ଯୋଗାଣ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ

ସୂର୍ଯ୍ୟ ପାତ୍ର ହାଏ...ହାଏ... ରେ କମ୍ପିଲା ଗୃହ

କ୍ଷମା ମାଗିବା ଲାଗି ଅଡ଼ି ବସିଲେ, ଦିନତମାମ ଲାଗି ରହିଲା ଅଚଳାବସ୍ଥା

ଭୁବନେଶ୍ୱର : ସୂର୍ଯ୍ୟ ପାତ୍ର ହାଏ…ହାଏ…। ଧାନ କିଣା ଟଙ୍କା ଖାଇଲା କିଏ…ସୂର୍ଯ୍ୟ ପାତ୍ର ଆଉ କିଏ। ଯୋଗାଣ ମନ୍ତ୍ରୀ ହାଏ…ହାଏ…। ରାଜ୍ୟ ସରକାର…ମିଲ୍‌ ମାଲିକ ଅସାଧୁ ମେଣ୍ଟ ଚଳିବ ନାହିଁ…। ଚାଷୀଙ୍କୁ ଶୋଷଣ ବନ୍ଦ କର…ବନ୍ଦ କର…।

ଏମିତି ନାରାରେ ଆଜି କମ୍ପିଥିଲା ବିଧାନସଭା ଗୃହ। ବିରୋଧୀ କଂଗ୍ରେସ ଓ ବିଜେପି ଉଭୟ ନାରା ଲଗାଇଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ, ପୁଣି ଅପରାହ୍ନରେ ଗୃହରେ ହୋହଲ୍ଲା ହେଲା। ଦିନତମାମ ଗୃହରେ ଅସ୍ୱାଭାବିକ ସ୍ଥିତି ହେଲା। ଶେଷରେ ସୂର୍ଯ୍ୟଙ୍କୁ ନେଇ ଖପ୍ପା ବିରୋଧୀ କକ୍ଷତ୍ୟାଗ କଲେ। ସେମାନଙ୍କ ଅନୁପସ୍ଥିତିରେ ବିଲ୍‌ ପାସ୍‌ ହେଲା।

ଦୁଇ ଦିନ ହେଲା ଧାନ କିଣାରେ ମହାଦୁର୍ନୀତିକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସମାନ ପ୍ରସଙ୍ଗକୁ ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ଉଭୟ କଂଗ୍ରେସ ଓ ବିଜେପି ଗୃହରେ ହୋହଲ୍ଲା ଜାରି ରଖିଥିଲେ। କିନ୍ତୁ ଗତକାଲି ଗୃହ ବାହାରେ ବିରୋଧୀଙ୍କ ପ୍ରସଙ୍ଗ କ’ଣ ବୁଝାପଡ଼ୁନି ବୋଲି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ। ଏହା ସହ ଧାନ କିଣା କିପରି ଚାଲିଛି, ତାହା ଉପରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିଥିଲେ।

ଆଜି ପୂର୍ବାହ୍ନ ୧୦ଟା ୩୦ରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ। ଗୃହ ଚାଲିଥିଲା ବେଳେ ଯୋଗାଣ ମନ୍ତ୍ରୀ ଗୃହ ବାହାରେ କାହିଁକି ବିବୃତି ଦେଲେ ବୋଲି ପ୍ରଶ୍ନ କରିଥିଲେ। ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋହଲ୍ଲା କଲେ। ରାଜ୍ୟ ସରକାର ଓ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କଲେ। ଫଳରେ ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ରଖିଲେ।

୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗତକାଲି ଯୋଗାଣ ମନ୍ତ୍ରୀ ଗୃହ ବାହାରେ ଗଣମାଧ୍ୟମରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବିରୋଧୀ ଦଳ କ’ଣ କହୁଛନ୍ତି, ସେ ବୁଝିପାରୁନାହାନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ସେ ବିରୋଧୀ ଦଳକୁ ବାହାରେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ଟିଭିରେ ମୁହଁ ଦେଖାଇବାକୁ ଏମିତି କରୁଛନ୍ତି ବୋଲି ଆରୋପ ଲଗାଇଛନ୍ତି। ପୁଣି ଧାନ କିଣା ପ୍ରସଙ୍ଗରେ ନିଜ ମନ୍ତବ୍ୟ ବି ଦେଇଛନ୍ତି। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଗୃହ ଚାଲିଛି, ଆମର ଅଧିକାର ଅଛି ରାଜ୍ୟର ପ୍ରସଙ୍ଗ ଉଠାଇବା ପାଇଁ। ଦୁଇ ଦିନ ହେଲା ଆମେ ଧାନ କିଣା କଥା କହୁଛୁ। କିନ୍ତୁ ମନ୍ତ୍ରୀ ବୁଝିପାରିଲେନି କେମିତି। ଗୃହ କାର୍ଯ୍ୟାବଳୀରେ ତାଲିକାଭୁକ୍ତ ହୋଇ ନ ଥିଲେ ବି ମନ୍ତ୍ରୀ ବିବୃତି ଦେବାରେ କିଛି ଅସୁବିଧା ନ ଥିଲା। କିନ୍ତୁ ଗୃହ ଚାଲିଥିଲା ବେଳେ ବାହାରେ କହିବା ନିଶ୍ଚିତ ଭାବେ ଲଜ୍ଜାଜନକ। ଆହୁରି ମଧ୍ୟ ଧାନ କ୍ୱିଣ୍ଟାଲ୍‌ ପିଛା ୫-୧୦ କେଜି କଟାଯାଉଛି ବୋଲି ଯୋଗାଣ ମନ୍ତ୍ରୀ ମାନିଛନ୍ତି। ତେଣୁ ମହାଦୁର୍ନୀତିର ଅଭିଯୋଗ ନିଶ୍ଚିତ ପ୍ରମାଣିତ ହୋଇଛି। ଶାସକ ଦଳକୁ କଡ଼ା ଭାଷାରେ ସମାଲୋଚନା କରି ବିରୋଧୀ ଦଳ ନେତା କହିଲେ, ଯଦି ବିରୋଧୀ ଦଳ ଟିଭିରେ ମୁହଁ ଦେଖାଇବାକୁ ଗୃହରେ ପ୍ରତିବାଦ କରୁଛନ୍ତି, ତେବେ ଶାସକ ଦଳ ଯେତେବେଳେ ପ୍ରତିବାଦ କରୁଛନ୍ତି ସେମାନେ କ’ଣ କଳା କପଡ଼ା ଘୋଡ଼ାଉଛନ୍ତି ? ବର୍ତ୍ତମାନ ଆମେ ଯେଉଁ ପ୍ରତିବାଦ କରୁଛୁ, ତାହା କେଉଁ ଟିଭିରେ ଦେଖାଯାଉଛି ?

ଯୋଗାଣ ମନ୍ତ୍ରୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ। ନଚେତ ବିରୋଧୀ ଦଳ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ମିଶ୍ର ରୋକ୍‌ଠୋକ୍‌ ଜଣାଇଦେଇଥିଲେ। ଆମେ ଏଠାରେ କିଛି କହିବୁ ଓ ବାହାରେ ମନ୍ତ୍ରୀଙ୍କ ଠାରୁ ଗାଳି ଶୁଣିବୁ, ତାହା ହୋଇପାରିବ ନାହିଁ ବୋଲି ସେ କହିଥିଲେ।

ଏହା ପରେ ବାଚସ୍ପତି ବିବୃତି ରଖିବାକୁ ଯୋଗାଣ ମନ୍ତ୍ରୀଙ୍କୁ ଡାକିଥିଲେ। କିନ୍ତୁ ମନ୍ତ୍ରୀ କ୍ଷମା ମାଗିବା ଦାବିରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଚିତ୍କାର କରି ନାରାବାଜି କରିଥିଲେ। ବିଜେପି ସଭ୍ୟ ରବି ନାଏକ ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ଏମିତି ହୋହଲ୍ଲା ଭିତରେ ମନ୍ତ୍ରୀ ତାଙ୍କ ଲିଖିତ ବିବୃତି ପଢ଼ିଥିଲେ। ତାହା ପରେ ମୁଲତବୀ ଆଲୋଚନା ଥିବାରୁ ବାଚସ୍ପତି ନିଜ ନିଜ ଆସନକୁ ଫେରିଯିବା ପାଇଁ ବିରୋଧୀ ସଭ୍ୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ମନ୍ତ୍ରୀ କ୍ଷମା ମାଗିବା ଜିଦିରେ ଅଟଳ ରହିଥିଲେ। ଫଳରେ ୧୨ଟା ୧୫ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଲେ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୁଣି ସେହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ମନ୍ତ୍ରୀ ଗୃହ ବାହାରେ ଯାହା କହିଛନ୍ତି ସେଥି ପାଇଁ ଦୁଃଖପ୍ରକାଶ କରିବା ଉଚିତ। ମନ୍ତ୍ରୀ ଗୃହ ଭିତରେ ନ କହି ବାହାରେ କହି ଗଣତନ୍ତ୍ରର ଗାରିମା ଭାଙ୍ଗିଛନ୍ତି। ସଂସଦର ନିୟମାବଳୀକୁ ମାନି ନାହାନ୍ତି। ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି। ଚାଷୀମାନେ ଦୁର୍ଦ୍ଦଶାର ଶିକାର ହେଉଛି। ଆମେ ଏହି କଥା ଗୃହରେ ଉଠାଉଛୁ। କିନ୍ତୁ ସରକାର ଆମ କଥା ଶୁଣୁ ନାହାନ୍ତି। ଆମେ ଆଉ ନିରବ ଦର୍ଶକ ହୋଇ ବସିପାରିବୁ ନାହିଁ। ବାଚସ୍ପତି ରୁଲିଂ ଦିଅନ୍ତୁ। ଏହା ପରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କଲେ। ୩ଟା ୧୫ରେ ବାଚସ୍ପତି ଗୃହକୁ ୩୦ ମିନିଟ୍‌ ପାଇଁ ମୁଲତବୀ ରଖିଲେ। ୩ଟା ୪୫ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସିଧାସଳଖ ପବ୍ଲିକ୍‌ ହେଲ୍‌ଥ୍‌ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରିବାକୁ ଘୋଷଣା କଲେ। ଏହା ବିରୋଧୀ ଦଳ ସଭ୍ୟଙ୍କ ଅସନ୍ତୋଷ ବଢାଇ ଦେଇଥିଲା। କଂଗ୍ରେସ ସଭ୍ୟମାନେ ସିଧାସଳଖ କକ୍ଷତ୍ୟାଗ କରି ବାହାରକୁ ଚାଲିଗଲେ। ବିଜେପି ସଭ୍ୟମାନେ କକ୍ଷତ୍ୟାଗ କଲେ। ତାହା ପରେ ବିରୋଧୀଙ୍କ ଅନୁପସ୍ଥିତିରେ ବିଲ୍‌ ଆଲୋଚନା ହୋଇ ଗୃହୀତ ହେଲା।

