ଭୁବନେଶ୍ୱର ‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବାଣୀବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହା ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ ‘ଜୟୀ ରାଜଗୁରୁ ଜନପଥ’ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ଏହି ଦାବି ଉଠାଇଛନ୍ତି।

ଆସନ୍ତା ଅକ୍ଟୋବର ୨୯ରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡୁଛି। ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ।

ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡିଶାର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କର ଲଢେଇ ଏକ ସମ୍ପୂର୍ଣ୍ଣ ଜନ ଆନ୍ଦୋଳନ ଥିଲା। ତାଙ୍କ ଭଳି ଜଣେ ମହାନ ଦେଶଭକ୍ତ, ସାହସୀ, ଯୋଦ୍ଧା, ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ ଭାବେ ସମ୍ମାନ ଦେଉ ନାହୁଁ। ସ୍କୁଲ, କଲେଜର ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସୀମିତ ହୋଇଯାଇଛନ୍ତି। ଓଡିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶି ଜାଣିନାହାନ୍ତି। ତାଙ୍କୁ ଉଚିତ ସମ୍ମାନ ଦେବାର ସମୟ ଆସିଛି। ଦେଶ ମାତୃକାରେ ସେବାରେ ସମର୍ପିତ ତାଙ୍କ ଜୀବନ ବିଷୟରେ ଗବେଷଣା କରିବାର। ଜୟୀ ରାଜଗୁରୁଙ୍କ ବୀରତ୍ୱର କାହାଣୀ ସାରା ଦୁନିଆକୁ ଜଣାଇବାର ସମୟ ଆସିଛି।

ଓଡିଶାର କୌଣସି ବଡ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ। ସ୍କୁଲ, କଲେଜ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢାଯାଉ। ପୂଜ୍ୟ ପୁଜାର ସମ୍ମାନ ସବୁବେଳେ ଭାରତୀୟ ଜନତା ପାର୍ଟି କରିଆସିଛି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଆଦି ସମସ୍ତେ ଆମର ନମସ୍ୟ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର