କଳାହାଣ୍ଡିରେ ପିଆଜର ଅଭାବୀ ବିକ୍ରି : କମ୍‌ ଦରରେ କିଣୁଛନ୍ତି ଆନ୍ଧ୍ର, ଛତିଶଗଡ଼ ବେପାରୀ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଆରମ୍ଭ ହୋଇଛି। ସରକାରଙ୍କ ପକ୍ଷରୁ କୌଣସି ସଂରକ୍ଷଣର ବ୍ୟବସ୍ଥା ନ ଥିବାରୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବେପାରୀଙ୍କୁ ଦରଅଦରରେ ବିକ୍ରି କରୁଛନ୍ତି।

ପିଆଜର ଅଭାବୀ ବିକ୍ରି କଥା ଉଠିଲେ ବିଧାନସଭା ଯାଏଁ ତୁମ୍ବିତୋଫାନ ହୋଇଥାଏ। ହେଲେ ସେହି ସମୟ ବିତି ଗଲା ପରେ ତା’ର ତଦାରଖ କରା ନଥାଏ। ଏଥିପାଇଁ ଯେଉଁ ପରିସ୍ଥିତି ଉପୁଜିଥାଏ, ତାହା ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ସହରାଞ୍ଚଳ ବଜାରରେ ପିଆଜ ମୂଲ୍ୟ କେଜି ପ୍ରତି ୧୬ ଟଙ୍କା ଥିବାବେଳେ ଚାଷ ଜମି ନିକଟରେ ଚାଷୀ ବାଧ୍ୟ ହୋଇ ୬ ଟଙ୍କା କେଜିରେ ବିକ୍ରି କରିଦେଉଛନ୍ତି।

ଉଦ୍ୟାନ ବିଭାଗପରିସଂଖ୍ୟାନ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୦୦୦ ହେକ୍ଟରରେ ପିଆଜ ଚାଷ ହୋଇଛି। ଏହି ଚାଷ ବର୍ତ୍ତମାନ ଅମଳ ହେବା ଆରମ୍ଭ ହେଲାଣି। ହେଲେ ଆରମ୍ଭରୁ ହିଁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛି। ପିଆଜ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଠୋସ ଋଣ ବ୍ୟବସ୍ଥା କିଛି ନଥିବାରୁ ଏହି ଚାଷୀମାନଙ୍କ ଉପରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବେପାରୀଙ୍କ ଆଖିପଡ଼ିଛି। ଛତିଶଗଡ଼ ବେପାରୀମାନେ ପିଆଜ ଚାଷ ପୂର୍ବରୁ ଚାଷୀମାନଙ୍କୁ ଋଣ ଦେଇ ପରବର୍ତ୍ତୀ ସମୟରେ କମ ଦରରେ ପିଆଜ କିଣି ନେଉଥିବାର ଦେଖା ଯାଇଛି। ପିଆଜ ଚାଷୀଙ୍କ ପାଇଁ ସରକାର ପିଆଜ ସାଇତାଘରରେ ସବସିଡି ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିବାରୁ ସାଇତି ଘର ଚାଷୀଙ୍କ କାମରେ ଆସିପାରୁ ନାହିଁ। ଉଦ୍ୟାନ ବିଭାଗ ପକ୍ଷରୁ ପ୍ରତ୍ୟେକ ପିଆଜ ସାଇତାଘର ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଅଟକଳ ରଖାଯାଇଛି। ଯେଉଁଥିରେ ଚାଷୀଙ୍କୁ ସବସିଡି ମିଳିବ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଏକା ଥରକେ ପିଆଜ ଚାଷୀ ଏତେ ଟଙ୍କା ଆଣିବ କେମିତି?

ନିୟମ ଅନୁସାରେ ଚାଷୀ ୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରି ପିଆଜ ସାଇତି ଘର ତିଆରି କରିବ। କାର୍ଯ୍ୟ ସରିଲେ କୃଷି ବିଭାଗ ଓ ଆରଆଇ ରିପୋର୍ଟ ଦେବା ପରେ ସବସିଡି ଟଙ୍କା ମିଳିବ। ଏତେ ସବୁ ବ୍ୟବସ୍ଥା ଥିବାରୁ ପ୍ରକୃତ ପିଆଜ ଚାଷୀ ଏହାର ଫାଇଦା ପାଇ ପାରୁ ନାହିଁ। କାରଣ ଜିଲ୍ଲାର ଅଧିକାଂଶ ପିଆଜ ଚାଷୀ ଛୋଟ ଚାଷୀ ଓ ଭାଗଚାଷୀ। ଏଣୁ ଏହି ଯୋଜନା ଚାଷୀମାନଙ୍କ ପକ୍ଷରେ ଅସମ୍ଭବ। ଯେଉଁଥିପାଇଁ ଚାଷୀ ପିଆଜ ସାଇତି ଘର କରି ପାରେ ନାହିଁ ଓ ଅଭାବୀ ବିକ୍ରିର ଶିକାର ହୁଏ। ଏବେ ପର୍ଯ୍ୟାପ୍ତ ପିଆଜ ଏଠାରେ ମିଳୁଥିବା ବେଳେ ସଠିକ ଭାବେ ସାଇତି ରଖାଯାଇ ପାରିନାହିଁ। ପରବର୍ତ୍ତୀ ସମୟରେ ଏଠୁ କମ୍‌ ଦରରେ ନେଇଥିବା ପିଆଜକୁ ପୁଣି ଆନ୍ଧ୍ର ଓ ଛତିଶଗଡ଼ରୁ ଚଢ଼ା ଦରରେ ଆମଦାନୀ କରାଯାଉଛି। ଏହାଠାରୁ ବିଡ଼ମ୍ବନାର ବିଷୟ କ’ଣ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର