ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର। ଅନ୍ତର୍ଜାତୀୟ ମାନର ଏହି ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଟିଇ ସିଙ୍ଗାପୁରର ସଂସ୍ଥା ଆଇଟିଇ ଏଜୁକେସନ୍‌ ସର୍ଭିସ୍‌(ଆଇଟିଇଇଏସ୍‌) ସହଯୋଗ କରିବ। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ଦ୍ୱାରା ଏହା ସ୍ଥାପନ କରାଯିବ। ଏହାଦ୍ୱାରା ଓଡ଼ିଶାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ହେବା ସହ ସେମାନଙ୍କୁ ଗୁଣାତ୍ମକ ତାଲିମ ଦିଆଯାଇପାରିବ। ଫଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକୀୟ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିବିଶେଷ ବାହାରିପାରିବେ। ଏନେଇ ଓଏସ୍‌ଡିଏର କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।ବଡ଼ ନିଷ୍ପତ୍ତିକ୍ରମେ ଦକ୍ଷତା ବିକାଶ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ରହିବା ଉପରେ ପ୍ରାଥମିକତା ଦିଆଯାଇଛି। ରାଜ୍ୟରେ ଥିବା ୨୦ଟି ସ୍କିଲ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର(ଏସ୍‌ଡିସି)ରେ ୫୦ ଶଯ୍ୟା ବିଶିଷ୍ଟ ଛାତ୍ର ଓ ଛାତ୍ରୀ ନିବାସ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଯେଉଁ ଏସ୍‌ଡିସିରେ ହଷ୍ଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟାୟକ୍ରମେ ହଷ୍ଟେଲ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଓଏସ୍‌ଡିଏର ଫଣ୍ଡ, ଜମି, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରତିଷ୍ଠା କରାଯିବ। ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଯୁବଗୋଷ୍ଠୀଙ୍କୁ ଆୟୁର୍ବେଦ ଡିଟକ୍ସ ଥେରାପି(ପଞ୍ଚକର୍ମ) ବିଷୟରେ ତାଲିମ ଦେବା ପାଇଁ ବାଙ୍ଗଲୋରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଆଣ୍ଡ ଇଣ୍ଟିଗ୍ରେଟେଡ୍‌ ମେଡିସିନ୍‌(ଆଇ-ଏଆଇଏମ୍‌) ଆଣ୍ଡ ଟ୍ରାନ୍ସ ଡିସିପ୍ଲିନାରି ୟୁନିଭରସିଟି(ଟିଡିୟୁୁ) ଆଗ୍ରହ ପ୍ରକାଶ କରିଛି। ଏନେଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ୫ ବର୍ଷ ପାଇଁ ପ୍ରତିବର୍ଷ ୧୦୦ ଜଣ ଲେଖାଏ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ପଞ୍ଚକର୍ମ ଥେରାପି ଓ ଯୋଗ ଉପରେ ଆଧାରିତ ସାର୍ଟିଫିକେଟ୍‌ କୋର୍ସ ୬ ମାସ ବିଶିଷ୍ଟ ହେବ। ଏଥିରେ ୧୨୦୦ ଘଣ୍ଟାର କ୍ଲାସ କରାଯିବ। ଟିଡିୟୁ ଦ୍ୱାରା ଅନୁମୋଦିତ ମେଡିକାଲରେ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍‌ କରାଯିବ। ଛତ୍ରଛାତ୍ରୀ ହଷ୍ଟେଲରେ ରହି ଏହି ତାଲିମ ନେଇପାରିବେ। ତାଲିମ ପରେ ଯୁବକ ଯୁବତୀଙ୍କ ପାଇଁ ଶତ ପ୍ର୍ରତିଶତ ନିଯୁକ୍ତି ସୁଯୋଗ ରହିଛି। ଏହାକୁ ପାଇଲଟ୍‌ ପ୍ରକଳ୍ପ ଭାବେ ଗ୍ରହଣ କରାଯିବ।

ଯୁବଗୋଷ୍ଠୀଙ୍କୁ ମିଳିବ ଅନ୍ତର୍ଜାତୀୟମାନର ତାଲିମ
ବର୍ଷକୁ ୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ପଞ୍ଚକର୍ମ ତାଲିମ
ରାଜ୍ୟର ୨୦ଟି ଏସ୍‌ଡିସିରେ ହେବ ହଷ୍ଟେଲ

ଓଏସ୍‌ଡିଏ କାର୍ଯ୍ୟକାରୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏ ବିଷୟରେ ଆୟୁଷ ନିର୍ଦେଶକଙ୍କ ମତାମତ ନିଆଯିବ। ଏହି ପାଠ୍ୟକ୍ରମରେ କିଭଳି ନିଯୁକ୍ତି ସୁଯୋଗ ରହିଛି ତାହା ଉପରେ ବାହାର ରାଜ୍ୟରେ ଥିବା ପାଠ୍ୟକ୍ରମ ଉପରେ ବିଚାରବିମର୍ସ ହେବ। ଏହାପରେ ପରବର୍ତୀ ବୈଠକରେ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ଟାଟା ପ୍ରୋଜେକ୍ଟସ୍‌ କମ୍ୟୁନିଟି ଡେଭଲେପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ବାର ବାଇଣ୍ଡିଂ, ଫର୍ମଓ୍ଵାର୍କ କାରପେଣ୍ଟ୍ରି, ଟାଓ୍ଵାର ଇରେକ୍ସନ, ଥ୍ରିଜି େଓ୍ଵଲଡିଂ ବିଷୟରେ ତାଲିମ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ମାଧ୍ୟମରେ ପ୍ରତିବର୍ଷ ୫୦୦ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ବୈଠକରେ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଟ୍ରଷ୍ଟର ଅନୁରୋଧ କ୍ରମେ କୋରାପୁଟ ଏସ୍‌ଡିସିରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ଭଡ଼ା ଦେବା ସହ ପାଣି, ବିଜୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ରକ୍ଷଣାବେକ୍ଷଣ ଲାଗି ଅର୍ଥ ପ୍ରଦାନ କରିବ।

ସମ୍ବନ୍ଧିତ ଖବର