ନିରୋଳା ଚାଷରୁ ଚାଷୀର ଆୟ ୧୪୦୭ ଟଙ୍କା

ଭୁବନେଶ୍ୱର : ନିରୋଳା ଚାଷରୁ ଓଡ଼ିଶାରେ ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ମାତ୍ର ୧୪୦୭ ଟଙ୍କା। ଅନ୍ୟାନ୍ୟ ରୋଜଗାରକୁ ମିଶାଇଲେ ଆମ ରାଜ୍ୟର ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ୪୯୭୬ ଟଙ୍କା। ଚାଷୀ ପରିବାରର ମାସିକ ଆୟ ପରିମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲୀପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜାତୀୟ ନମୁନା ସର୍ବେକ୍ଷଣ ୭୦ତମ ପରିକ୍ରମାର ଆକଳନ ଆଧାରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ। ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ନିରୋଳା ଚାଷରୁ ପ୍ରତି ଚାଷୀ ପରିବାରର ମାସିକ ହାରାହାରି ଆୟ ପଞ୍ଜାବରେ ୧୦,୮୬୨ ଟଙ୍କା ଥିବା ବେଳେ ଏହା ହରିଆନାରେ ୭,୮୬୭, ମହାରାଷ୍ଟ୍ରରେ ୩,୮୫୬, କେରଳରେ ୩,୫୩୧, ରାଜସ୍ଥାନରେ ୩,୧୩୮ ଓ ଗୁଜରାଟରେ ୨,୯୩୩ ଟଙ୍କା ରହିଛି। ସର୍ବଭାରତୀୟ ସ୍ତରରେ ନିରୋଳା ଚାଷରୁ ଚାଷୀ ପରିବାରର ମାସିକ ହାରାହାରି ଆୟ ୩,୦୮୧ ଟଙ୍କା ଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ଢେର୍‌ ପଛରେ ପଡ଼ିଛି।

ନିରୋଳା ଚାଷ ସମେତ ଅନ୍ୟାନ୍ୟ ସୂତ୍ରରୁ ପ୍ରତି ଚାଷୀ ପରିବାରର ମାସିକ ହାରାହାରି ଆୟ ପଞ୍ଜାବରେ ୧୮,୦୫୯ ଟଙ୍କା ଥିବା ବେଳେ ଏହାର ପରିମାଣ ହରିଆନାରେ ୧୪,୪୩୪, କେରଳରେ ୧୧,୮୮୮, ଗୁଜରାଟରେ ୭,୯୨୬, ମହାରାଷ୍ଟ୍ରରେ ୭,୩୮୬, ରାଜସ୍ଥାନରେ ୭,୩୫୦ ଓ ତାମିଲନାଡ଼ୁରେ ୬,୯୮୦ ଟଙ୍କା ରହିଛି। ସର୍ବଭାରତୀୟ ସ୍ତରରେ ଏହି ପରିମାଣ ୬,୪୨୬ ଟଙ୍କା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର