ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖି ଚାଷୀଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ପ୍ରସଙ୍ଗରେ ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସାରା ଚାଷୀମାନେ ଏହି ପ୍ରସଙ୍ଗ ନେଇ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ଯଥାର୍ଥ। ରାଜ୍ୟ ସରକାର କହିଛନ୍ତି, ଧାନର କ୍ବିଣ୍ଟାଲ୍‌ ପିଛା ଉତ୍ପାଦନ ଖର୍ଚ ୨୩୪୪ ଟଙ୍କା। ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ ଧାନର କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ୩୫୧୬ ଟଙ୍କା ହେବା କଥା। ଧାନର କ୍ବିଣ୍ଟାଲ୍‌ ପିଛା ଏମ୍‌ଏସ୍‌ପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ଗୃହ କମିଟିର ସଂକଳ୍ପ ବିଧାନସଭାରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଧାନର କ୍ବିଣ୍ଟାଲ୍‌ ପିଛା ଏମ୍‌ଏସ୍‌ପି ୧୭୫୦ ଟଙ୍କା ଘୋଷଣା କରିଛନ୍ତି। ଏହା ରାଜ୍ୟର ଚାଷୀଙ୍କ ଉତ୍ପାଦିତ ଖର୍ଚରୁ କମ୍‌ ବୋଲି ସେ ଦର୍ଶାଇଛନ୍ତି।

ସମାଜର ସବୁବର୍ଗର ଲୋକଙ୍କୁ ପେନ୍‌ସନ୍‌ ସୁବିଧା ମିଳୁଥିବା ଦର୍ଶାଇ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ ଏ କ୍ଷେତ୍ରରେ ଚାଷୀମାନେ କାହିଁକି ବଞ୍ଚିତ ହେବେ। ଚାଷୀମାନେ ୬୦ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପେନ୍‌ସନ୍‌ ପାଇବା ଉଚିତ। ସେହିଭଳି ରାଜଧାନୀ ଭୁବନେଶ୍ବରକୁ ଆସୁଥିବା ଚାଷୀଙ୍କ ବିରୁଦ୍ଧରେ ବଳପ୍ରୟୋଗ ଅତ୍ୟନ୍ତ ଅଗଣତାନ୍ତ୍ରିକ।

ରାଜ୍ୟରେ ଜଳସେଚନ ସଂପର୍କିତ ସରକାରୀ ପରିସଂଖ୍ୟାନ ଆଦୌ ଗ୍ରହଣୀୟ ନୁହେଁ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ  ପ୍ରଦତ୍ତ ଉତ୍ତର ଅନୁଯାୟୀ କଟକ ଓ ପୁରୀ ଜିଲ୍ଲାରେ ଯେତେ ପରିମାଣର ଜମି ରହିଛି, ତା’ଠାରୁ ଅଧିକ ଜମିକୁ ଜଳସେଚିତ କରାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଜଳସେଚନ ସୁବିଧା ନାହିଁ। ଫଳରେ ମରୁଡ଼ି ପରିସ୍ଥିତି ଉପୁଜୁଛି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ଜଳସେଚନ କ୍ଷମତା ପ୍ରାୟତଃ ବୃଦ୍ଧି ପାଇନାହିଁ। ଗତବର୍ଷରେ ବୀମାଭୁକ୍ତ ହୋଇଥିବା ଚାଷୀମାନେ ବର୍ତମାନ ସୁଦ୍ଧା ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି। ଘରୋଇ ବୀମା କମ୍ପାନି ଚାଷୀଙ୍କୁ ଠକିଛି।

 

ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହାନ୍ତି। ଫଳରେ ‌େସମାନେ କମ୍‌ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କର ନିରାପତ୍ତା ଓ ଜୀବିକା ଯେପରି  ସୁରକ୍ଷିତ ରହିବ ସେ ନେଇ ରାଜ୍ୟପାଳ ହସ୍ତକ୍ଷେପ କରିବା ଲାଗି ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର