ନାସିକରେ ବନ୍ୟା ପାଇଁ ବଢ଼ିଛି ପିଆଜ ଦର, ନଭେମ୍ବରରୁ କମିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ପିଆଜ ଦରକୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢ଼ି ଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ ପିଆଜ କିଲୋ ପ୍ରତି ୫୦ ଟଙ୍କା ଅତିକ୍ରମ କରିଛି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ନଭେମ୍ବରରୁ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଚିନ୍ତା କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ପିଆଜ ଦର ନେଇ ସମୀକ୍ଷା ହେବ।

ମହାରାଷ୍ଟ୍ରର ନାସିକରେ ବନ୍ୟା ଯୋଗୁଁ ଦର ବଢ଼ିଛି। ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ସହ କଥାହେବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କାକୁ ଡେଇଁଛି। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ଖୁଚୁରା ଦର ୫୦ ଟଙ୍କା। ଦିଲ୍ଲୀରେ ଖୁଚୁରା ଦର ୬୦ ଟଙ୍କାକୁ ଟପିଛି। ଭୁବନେଶ୍ୱରର ଛୋଟ ଛୋଟ ଖୁଚୁରା ବଜାରରେ ମଧ୍ୟ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଲାଣି। ପାଇକାରୀ ଦର ହୁ ହୁ ହୋଇ ବୃଦ୍ଧି ପାଇଥିବାରୁ ଖୁଚୁରା ବଜାରରେ ଆପେ ଆପେ ପିଆଜ ଦରର ତାତି ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଆହୁରି ସଂଗିନ୍ ହେବ ଓ ୨୦୧୫ ମସିହାରେ ହୋଇଥିବା ସର୍ବୋଚ୍ଚ ଦର ୮୦ ଟଙ୍କାକୁ ଛୁଇଁବ ବୋଲି ବ୍ୟବସାୟୀମାନେ କହିଲେଣି। ରପ୍ତାନୀ କଟକଣାକୁ ବାଦ୍ ଦେଲେ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବଜାର ବି‌ଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର