ଓଡ଼ିଶାରେ ପିଆଜର ଅଭାବୀ ବିକ୍ରି! କିଲୋ ପ୍ରତି ମାତ୍ର ୬ ଟଙ୍କାରେ ବେପାରୀଙ୍କୁ ବିକୁଛି ଚାଷୀ

କଳାହାଣ୍ଡି : ପୁଣି ଓଡ଼ିଶାରେ ପିଆଜର ଅଭାବୀ ବିକ୍ରି। ଗତ କିଛିମାସ ତଳେ ପିଆଜର ଆକାଶଛୁଆଁ ମୂଲ୍ୟ ଗ୍ରାହକମାନଙ୍କ ନିଦ ହଜାଇ ଦେଇଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଜନଅସନ୍ତୋଷର ବହ୍ନି ଜଳିଉଠିଥିଲା। ଏହାର ନିରାକରଣ ପାଇଁ ସରକାର ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏବେ ପିଆଜର ଅଭାବୀ ବିକ୍ରି ଦେଖିବାକୁ ମିଳିଛି କଳାହାଣ୍ଡି ସମେତ ପଶ୍ଚିମ ଓଡିଶାରେ।

ଏବେ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାରେ ପିଆଜ ଅମଳ ଆରମ୍ଭ ହୋଇଛି। ୪ ମାସ ହାଡଭଙ୍ଗା ପରିଶ୍ରମ ପରେ ଫସଲ ଅମଳ କରିଛି ଚାଷୀ। ହେଲେ ପିଆଜ ସାଇତି ରଖିବା ପାଇଁ ଘର ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ପିଆଜ ଅମଳ କରି ଘରକୁ ଆଣିବା ବଦଳରେ ଜମିରୁ ହିଁ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ମାତ୍ର ୬ ଟଙ୍କାରେ ବିକ୍ରି କରୁଛନ୍ତି । ଆମଳ ଆରମ୍ଭରୁ ପିଆଜ କିଲୋ ପ୍ରତି ୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅମଳ ବୃଦ୍ଧି ହେଲେ ଏହା ଆହୁରି କମ୍‌ ହେବ ବୋଲି ଆଶଙ୍କା କରିଛି ଚାଷୀ।

ପଶ୍ଚିମ ଓଡିଶାରେ ଚିରାଚରିତ ପିଆଜର ଆଭାବୀ ବିକ୍ରି ସମସ୍ୟା କେବଳ ଚର୍ଚ୍ଚାରେ ହିଁ ସୀମିତ। ପିଆଜ ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୁଏ, ହେଲେ ସମାଧାନ ହୁଏନି। ଅଭାବୀ ବିକ୍ରିର ସମାଧାନ ପାଇଁ ଗତବର୍ଷ ସରକାର ଶୀତଳ ଭଣ୍ଡାର ନିର୍ମାଣ କରିବା ସହ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ସାଇତା ଘର ବାବଦକୁ ସବସିଡି ଘୋଷଣା କରିଥିଲେ। ହେଲେ ଏଯାଏଁ ପଶ୍ଚିମ ଓଡିଶାରେ ନା ଶୀତଳଭଣ୍ଡାର ହୋଇଛି, ନା ସାଇତା ଘର ପାଇଁ ସବସିଡି ପାଇଛନ୍ତି ଚାଷୀ।

କଳାହାଣ୍ଡି ଉଦ୍ୟାନ ବିଭାଗ ରିପୋର୍ଟ ଆନୁଯାୟୀ, ଚଳିତବର୍ଷ ଜିଲ୍ଲାରେ ୨ ହଜାର ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି। ୨୦୧୭-୧୮ ବର୍ଷ ସାଇତା ଘର ପାଇଁ ୭୦ ଚାଷୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଇଛି। ହେଲେ ପିଆଜ ଅମଳ ଯାଏଁ ଜଣେ ଚାଷୀ ସାଇତା ଘର ସଂପୁର୍ଣ୍ଣ କରିପାରିନାହାନ୍ତି । କାରଣ ଗୋଟିଏ ସାଇତା ଘର ନିର୍ମାଣ ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ସରକାର ମାତ୍ର ୫୦ ପ୍ରତିଶତ ପ୍ରଦାନ କରୁଛନ୍ତି । ପିଆଜ ଆଭାବୀ ବିକ୍ରି ରୋକିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କଲେ ରାଜ୍ୟରେ ଖାଉଟିଙ୍କ ଆବଶ୍ୟକତା ପଶ୍ଚିମ ଓଡିଶାର ଉତ୍ପାଦିତ ପିଆଜ ମେଂଟାଇ ପାରିବ। ନଚେତ ଅମଳ ପିଆଜ ରାଜ୍ୟ ବାହାରକୁ ଚାଲାଣ ପରେ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କୁ ହାତ ପତେଇବାକୁ ପଡିପାରେ।

ସମ୍ବନ୍ଧିତ ଖବର