ଖୋଲିବ ‘ବ୍ଲାକ୍‌ରୋଜ୍‌’ ରହସ୍ୟ?

ତଦନ୍ତରେ ସମସ୍ତ ସହଯୋଗ ଯୋଗାଇ ଦେବୁ: ବନ୍ଦର ଅଧ୍ୟକ୍ଷ ବନ୍ଦର ପ୍ରଶାସନକୁ ଦୋଷ ଦେଲେ ଦାମ

ଜଗତସିଂହପୁର: ଦୀର୍ଘ ନଅ ବର୍ଷ ପରେ ‘ବ୍ଲାକରୋଜ୍‌’ ବୁଡିବା ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ସିବିଆଇକୁ ଚିଠି ଲେଖାଯାଇଛି। ୨୦୦୯, ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ନିକଟ ବଙ୍ଗୋପସାଗରରେ ବ୍ଲାକ୍‌ରୋଜ୍‌ ବୁଡ଼ିଯାଇଥିଲା। ଏହି ଜାହାଜଟି ଜାଲ୍‌ ନଥିପତ୍ରରେ କାରବାର କରୁଥିବା ବେଳେ ଏହାର ବୀମା, ଫିଟ୍‌ନେସ୍‌ ସବୁକିଛି ନକଲି ଥିବା ଜଣାପଡ଼ିଥିଲା। ନିୟମ ଅନୁଯାୟୀ ପ୍ରତ୍ୟେକ ଜାହାଜ ପଣ୍ୟ କାରବାର କରିବା ଦିନଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ କାର୍ଯ୍ୟ କରି ପାରିବ। ଏହା ପରଠାରୁ ପ୍ର୍ରତ୍ୟେକ ବର୍ଷ ଜାହାଜ ପକ୍ଷରୁ ସମୁଦ୍ର୍ରରେ କାରବାର କରିବା ପାଇଁ ଏକ ସାର୍ଟିଫିକେଟ୍‌ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଆଣିବ। ମାତ୍ର ବ୍ଲାକରୋଜ୍‌ ଏହି ନିୟମକୁୁ ମାନି ନଥିଲା। ଜାହାଜକୁ ୩୨ ବର୍ଷ ହୋଇଥିଲେ ମଧ୍ୟ ବିନା ସାର୍ଟିଫିକେଟ୍‌ରେ ଏହା ସମୁଦ୍ରରେ କାରବାର କରିପାରୁଥିଲା। ପୂର୍ବରୁ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରେ ଏ ସଂପର୍କରେ କେତେ ଜଣଙ୍କୁ ଜେରା ମଧ୍ୟ କରାଯାଇଥିଲା। ଜାହାଜରେ ୨୩,୮୪୩ ଟନ୍‌ର ପଣ୍ୟ ଥିବା ବେଳେ ୯୪୭ ଟନ୍‌ ବିସ୍ଫୋରକ ତୈଳ ଓ ୪୭ ଟନ୍‌ର ଡିଜେଲ ଥିଲା। ମାତ୍ର ଏହି ପଣ୍ୟକୁ ନିଜର ବୋଲି କେହି ଦାବି କରି ନଥିଲେ। ଏଭଳି ସ୍ଥିତିରେ ବ୍ଲାକରୋଜ୍‌କୁ ନେଇ ସନ୍ଦେହ ବଢିବା ସହ ଏଥିରେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହୋଇ ଆସିଛି। କିନ୍ତୁ କୌଣସି ତଦନ୍ତରୁ ଏଯାଏ ଅଭିଯୁକ୍ତ ସାମନାକୁ ଆସି ନଥିବା ବେଳେ ସିବିଆଇ କିଭଳି ଘଟଣାର ପର୍ଦ୍ଦାଫାସ କରିବ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ କହିବା ଅନୁଯାୟୀ ଏହି ମାମଲାରେ ଏକାଧିକ ବ୍ୟକ୍ତି ଓ ସଂସ୍ଥା ଗୁଡ଼ିକର ନିଶ୍ଚିତ ସଂପୃକ୍ତି ରହିଛି। ମାମଲାର ତଦନ୍ତରେ ବନ୍ଦର ପ୍ରଶାସନ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ। ଯିଏ ବି ଏହି ମାମଲାରେ ସମ୍ପୃକ୍ତ ଥିବେ, ସେ ନିଶ୍ଚୟ ଧରାପଡ଼ି ଯିବେ। ବନ୍ଦର ଅଧ୍ୟକ୍ଷଙ୍କ ଏଭଳିି ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବନ୍ଦର ପ୍ରଶାସନର କୌଣସି ଅଧିକାରୀଙ୍କର ଏଥିରେ ସମ୍ପୃକ୍ତି ରହିଛି କି ନାହିଁ, ସେ ସଂପର୍କରେ ଶ୍ରୀ ରୟ ସ୍ପଷ୍ଟ କରିନଥିଲେ ମଧ୍ୟ ପରୋକ୍ଷରେ ଭିନ୍ନ ଇଙ୍ଗିତ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଭୟଭୀତ କରାଇବା ପାଇଁ ହେଉ ଅଥବା ଅକଳରେ ପକାଇବା ପାଇଁ କେନ୍ଦ୍ର ସରକାର ହଠାତ୍‌ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସ୍ଥାନୀୟ ବିଧାୟକ ଡାକ୍ତର ଦାମୋଦର ରାଉତ ସିଧାସଳଖ କାହାକୁ ଦୋଷ ଦେଇନଥିଲେ ମଧ୍ୟ ପରୋକ୍ଷରେ ବନ୍ଦର ପ୍ରଶାସନ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ଡାକ୍ତର ରାଉତଙ୍କ କହିବା ଅନୁଯାୟୀ, ଘଟଣାକୁ ୯ ବର୍ଷ ବିତିବାକୁ ବସିଲାଣି। ବର୍ତ୍ତମାନ ସିବିଆଇ ତଦନ୍ତ ପାଇଁ କାହିଁକି ସମସ୍ତଙ୍କ ମୁଣ୍ଡରେ ପଶିଲା? ଜାହାଜଟି ଯଦି ଜାଲ ପ୍ରମାଣପତ୍ରରେ ଚାଲିଥିଲା, ତେବେ ବନ୍ଦର ପ୍ରଶାସନ ଜାଣି ପାରିଲା ନାହିଁ କେମିତି? କ୍ରାଇମବ୍ରାଞ୍ଚ ତଦନ୍ତରେ ମଧ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିଲା ନାହିଁ କାହିଁକି? ଏଣୁ ଘଟଣା ପଛରେ କିଛି ରହସ୍ୟ ରହିଛି ବୋଲି ଡାକ୍ତର ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର