁନଥିବା ଚାପରେ ରହୁଛନ୍ତି ଲୋକେ। ଏଭଳି ସ୍ଥିତିରେ ରାଜ୍ୟ ଏ କ୍ଷେତ୍ରରେ ସ୍ୱାବଲମ୍ବୀ ହେବ କ’ଣ, ପିଆଜ ଚାଷରୁ ଚାଷୀ ମୁହଁ ମୋଡ଼ିବା ଘଟଣା ବୁଦ୍ଧିଜୀବୀଙ୍କୁ ବିଚଳିତ କରୁଛି।
ପିଆଜ ଚାଷ କାହିଁକି କମିଲା, ଚାଷୀମାନେ ପିଆଜ ଚାଷ ପ୍ରତି କାହିଁକି ହଠାତ୍ ଅନାଗ୍ରହ ପ୍ରଦର୍ଶନ କରୁଛନ୍ତି, ଚାଷୀକୁ ତାର ଉତ୍ପାଦନ ଖର୍ଚ୍ଚ ମିଳୁନି ନା ଆଉ କିଛି ସମସ୍ୟା ରହିଛି, ଏଭଳି ଅନେକ ପ୍ରଶ୍ନ ଏବେ ବି ଅସମାହିତ ରହିଛି। ରାଜ୍ୟ ସରକାର ଏହା ଉପରେ ନା ତନାଘନା କରୁଛନ୍ତି ନା ଠୋସ୍ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ସବୁଠାରୁ କୌତୂହଳର କଥା ହେଉଛି, ଦୁଇବର୍ଷ ତଳେ ୨୦୧୫ ଅଗଷ୍ଟ ୩ ତାରିଖ ଦିନ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଆଳୁ ମିସନ ଭଳି ରାଜ୍ୟରେ ପିଆଜ ମିସନ କରାଯିବା ସଂପର୍କରେ ଘୋଷଣା କରିଥିଲେ। ଏ ମଧ୍ୟରେ କୃଷି ବିଭାଗ ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି ଓ ଦ୍ୱିତୀୟ ଥର ପାଇଁ ଏହି ବିଭାଗର ଦାୟିତ୍ୱ ନେଇଛନ୍ତି ସରକାରଙ୍କର ଜଣେ ଅଭିଜ୍ଞ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ହେଲେ ଆଜି ରାଜ୍ୟ ସରକାର ଉଦ୍ୟାନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରି କହିଛନ୍ତି, ଏମିତି କିଛି ମିସନ୍ ଏଯାଏ ହୋଇନାହିଁ। ଅର୍ଥାତ୍ ଘୋଷଣାରେ ଅଟକିଯାଇଛି ସରକାରଙ୍କ ପିଆଜ ମିସନ। ଏହା ହିଁ ସୂଚାଇ ଦେଉଛି ଚାଷୀ ଓ ଚାଷ ପ୍ରତି ସରକାରଙ୍କ ଆନ୍ତରିକତା କିଭଳି ରହିଛି।
ଉଲ୍ଲେଖଯୋଗ୍ୟ, ବିଧାନସଭା ଭିତରେ ହେଉ ଅବା ବାହାରେ, ଯେତେବେଳେ ବି ଚାଷ ବା ଚାଷୀ ପ୍ରସଙ୍ଗ ଉଠିଲା, ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର, ସ୍ୱତନ୍ତ୍ର କୃଷି ବଜେଟ୍, କୃଷି କ୍ୟାବିନେଟ୍ ଆଦି ସଂପର୍କରେ ସ୍ଲୋଗାନ ଦେଇ ସବୁ ଅଭିଯୋଗକୁ ଟାଳି ଦେବାକୁ ଉଦ୍ୟମ କରି ଆସୁଛନ୍ତି। ରାଜ୍ୟରେ ଚାଷୀର ଆୟ ଦ୍ୱିଗୁଣିତ ହୋଇଥିବା ଦାବି କରାଯାଉଛି। ହେଲେ ଚାଷର ସ୍ଥିତି ସଙ୍କେତ ଦେଉଛି ଯେ ରାଜ୍ୟରେ ଚାଷୀର ଅବସ୍ଥା କିଭଳି ଦୁର୍ବିସହ ଆଡକୁ ଗତି କରୁଛି।
ରାଜ୍ୟରେ ପିଆଜ ଚାଷ ସଂପର୍କିତ ସରକାରୀ ତଥ୍ୟ ସୂଚାଉଛି, ୨୦୧୨-୧୩ରେ ରାଜ୍ୟରେ ୩୪ ହଜାର ୯୨୧ ହେକ୍ଟରରେ ପିଆଜ ଚାଷ ହେଉଥିଲା। ସେ ସମୟରେ ଉତ୍ପାଦନ ହେଉଥିଲା ୪ଲକ୍ଷ ୧୯ ହଜାର ୮୯ ମେଟ୍ରିକ୍ ଟନ୍। ମାତ୍ର ୨୦୧୬-୧୭ରେ ସରକାରଙ୍କ ଆକଳନ କହୁଛି, ମାତ୍ର ୩୩ ହଜାର ୪୩୫ ହେକ୍ଟର ଜମିରେ ପିଆଜ ଚାଷ ହେଉଛି। ଅର୍ଥାତ୍ ୧୪୮୬ ହେକ୍ଟର ଜମିରେ ଚାଷୀ ପିଆଜ ଚାଷ ବନ୍ଦ କରିସାରିଲାଣି। ଏଣୁ ସ୍ୱାଭାବିକ ଭାବେ ଉତ୍ପାଦନ ଉପରେ ମଧ୍ୟ ଏହାର ବଡ଼ ଧରଣର ପ୍ରଭାବ ପଡିଛି। ପିଆଜ ଉତ୍ପାଦନ ଖସି ଆସି ପହଞ୍ଚିଛି ୩ଲକ୍ଷ ୭୮ ହଜାର ୬୭୦ ମେଟ୍ରିକ୍ ଟନ୍ରେ।
