ଜଗନ୍ନାଥଙ୍କୁ ଲାଗି ହେବ ଅନ୍‌ଲାଇନ ନିମନ୍ତ୍ରଣ ପତ୍ର

ଖୁଣ୍ଟିଆ ନିଯୋଗର ସ୍ବତନ୍ତ୍ର ୱେବ୍‌ସାଇଟ୍‌

ପୁରୀ : ମହାପ୍ରଭୁଙ୍କୁ ବିବାହ ଓ ଅନ୍ୟାନ୍ୟ ନିମନ୍ତ୍ରଣ ପତ୍ର ଲାଗି କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରକୁ ଆସିବାକୁ ପଡ଼ିବନି। ଏଥର ଘରେ ବସି ଗୃହକର୍ତା ନିମନ୍ତ୍ରଣ ପତ୍ର ଅନ୍‌ଲାଇନରେ ପଠାଇପାରିବେ। ଏହି ନିମନ୍ତ୍ରଣ ପତ୍ର ପ୍ରିଣ୍ଟ କରାଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଲାଗି ହେବ। ଦେଶବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ସୁଯୋଗ ଆଣିଛି ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ। ମୁମ୍ବାଇରେ ନିଯୋଗର ଏହି ୱେବ୍‌ସାଇଟ୍ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଏହି ୱେବସାଇଟ୍ ଭକ୍ତଙ୍କ ଉଦ୍ଦେଶ୍ୟରେ ‌ଲୋକାର୍ପିତ ହେବ ବୋଲି ଖୁଣ୍ଟିଆ ନିଯୋଗ ବିଧିବଦ୍ଧ ଭାବେ ଘୋଷଣା କରିଛି। ଏଥିପାଇଁ ନିଯୋଗ କୌଣସି ଦେୟ ରଖି ନଥିବାବେଳେ ଭକ୍ତମାନେ ଚାହିଁଲେ ଇଚ୍ଛା ମୁତାବକ ଯାହା କିଛି ଦେବେ ତାହା ଗ୍ରହଣ କରାଯିବ ବୋଲି ଖୁଣ୍ଟିଆ ନିଯୋଗର ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି।

ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ବମ୍ବେର ଜଣେ ସଫ୍ଟୱେୟାର ଇଂଜିନିୟର ନୀତିନ କୁମାର ସିଂହଙ୍କ ସହଯୋଗରେ ଏହି ୱେବ୍‌ସାଇଟକୁ ପ୍ରସ୍ତୁତ କରାଯାଉଛି। ଦୁଇ ତିନି ଦିନ ଭିତରେ ଏହି ୱେବସାଇଟ୍ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କକୁ ଆହୁରି ନିବିଡ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ୱେବ୍‌ସାଇଟରେ ନିଯୋଗ କାର୍ଡ ପଠାଇବା ସଂପର୍କରେ ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ତଥ୍ୟ ରଖିବ। ଦାନ ସଂପର୍କରେ ସେପରି କିଛି ନିଷ୍ପତ୍ତି ହୋଇନଥିଲେ ବି ଭକ୍ତମାନେ ଯାହା ଇଚ୍ଛା ମୁତାବକ ଦେବେ ତାହା ଗ୍ରହଣ କରାଯିବ ଓ ଯେଉଁଦିନ ଏହି କାର୍ଡ଼ ମହାପ୍ରଭୁଙ୍କଠାରେ ଲଗାଯିବ, ସେହିଦିନ ସଂପୃକ୍ତ ପାଳିଆ ଖୁଣ୍ଟିଆ ସେବକଙ୍କୁ ଏହି ଦେୟ ଦିଆଯିବ। ଯେଉଁଦିନ ମହାପ୍ରଭୁଙ୍କଠାରେ ନିମନ୍ତ୍ରଣ ପତ୍ର ପଠାଯିବ, ସେଦିନ ନିଯୋଗ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ସୂଚନା ପଠାଯିବ। ସେଥିରୁ ଭକ୍ତ ଜଣକ ତାଙ୍କ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କଠାରେ ଲାଗି ହେଲା ବୋଲି ଜାଣିପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ଭକ୍ତଙ୍କୁ ବିବାହ ଓ ଅନ୍ୟ କୌଣସି ନିମନ୍ତ୍ରଣ ପତ୍ର ଦେବାକୁ ହେଲେ ଶ୍ରୀମନ୍ଦିର ଆସିବାକୁ ପଡ଼ୁଥିଲା। ଖୁଣ୍ଟିଆ ନିଯୋଗ ଏହାକୁ ମହାପ୍ରଭୁଙ୍କଠାରେ ଲାଗି କରୁଥିଲେ।

ସମ୍ବନ୍ଧିତ ଖବର