୨ରୁ କଳାବ୍ୟାଜ୍‌ ପିନ୍ଧିବେ ଓପିଜିସି କର୍ମଚାରୀ

ଭୁବନେଶ୍ବର : ପରିଚାଳନା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଦାବି ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଓପିଜିସି କର୍ମଚାରୀମାନେ ଦୁଇ ତାରିଖଠାରୁ କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନ ଆରମ୍ଭ କରି‌ବେ। ଏ ନେଇ ଶକ୍ତି ସଚିବଙ୍କୁ ସଂଘ ଲିଖିତ ଭାବେ ଅବଗତ କରାଇଛି। ଅକ୍ଟୋବର ୨୨ ତାରିଖରୁ ଆନ୍ଦୋଳନ କରିବା ପାଇଁ ସଂଘ ସ୍ଥିର କରିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ୩୧ ସୁଦ୍ଧା ଦାବି ପୂରଣ ନ ହେଲେ ୨ ତାରିଖରୁ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ ନେଇ ସଂଘର ସଭାପତି ବୀରେନ୍ଦ୍ର ସାହ, ସାଧାରଣ ସମ୍ପାଦକ ଧରଣୀଧର ବେହେରା, ଉପସଭାପତି ଗତିକୃଷ୍ଣ ପଣ୍ଡା ଓ କୃଷ୍ଣଚନ୍ଦ୍ର ସାମନ୍ତରାୟ, ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମିଶ୍ର ଓ ସୌରଭ ମଙ୍ଗରାଜ ପ୍ରମୁଖ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ମନ୍ତ୍ରୀ, ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ(ଅପରେସନାଲ), ସିଇଓ ପ୍ରମୁଖଙ୍କୁ ଅବଗତ କରାଇଛନ୍ତି। ସଂଘ ଦାବି କରୁଥିବା ୧୦ ଦଫା ଦାବି ମଧ୍ୟରୁ ୭ମ ବେତନ କମିସନ ଲାଗୁ, ସମାନ କାମକୁ ସମାନ ଦରମା, ସମ୍ବଳ ଭାଗୀଦାରି ବନ୍ଦ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ହଟାଇବା, ୟୁଏଲ୍‌ ଓ ଗ୍ରାଚୁଇଟି ନେଇ ରହିଥିବା ସରକାରୀ ନିୟମ ଉଲ୍ଲଂଘନ ନ ହେବା, ଓପିଜିସି ଓ ଏମ୍‌ବିଏସ୍‌ କ୍ୟାଡର୍‌ ପ୍ରମୋସନ୍‌ରେ ସମାନୁପାତିତା ବଜାୟ ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦେବା ସହ ସାଇଟ୍‌ ଭତ୍ତା ପ୍ରଦାନ ପ୍ରଦାନ ଆଦି ରହିଛି।

ସମ୍ବନ୍ଧିତ ଖବର