ସରକାରଙ୍କର କହିବା କଥା ହେଉଛି, ପିଆଜ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟାନ କୃଷି ନିର୍ଦେଶାଳୟ ତରଫରୁ ଉନ୍ନତ ପିଆଜ ବିହନ ରିହାତି ଦରରେ ଯୋଗାଇ ଦିଆଯାଉଛି। ଏପରିକି ଚଳିତବର୍ଷ ଖରିଫ୍ ଋତୁରେ ୩୦ କ୍ୱିଣ୍ଟାଲ ପିଆଜ ଚାଷୀ ନେଇଛନ୍ତି ଓ ଲକ୍ଷ୍ୟ ରଖାଯାଇଛି ଯେ ରବି ଋତୁରେ ୪୧୨.୫ କ୍ୱିଣ୍ଟାଲ ପିଆଜ ବିହନ ଯୋଗାଇ ଦିଆଯିବା। ପ୍ରଶ୍ନ ଉଠୁଛି, ଯଦି ସରକାର ଏତେ ସୁବିଧା ଦେଉଛନ୍ତି, ତେବେ ଚାଷୀ ପିଆଜ ଚାଷ ପାଇଁ କାହିଁକି ବିମୁଖ ହେଉଛି?
ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ବାର୍ଷିକ ୬.୯ କିଲୋଗ୍ରାମ ପିଆଜ ଖାଇଥାଏ। ସହରାଞ୍ଚଳରେ ଏହି ହାର ୮.୪ କେଜି ରହିଛି। ଏହାକୁ ହିସାବକୁ ନେଲେ, ଜଣାପଡୁଛି ଯେ ରାଜ୍ୟରେ ବାର୍ଷିକ ୨.୯୭ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆବଶ୍ୟକତା ରହିଛି। ରାଜ୍ୟ ସରକାର ଦାବି କରି ଆସୁଛନ୍ତି ଯେ ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ। ଏହାଠାରୁ ଢେର୍ ଅଧିକ ପିଆଜ ଓଡ଼ିଶାରେ ଉତ୍ପାଦନ ହେଉଛି। ଯଦି ସରକାରଙ୍କ ତଥ୍ୟ ସତ, ତେବେ ଏ ପିଆଜ କୁଆଡ଼େ ଯାଉଛି ଯେ ଦର ବୃଦ୍ଧି ବେଳକୁ ନାସିକ୍ରେ ପିଆଜ ଦରର ଆଳ ଦେଖାଉଛନ୍ତି ରାଜ୍ୟ ସରକାର? ଏ ପ୍ରଶ୍ନ ବି ଏବେ ସବୁ ମହଲକୁ ଚିନ୍ତାରେ ପକାଇଛି।
କୃଷିବିତ୍ମାନଙ୍କର ଯୁକ୍ତି ହେଉଛି, ସାଧାରଣତଃ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଦେବଗଡ ଜିଲ୍ଲାରେ ଚାଷୀ ପିଆଜ କରିଥାନ୍ତି। ହେଲେ ସରକାର ଯେତେ ସହାୟତା ଯୋଗାଇ ଦେଲେ ବି ପିଆଜ ଉତ୍ପାଦକତା କିନ୍ତୁ ବଢୁନାହିଁ। ଜାତୀୟସ୍ତରରେ ପ୍ରତି ହେକ୍ଟର ପିଛା ପ୍ରାୟ ୧୬ ମେଟ୍ରିକ୍ ଟନ୍ ପିଆଜ ହେଉଥିବା ବେଳେ ଓ଼ଡ଼ିଶା କ୍ଷେତ୍ରରେ ଏହା ପାଖାପାଖି ୧୨ ମେଟି୍ରକ୍ ଟନ୍ ରହୁଛି। ପୁଣି ରାଜ୍ୟରେ ସଂରକ୍ଷଣ ନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଚାଷୀ ଆନ୍ଧ୍ର ଓ ଛତିଶଗଡ଼ରେ ଉତ୍ପାଦିତ ପିଆଜ ବିକ୍ରି କରୁଛନ୍ତି, ତା ପୁଣି କମ୍ ଦାମ୍ରେ। ଏଯାଏ ରାଜ୍ୟର ଉତ୍ପାଦିତ ପିଆଜକୁ କିଭଳି ସଂରକ୍ଷିତ କରି ରଖାଯାଇପାରିବ ସେ ଠୋସ୍ ପଦକ୍ଷେପ କୃଷି ବିଭାଗ ନେଇପାରିନାହିଁ। ପିଆଜ ସାଇତା ଗୃହ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ଯାଏ ରିହାତି ଯୋଗାଇ ଦିଆଯାଉଥିଲେ ହେଁ, ତୃଣମୂଳସ୍ତରରେ ଏହି କାର୍ଯ୍ୟକ୍ରମଟି ବେଶ୍ ପ୍ରଭାବୀ ହୋଇପାରୁନାହିଁ। ଫଳରେ ଚାଷୀ ସହୁଛି ଓ ପିଆଜ ଚାଷ ପ୍ରତି ମନ ବଳାଉନାହିଁ।