ବିଧାନସଭାରେ ମନ୍ତ୍ରୀ ମରୁଡି: ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ

ଭୁବନେଶ୍ୱର: ପାଟକୁରା ଉପନିର୍ବାଚନ ତାତି ଆଜି ବିଧାନସଭାରେ ଦେଖିବାକୁ ମିଳିଛି। ମନ୍ତ୍ରୀ ଓ ବିଧାୟକମାନେ ପାଟକୁରାରେ ନିର୍ବାଚନ ପ୍ରଚାର ପାଇଁ ଡେରା ପକାଇଛନ୍ତି। ତେଣୁ ବିଧାନସଭାରେ ମନ୍ତ୍ରୀ ମରୁଡି ଦେଖାଦେଇଛି। ଭାରପ୍ରାପ୍ତ ମନ୍ତ୍ରୀମାନେ ସଂପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ଅନୁପସ୍ଥିତିରେ ଉତ୍ତର ରଖୁଛନ୍ତି। ଏଥିପାଇଁ ଆଜି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରି ଗୃହରେ ହଟ୍ଟଗୋଳ କରିବାରୁ ଗୃହର କାର୍ଯ୍ୟ ବାରମ୍ବାର ମୁଲତବୀ ରଖିବାକୁ ପଡିଥିଲା। ବିଧାନସଭା ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାସ୍ନତି ସୂର୍ଯ୍ୟନାରାୟଣ ପାତ୍ର ମୁଲତବୀ ରଖିଛନ୍ତି।

ଆଜି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁପସ୍ଥତିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଦଳରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ତରଫରୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଉତ୍ତର ରଖିଥିଲେ।

ମନ୍ତ୍ରୀ ମରୁଡି ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହର କାର୍ଯ୍ୟ ୧୫ ମିନିଟ ଲେଖାଏଁ ଦୁଇ ଥର ଓ ଶେଷରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉତ୍‌ଥାପନ କରି ‘‘ଯଦି ଦୁଇ ଜଣ ମନ୍ତ୍ରୀଙ୍କୁ ନେଇ କାମ ଚଳିଯାଉଛି,ତେବେ ସରକାର କାହିଁକି ବିଧାନସଭାର ୧୫ ପ୍ରତିଶତ ସଭ୍ୟଙ୍କୁ ମନ୍ତ୍ରୀ ରଖିଛନ୍ତି।’’ ବୋଲି ପ୍ରଶ୍ନ କରିଥିଲେ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଥିଲେ ପାଟକୁରାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବାର୍ଦ୍ଧକ୍ୟ ଭତ୍ତା ଓ ପିଡିଏସ୍‌ ଚାଉଳ ବଣ୍ଟା ଯାଇଛି। ଏହା ୧୫ ତାରିଖ ପୂର୍ବରୁ ଦିଆଯିବାର ଥିଲା। ବିଜୁ ପଟ୍ଟନାୟକ କୌଣସି ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇ ନ ଥିଲେ। ମାତ୍ର ନବୀନ ପଟ୍ଟନାୟକ ଯାଉଛନ୍ତି। ଏହା କ’ଣ ବିଜୁ ବାବୁଙ୍କ ଆଦର୍ଶ ବୋଲି ସେ ପ୍ରଶ୍ନ କରିଥିଲେ। ପରେ ବିରୋଧୀ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ ଏବଂ ଏଥିପାଇଁ ଗୃହର କାର୍ଯ୍ୟ ତିନିଥର ମୁଲତବୀ ରଖିବାକୁ ବାଚସ୍ପତି ବାଧ୍ୟ ହୋଇଥିଲେ।

ତେବେ ବିଧାନସଭା ଏଭଳି ଅବସ୍ଥା ଆଜି କି କାଲି ନୁହେଁ ବରଂ ଗତ ତିନି ଦିନ ହେଲା ମନ୍ତ୍ରୀଙ୍କ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳୁଛି । ଗୃହକୁ ଆସୁନାହାନ୍ତି ଅଧାରୁ ଅଧିକ ବିଧାୟକ । ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର ଓ ଖର୍ଚ୍ଚଦାବି ଆଲୋଚନା ରହୁଛି, ସେମାନେ ଉପସ୍ଥିତ ରହୁଛନ୍ତି। ଏପରିକି ପାଟକୁରା ନିର୍ବାଚନ ସରିବା ଯାଏ ଗୃହକୁ ମୁଲତବୀ ରଖାଯାଉ ବୋଲି ବିରୋଧୀମାନେ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର