ମୁହାଁମୁହିଁ ହେବେ ଦୁଇ ସରକାରୀ ସଂସ୍ଥା : ଓପିଜିସି ଦରଖାସ୍ତ ଉପରେ ଶୁଣାଣି ଆଜି

ଭୁବନେଶ୍ୱର : ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଲଗାତାର ତିନି ବର୍ଷ ପାଇଁ ଓଡ଼ିଶା ପାଓ୍ଵାର ଜେନେରେସନ୍‌ କର୍ପୋରେସନ୍‌ (ଓପିଜିସି)ର ପ୍ରଥମ ଦୁଇଟି ୟୁନିଟ୍‌ ଲାଗି ବିଦ୍ୟୁତ ଦର ଧାର୍ଯ୍ୟ ନେଇ ସାନି ଶୁଣାଣି ହେବ। ଆସନ୍ତାକାଲି ଠାରୁ ଏହି ଶୁଣାଣି ଆରମ୍ଭ କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦିନ ଧାର୍ଯ୍ୟ କରିଛନ୍ତି। ଗ୍ରିଡ୍‌କୋ ସମେତ ୮ଟି ସଂସ୍ଥାଙ୍କୁ ସେମାନଙ୍କ ପ୍ରତିଜବାବ ଦାଖଲ ପାଇଁ ନୋଟିସ ଜାରି କରାଯାଇଛି। ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ଶୁଣାଣି କରାଯାଉଥିବା ଜଣାପଡିଛି।

ଅନ୍ୟପକ୍ଷରେ ଓପିଜିସି ସୁପ୍ରିମକୋର୍ଟକୁ ଯିବା ଓ ଆସନ୍ତାକାଲି ଶୁଣାଣି ବେଳେ ଗ୍ରିଡ୍‌କୋ ପ୍ରତିଜବାବ ଦେବା ଲାଗି ନୋଟିସ ଦେବାକୁ ଆୟୋଗଙ୍କ ନିର୍ଦେଶନାମା ବୁଦ୍ଧିଜୀବୀ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କଲାଣି। ସରକାରଙ୍କ ବିରୋଧରେ ସରକାରଙ୍କ ଲଢେଇର ପରିଣାମ କଣ ହେବ, ତାକୁ ନେଇ ଏହି ଉତ୍ସୁକତା ପ୍ରକାଶ ପାଇଛି।

ଶ୍ରମିକ ନେତା ରମେଶ ଚନ୍ଦ୍ର ଶତପଥୀଙ୍କର କହିବା କଥା ହେଉଛି, ଓଡ଼ିଶା ପାଓ୍ଵାର ଜେନେରେସନ୍‌ କର୍ପୋରେସନ୍‌ରେ ରାଜ୍ୟ ସରକାରଙ୍କର ୫୧% ଅଂଶଧନ ରହିଛି। ବାକି ୪୯% ଏଇଏସ୍‌ର। କେବଳ ସେତିକି ନୁହେଁ, ଓପିଜିସିର ଅଧ୍ୟକ୍ଷ ହେଉଛନ୍ତି ହେମନ୍ତ ଶର୍ମା, ଯିଏ କି ରାଜ୍ୟ ଶକ୍ତି ବିଭାଗର ମଧ୍ୟ ସଚିବ। ସରକାରଙ୍କ ଶକ୍ତି ବିଭାଗ ଦାୟିତ୍ୱରେ ଥାଇ ସଚିବ ଗୋଟିଏ ପଟେ ଆୟୋଗର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। କୋର୍ଟ ବିଦ୍ୟୁତ ଦର ସାନି ମୂଲ୍ୟାୟନ ନେଇ ନିର୍ଦେଶ ଦେବା ପରେ ପୁଣି ଥରେ ଓପିଜିିସି ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି।

ଏପଟେ ଗ୍ରିଡ୍‌କୋ କ୍ଷତିଗ୍ରସ୍ତ ସଂସ୍ଥା ହିସାବରେ ଓପିିଜିସିର ଦର ବୃଦ୍ଧିକୁ ବିରୋଧ କରିବ, ତାହା ପୁଣି ଖୋଦ୍‌ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ କୋର୍ଟରେ। ଗ୍ରିଡ୍‌କୋର ମୁଖ୍ୟ ହେଉଛନ୍ତି, ହେମନ୍ତ ଶର୍ମା ଅର୍ଥାତ୍‌ ଶକ୍ତି ସଚିବ। ଉଭୟ ପଟରେ ଜଣେ ଅଧିକାରୀ କିଭଳି ଲଢିବେ ଓ ରାଜ୍ୟ ସରକାର ତଥା ଉପଭୋକ୍ତାଙ୍କ ସ୍ୱାର୍ଥ କେତେଦୂର ସୁରକ୍ଷିତ ରହିବ, ତାହା ଦେଖିବା କଥା।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ରାଜ୍ୟ ସରକାରଙ୍କ ଗ୍ରୀଡ୍‌କୋ ବିଦ୍ୟୁତ କିଣିବ ଓ ସରକାରୀ ସଂସ୍ଥା ଓପିଜିସି ବିଦ୍ୟୁତ ବିକ୍ରି କରିବ। ଉଭୟ କ୍ଷେତ୍ରରେ ସରକାର ସଂପୃକ୍ତ ଅଛନ୍ତି। କିନ୍ତୁ ଏହି ମାମଲାରେ ଉଭୟ ସାଧାରଣ ଉପଭୋକ୍ତାଙ୍କୁ ନଜରରେ ରଖି ନିଜର ଦାବି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି।

ଉଲ୍ଲେଖଥାଉକି, ବିଦ୍ୟୁତ ଦର ଧାର୍ଯ୍ୟ ନେଇ ହୋଇଥିବା ଶୁଣାଣି ପ୍ରକ୍ରିୟାରେ ଅନ୍ୟସବୁ ସଂସ୍ଥାକୁ ଆୟୋଗ ଯେଭଳି ଶୁଣି ଦର ଧାର୍ଯ୍ୟ କରୁଛନ୍ତି, ଓପିଜିସିକୁ ମଧ୍ୟ ଅନୁରୂପ ଢଙ୍ଗରେ ଶୁଣାଯାଇଥିଲା। ମାତ୍ର ପାଓ୍ଵାର ପର୍ଚେଜ୍‌ ଏଗ୍ରିମେଣ୍ଟ ଅନୁସାରେ ଦର ଧାର୍ଯ୍ୟ ଉପରେ ଓପିଜିସି ଗୁରୁତ୍ୱାରୋପ କରିଥିଲା। ଏଣୁ ଆୟୋଗଙ୍କ ଏହି ନିଷ୍ପତ୍ତି ବିରୋଧରେ ସଂପୃକ୍ତ ସଂସ୍ଥା କୋର୍ଟକୁ ଯାଇଥିଲେ।

ସମ୍ବନ୍ଧିତ ଖବର