ଓପିଜିସି ଅଧିକାରୀଙ୍କ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ: ସୌମ୍ୟରଞ୍ଜନ

ଇବ୍‌ଥର୍ମାଲ : ଓଡ଼ିଆ ଇଞ୍ଜିନିୟରମାନେ ହିଁ ନିଜ କାର୍ଯ୍ୟଦକ୍ଷତା ବଳରେ ଓପିଜିସିକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପରେ ଏବେ ଏହାର ତୃତୀୟ ଓ ଚତୁର୍ଥ ୟୁନିଟ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ଏହି ଲାଭଦାୟକ ସଂସ୍ଥାର ଅଧିକାରୀ ଓ ଯନ୍ତ୍ରୀମାନେ ଏବେ ବିଭିନ୍ନ ଦୃଷ୍ଟିରୁ ଅବହେଳିତ ହୋଇ ରହିଛନ୍ତି। ସେମାନଙ୍କ ସମସ୍ୟା ସଂପର୍କରେ ପୂର୍ବରୁ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ତେଣୁ ଏଥର ଏ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଓପିଜିସି ଅଫିସର୍ସ ଆସୋସିଏସନ ମୁଖ୍ୟ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଇବ୍‌ କ୍ଲବ୍‌ଠାରେ ରବିବାର ଉପଦେଷ୍ଟା ଧନଞ୍ଜୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏଠାରେ ଏକ ବର୍ଣ୍ଣବୈଷମ୍ୟବାଦ ଭଳି ପରମ୍ପରା ସୃଷ୍ଟି ହୋଇଛି। ଯେଉଁ ଅଫିସରମାନେ ଏଠାରେ ଦୀର୍ଘ ୨୫ ବର୍ଷ କାଳ କାର୍ଯ୍ୟ କାରି ଆସିଛନ୍ତି ସେମାନଙ୍କୁ ସମସ୍ୟା ଭିତରକୁ ଠେଲି ଦିଆଯାଉଛି। ଓପିଜିିସି ଭଳି ଏକନମ୍ବର ସରକାରୀ ଅନୁଷ୍ଠାନରେ ଅଧିକାରୀ ଓ କର୍ମଚାରୀମାନେ ସପ୍ତମ ବେତନ କମିସନଙ୍କ ସୁପାରିସ୍‌ରୁ ବଂଚିତ ହେବା କଥା ନୁହେଁ। ସମାନ କାମକୁ ସମାନ ଦରମା ଦାବି ଯଥାର୍ଥ ଓ ଯୁକ୍ତିଯୁକ୍ତ ଅଟେ ବୋଲି ସେ କହିଥିଲେ। ଅଧିକାରୀମାନଙ୍କ ସମସ୍ତ ଦାବିଗୁଡ଼ିକୁ ଦୁଇ ଭାଗ କରାଯାଉ ବୋଲି ପରାମର୍ଶ ଦେଇଥିଲେ। ମୌଳିକ ଦାବିଗୁଡ଼ିକ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ।

ରାଜ୍ୟସଭା ସାଂସଦ ହେବା ପରେ ସେ ପ୍ରଥମ କରି ଇବ୍‌ଥର୍ମାଲ ଓ ବନହରପାଲି ଆସିଥିବାରୁ ଅଫିସର୍ସ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ସଭା ପ୍ରାରମ୍ଭରେ ସଂଗଠନର ସଂପାଦକ ଧରଣୀଧର ବେହେରା ସଂଘର ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସଂଗଠନ ସଭାପତି ବୀରେନ୍ଦ୍ର ସାହା, ଉପସଭାପତି ଗତିକୃଷ୍ଣ ପଣ୍ଡା, ପରାମର୍ଶଦାତା ବାବା ମହାନ୍ତି, ବିଜୟ ମିଶ୍ର, ସଦସ୍ୟ ମହାବୀର ପଣ୍ଡା, ଏ.କେ ନନ୍ଦ, ସନ୍ତୋଷ ନାଏକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର