ପିଆଜ ୫୦ ଛୁଇଁଲା

ପାଇକାରୀ ଦର ୪୦ ଟପିଲା, ଆଗକୁ ଆହୁରି କନ୍ଦାଇବ

ଖଣ୍ଡଗିରି : ଆଶା କରାଯାଉଥିଲା ଅମଳ ଋତୁ ଆସିଲେ ପିଆଜ ଦର କମିବ। କିନ୍ତୁ ଏବେ ଫଳ ହୋଇଛି ଓଲଟା। ଖୁଚୁରା ବଜାରରେ ପିଆଜ ଦର ୫୦ ଟଙ୍କା ଛୁଇଁଛି। ପାଇକାରୀ ଦର ୪୦ ଟଙ୍କା ଟପିଛି। ବିଦେଶକୁ ରପ୍ତାନି ବୃଦ୍ଧି ପାଇଥିବାବେଳେ ରାଜ୍ୟ ରାଜ୍ୟ ଭିତରେ ଆମଦାନି କମିବା କାରଣରୁ ପିଆଜ ଦର ଏଭଳି ଆକାଶଛୁଅାଁ ହୋଇଥିବା କୁହାଯାଉଛି। ଏମିତିକି ନିକଟ ଭବିଷ୍ୟତରେ ମଧ୍ୟ ଏହି ଦର ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ପରିସ୍ଥିତି ଏମିତି ଅବସ୍ଥା ଆଡ଼କୁ ଯାଉଛି ଯେ ସରକାର ଚାହିଁଲେ ବି ପିଆଜ ଦର ବୃଦ୍ଧିରେ ଅଙ୍କୁଶ ଲଗାଇବା ସମ୍ଭବ ହେବ ନାହିଁ ବୋଲି ବ୍ୟବସାୟୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଭୁବନେଶ୍ୱରକୁ ୧୫୦ ଟନ୍‌ ପିଆଜର ଆବଶ୍ୟକତା ରହିଛି। କିନ୍ତୁ ଏବେ ମାତ୍ର ୮୦ ଟନ୍‌ ପାଖାପାଖି ମାଲ୍‌ ଆମଦାନୀ ହେଉଛି। ବଜାର ଦର ବୃଦ୍ଧି ଯୋଗୁଁ ପିଆଜର ଚାହିଦା କମୁଛି ଓ ସେଥିପାଇଁ ଆମଦାନୀ କରୁଥିବା ବ୍ୟବସାୟୀମାନେ ଭୟରେ ମାଲ୍‌ ଉଠାଉନାହାନ୍ତି। ଫଳରେ କ୍ରମଶଃ ବଜାରରେ ଅଭାବ ପରିଲକ୍ଷିତ ହେଉଛି ଓ ଏହା ଦରବୃଦ୍ଧିକୁ ବାଟ କଢ଼ାଉଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଂକର ମିଶ୍ରଙ୍କ କହିବା କଥା ନାସିକ୍‌ ଭଳି ପିଆଜ ଉତ୍ପାଦନ କେନ୍ଦ୍ରମାନଙ୍କରେ ଏବେ ପିଆଜ ଦର ୩୬ ଟଙ୍କାରୁ ୩୮ ଟଙ୍କା ରହିଛି। ତେଣୁ ଭୁବନେଶ୍ୱରରେ ମାଲ୍‌ ପହଞ୍ଚିବାବେଳକୁ ଦର ସ୍ୱତଃ ୪୦ ଟଙ୍କା ଟପୁଛି। ପାଇକାରୀ ଦର ୪୦/୪୨ ଟଙ୍କା ହେବାରୁ ଖୁଚୁରା ବଜାରରେ ବେପାରୀମାନେ ୫୦ ଟଙ୍କାରେ ବିକିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଟିକିଏ ନିମ୍ନମାନର ପିଆଜର ପାଇକାରୀ ଦର ୩୬ରୁ ୩୮ ଟଙ୍କା ରହିଛି ଓ ତାହା ବଜାରରେ ୪୫ ଟଙ୍କାରେ ବିକ୍ରି ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଭାରତର ସବୁଆଡ଼େ ପିଆଜ ଦର ବୃଦ୍ଧି ପାଇଛି। ଏମିତିକି ନାସିକ୍‌ରେ ମଧ୍ୟ ଖୁଚୁରା ଦର ୪୦ ଟଙ୍କା ଉପରେ ରହିଛି। ବରଂ କୋଲକାତା ଦିଲ୍ଲୀ ଭଳି ମେଟ୍ରୋ ସହରରେ ପିଆଜ ଦର ଭୁବନେଶ୍ୱର ଅପେକ୍ଷା ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଅମଳ ଋତୁ ଡିସେମ୍ବର ଶେଷଭାଗ ଆଡ଼କୁ ଆରମ୍ଭ ହେବ। ତେଣୁ ସେତେ ଦିନ ପର୍ଯ୍ୟନ୍ତ ପିଆଜ ଖାଉଟିଙ୍କୁ କନ୍ଦାଇବା ନିଶ୍ଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବ୍ୟବସାୟୀମାନଙ୍କ କହିବା କଥା ବଣ୍ଟନ ବ୍ୟବସ୍ଥା ପାଇଁ ଆଜି ପିଆଜ ଦର ଏଭଳି ବୃଦ୍ଧି ଘଟିଛି। ରପ୍ତାନି ବୃଦ୍ଧି ଏଥିପାଇଁ ମୂଳ କାରଣ। ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରପ୍ତାନି ଶୁଳ୍କ ହ୍ରାସ କରି ରପ୍ତାନି ବୃଦ୍ଧି କରାଯିବ ଉଚିତ୍‌। କିନ୍ତୁ ଦେଶ ଭିତରର ଚାହିଦା ପ୍ରତି ଆଖୁ ବୁଜି ଦିଆଯିବା ଉଚିତ୍‌ ନୁହେଁ। କିଛି ବ୍ୟବସାୟୀ ଏଭଳି ପରିସ୍ଥିତି ପାଇଁ ରାଜନୈତିକ ଅଭିସନ୍ଧି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତିି। ଗୁଜୁରାଟ ନିର୍ବାଚନକୁ ବି ପିଆଜ ଦର ବୃଦ୍ଧି ପାଇଁ ଦାୟୀ କରାଯାଉଛି। ନିର୍ବାଚନ ପରେ ହୁଏତ ଏଥିରେ କିଛି ପରିମାଣରେ ଉପଶମ ମିଳି ପାରେ ବୋଲି ସେମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର