ପିଆଜ ମଞ୍ଜିରୁ ଗଜା ହେଲାନି, ଚାଷୀ ମୁଣ୍ଡରେ ଚଡ଼କ

ଜାତୀୟ ବିହନ ନିଗମକୁ ଚିଠି ଲେଖିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ, ବୈଷୟିକ କମିଟି ତଦନ୍ତ ଆଧାରରେ ଚାଷୀଙ୍କୁ କ୍ଷତିପୂରଣ

ଭୁବନେଶ୍ୱର : ରାଜ୍ୟରେ ଚାରା ଘୋଟାଲା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଏବେ ପିଆଜ ମଞ୍ଜିରୁ ଗଜା ନ ହେବା ସରକାରଙ୍କୁ ଅଡ଼ୁଆରେ ପକାଇଛି। ୨୦୧୮-୧୯ ଖରିଫ ଋତୁ ପାଇଁ ରାଜ୍ୟର ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ପିଆଜ ମଞ୍ଜିରୁ ଗଜା ହେଉ ନାହିଁ। ଫଳରେ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ବର୍ତ୍ତମାନ ସମାଧାର ବାଟ କିପରି ବାହାରିବ, ସେ ନେଇ କୃଷି ବିଭାଗରେ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ତୁରନ୍ତ ପଦକ୍ଷେପ ନେବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜାତୀୟ ବିହନ ନିଗମକୁ ଚିଠି ଲେଖିଛନ୍ତି।

ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗର ଆବଶ୍ୟକତା ଅନୁସାରେ ଜାତୀୟ ବିହନ ନିଗମ ଚଳିତ ବର୍ଷ ଅଗଷ୍ଟ ମାସରେ ପିଆଜ ମଞ୍ଜି ଯୋଗାଇ ଦେଇଥିଲା। ଉଦ୍ୟାନ ବିଭାଗ ମାର୍ଫତରେ ରାଜ୍ୟର ଚାଷୀମାନଙ୍କୁ ଏହି ମଞ୍ଜି ବିତରଣ କରାଯାଇଥିଲା। କିନ୍ତୁ ମଞ୍ଜିରୁ ଆଦୌ ଗଜା ହେଉ ନ ଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ଫଳରେ ଚାଷୀମାନେ ଭୀଷଣ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ନେଇ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜାତୀୟ ବିହନ ନିଗମର ଆଞ୍ଚଳିକ ପ୍ରବନ୍ଧକଙ୍କୁ ଚିଠି (ନଂ ୧/୯୬୫୬/୧୨.୦୯.୨୦୧୮) ଲେଖି ଜଣାଇଛନ୍ତି। ମଞ୍ଜିର ଗୁଣବତ୍ତାରେ ତ୍ରୁଟି ରହିଲେ ମଞ୍ଜି ଯୋଗାଣକାରୀ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଞ୍ଜି ଯୋଗାଣର ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ଥିବା ନେଇ ନିର୍ଦ୍ଦେଶକ ଜଣାଇଛନ୍ତି।

ପିଆଜ ମଞ୍ଜିରୁ କାହିଁକି ଗଜା ହେଲାନି, ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଦୁଇ ଜଣ ଉପ ନିର୍ଦ୍ଦେଶକ, ଓୟୁଏଟି, ସିଏଚ୍‌ଇଏସ୍‌ର ବିଶେଷଜ୍ଞ ସାମିଲ ରହିବେ। ପିଆଜ ଗଜା ନ ହେବାର କାରଣ, ମଞ୍ଜିର ଗୁଣବତ୍ତା ପରୀକ୍ଷା ଏବଂ ଚାଷୀଙ୍କୁ କିଭଳି କ୍ଷତିପୂରଣ ଦେଇ ହେବ ଏହି କମିଟି ତଦନ୍ତ କରିବ। ବୈଷୟିକ କମିଟି ତଦନ୍ତ ରିପୋର୍ଟ ଆଧାରରେ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଅପରପକ୍ଷେ, ଗଜା ହୋଇ ନଥିବା ପିଆଜ ମଞ୍ଜିର ପୁନଃ ପରୀକ୍ଷଣ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜାତୀୟ ବିହନ ନିଗମକୁ ଅନୁରୋଧ କରିଛନ୍ତି। ମାତ୍ର ପୁନଃ ପରୀକ୍ଷଣ କରି ଏହାର ରିପୋର୍ଟ ଜାଣି ଚାଷୀଙ୍କୁ ପୁନର୍ବାର ପିଆଜ ମଞ୍ଜି ଯୋଗାଇ ଦେବା ଆଉ ସମ୍ଭବପର ନୁହେଁ। ଏତେସବୁ କାର୍ଯ୍ୟ ପାଇଁ ଚାଷୀଙ୍କ ହାତରେ ସମୟ ନାହିଁ। ଏଣୁ ଚାଷୀଙ୍କୁ କିଭଳି କ୍ଷତିପୂରଣ ଯୋଗାଇ ଦିଆଯାଇପାରିବ ସେଥିନେଇ ଜାତୀୟ ବିହନ ନିଗମ ଚିନ୍ତା କରିବା ସହ ସଂପୃକ୍ତ ମଞ୍ଜି ଯୋଗାଣକାରୀ ସଂସ୍ଥାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟାନକୃଷି ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିଭଳି ଏଭଳି ତ୍ରୁଟିଯୁକ୍ତ ମଞ୍ଜିକୁ ଆଉ ଚାଷୀଙ୍କୁ ନ ଯୋଗାଇବା କିମ୍ବା ବିକ୍ରି ନ କରିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଉପ ନିର୍ଦ୍ଦେଶକମାନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର