ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ମଚାରୀ ସେବା ସଂଘ ଧାରଣା ୬ ଦିନରେ

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବି ନେଇ ଗତ ୪ତାରିଖରୁ ଲୋୟର ପିଏମ୍‌ଜରେ ଧାରଣାରେ ବସିଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) କର୍ମଚାରୀ ସେବା ସଂଘର ଧାରଣା ୬ଦିନରେ ପହଞ୍ଚିଛି। ୧ ଓ ୨ ତାରିଖରେ ଓପେପା କର୍ମଚାରୀମାନେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ଇତି ମଧ୍ୟରେ ୬ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।

ସଂଘର ପକ୍ଷରୁ କୁହାଯାଇଛି ଯେ ଓପେପା ଅଧୀନରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧୨୦୦ କର୍ମଚାରୀ ସହକାରୀ ନିର୍ଦ୍ଦେଶକ, ବରିଷ୍ଠ ବୈଷୟିକ ପରାମର୍ଶଦାତା, ବିତ୍ତ ଅଧିକାରୀ, ବୈଷୟିକ ପରାମର୍ଶଦାତା, ଅର୍ଥ ପରାମର୍ଶଦାତା, ଶୈକ୍ଷିକ ସଂଯୋଜକ ଭଳି ୧୬ଟି ପଦବିରେ ଦୀର୍ଘ ୨୨ବର୍ଷ ହେଲା କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କୁ ନିୟମିତ କରା‌ଯାଉନି। ପୂର୍ବରୁ ବାର୍ଷିକ ଚୁକ୍ତି ନବୀକରଣ ପ୍ରଥା ବନ୍ଦ କରାଯାଇଥିଲେ ବି ଏହାକୁ ପୁଣି ଲାଗୁ କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଛି। ଏପରିକି ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ୨୦୧୩ରେ ଦାବି ସଂପର୍କରେ ଆଲୋଚନା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଧାରଣାରେ ସଂଘ ସଭାପତି ବିଚିତ୍ରାନନ୍ଦ ଜେନା, ଉପସଭାପତି ସୁଶାନ୍ତ କୁମାର ବେହେରା, ପୁରୁଷୋତ୍ତମ ପ୍ରହରାଜ, ଅଭୟ କୁମାର ରାଉତ, ସାଧାରଣ ସମ୍ପାଦକ ବିଶ୍ବରଂଜନ ଜେନା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ସୂତାର, ପ୍ରସନ୍ନ କୁମାର ସାହୁ, କୋଷାଧ୍ୟକ୍ଷ ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏଭଳି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର