ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ କଳାପଟି ବନ୍ଧା ପ୍ରତିବାଦ, ଗଣଶିକ୍ଷା ବିଭାଗ ପୁସ୍ତିକାରେ ଗାନ୍ଧୀଙ୍କୁ ନେଇ ଭୁଲ୍ ତଥ୍ୟ ପ୍ରକାଶ ଯୋଗୁ ବର୍ଷିଲେ ନରସିଂହ

ଭୁବନେଶ୍ବର : ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦୁଇ ଦିନ ଗୃହକାର୍ଯ୍ୟ ଠିକ ଭାବେ ଚାଲି ପାରି ନଥିବା ବେଳେ ଆଜି କିଛିଟା ସ୍ୱାଭାବିକ ହୋଇଛି ଗୃହ । ତେବେ ଆରମ୍ଭରୁ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଏବଂ ଯାଜପୁର ଏସପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ  ମୁହଁରେ କଳାପଟି ବାନ୍ଧି ବିଜେପି ସଦସ୍ୟ ଗୃହରେ ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶ୍ନଉତ୍ତର କାଳରେ ହୋହଲ୍ଲା କରି ନଥିଲେ । ମାତ୍ର ପରେ  ପୁଣି ଥରେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ହୋହାଲ୍ଲା କରିବାରୁ ଗୃହକୁ ଅଧଘଂଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହା ସହ ବିଧାନସଭାର ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲି ପାରିବ ସେଥିପାଇଁ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ଏପଟେ ପ୍ରଶ୍ନ ଉତ୍ତର ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନେଇ ଉପସ୍ଥାପିତ ହୋଇଥିବା  ଭ୍ରମାତ୍ମକ ତଥ୍ୟ ପ୍ରସଙ୍ଗ ଉଠାଇଥିଲେ  । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣା ବୋଲି ଉଲ୍ଲେଖ ଥିବାରୁ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ପୁସ୍ତିକାରେ ପରିବେଷିତ ଭୂଲ ତଥ୍ୟ ନେଇ ଉଦବେଗ ପ୍ରକାଶ କରିଥିଲେ। ସେପଟେ ବାଚସ୍ପତି ଅଧିକ ସମୟ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ।

ସମ୍ବନ୍ଧିତ ଖବର