ଚାଷୀଙ୍କ ଲୁହରେ ଭାସିଯିବ: ବିରୋଧୀ

ମନ୍ତ୍ରୀ ଓ ବିଧାୟକଙ୍କ ନାମ କାଳିଆ ତାଲିକାରେ, ବିହନ, କୀଟନାଶକ ଓ ସାର ସବୁ ଭେଜାଲ, ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆସିବ ନୂଆ କୃଷି ନୀତି

ଭୁବନେଶ୍ବର : ଦଳୀୟ ଭିତ୍ତିରେ କାଳିଆ ଯୋଜନା ତାଲିକା ପ୍ରସ୍ତୁତ ହୋଇଛି। ପ୍ରକୃତ ଚାଷୀଟିଏ ସହାୟତା ପାଉନି। ଏପରିକି ମନ୍ତ୍ରୀ ଓ ବିଧାୟକଙ୍କ ନାମ କାଳିଆ ଯୋଜନା ହିତାଧିକାରୀ ତାଲିକାରେ ଦେଖିବାକୁ ମିଳୁଛି। ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ବିରୋଧୀ। ଚାଷୀଙ୍କୁ ପ୍ରଦାନ କରାଯାଉଥିବା ବିହନ, କୀଟନାଶକ ଓ ସାର ସବୁଥିରେ ଭେଜାଲ। ଦୀର୍ଘ ୨୦ ବର୍ଷ ଧରି ଶାସନରେ ରହିବା ପରେ ବି ଫୁଲଠୁ ଆରମ୍ଭ କରି ପନିପରିବା ଓ ମାଛ ଅଣ୍ଡା ସବୁଥିପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତାହେଲେ ସ୍ବତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟର ଫାଇଦା କଣ?

ବୁଧବାର ଗୃହରେ କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ କହିଥିଲେ, ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ ଏ ଯାଏ ସରକାର ଗଣି ପାରିନାହାନ୍ତି। ରାଜ୍ୟର ୬୦% ଚାଷୀ ଥିବା ନେଇ କୃଷି ବଜେଟରେ ଦର୍ଶାଯାଇଛି। କିନ୍ତୁ କୃଷି ବିଭାଗର ବାର୍ଷିକ ବିବରଣୀ ରିପୋର୍ଟରେ ୪୫% ବୋଲି ଉଲ୍ଲେଖ ରହିଛି। ବିଜେଡି ଶାସନ କାଳରେ ଏ ରାଜ୍ୟରେ ଚାଷୀ ପ୍ରତାରିତ ହୋଇଆସୁଛି। କାମଧନ୍ଦା ପାଇଁ ଚାଷୀ ପିଲାମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଅଥଚ ସରକାର କୃଷିର ବିକାଶ ହୋଇଛି ବୋଲି ଗୋଲାପି ଚିତ୍ର ଦେଇଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ କେବଳ ନାମକୁ ମାତ୍ର। ଯଦି ଦୁଇଟି ‘ଟି’ ପାଳନ ହୁଅନ୍ତା ତା ହେଲେ ଏ ରାଜ୍ୟ ସୁନା ପାଲଟିଯାନ୍ତା ବୋଲି ସେ କହିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉଜ୍ଜ୍ବଳା ଯୋଜନା କେତେ ସ୍ବଚ୍ଛ ବୋଲି ପ୍ରଶ୍ନ କରିବାରୁ ଶ୍ରୀ ସେଠୀ କହିଥିଲେ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ଉଜ୍ଜ୍ବଳା ଯୋଜନା ହିତାଧିକାରୀ ପ୍ରସ୍ତୁତ କରାଯାଉଛି। ଯଦି ଏ ନେଇ ଗୋଟିଏ ଅନିୟମତତା ଥିବା ପ୍ରମାଣ ସରକାରୀ ଦଳ ମୁଖ୍ୟ ସଚେତକ ଦେଖାଇଦେବେ ତାହେଲେ ସେ ଏ ଗୃହର ସଭ୍ୟ ପଦରୁ ଇସ୍ତଫା ଦେଇଦେବେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, କେବଳ ଭୋଟ ରାଜନୀତି ପାଇଁ କାଳିଆ ଯୋଜନା ଲାଗୁ କରାଯାଇଛି। ବାସ୍ତବରେ ଏହି ଯୋଜନାରେ ପ୍ରକୃତ ଚାଷ କରୁଥିବା ବ୍ୟକ୍ତିର ନାମ ହିତାଧିକାରୀ ତାଲିକାରେ ସାମିଲ କରାଯାଇନି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରି କହିଥିଲେ ଦୁଇବର୍ଷ ହେଲାଣି ଆଉ ଚାଷୀଙ୍କୁ ସବସିଡି ଯୁକ୍ତ ଟ୍ରାକ୍ଟର ଋଣ ମିଳୁନାହିଁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, କୋରାପୁଟ ଜିଲ୍ଲାରେ କୀଟନାଶକ, ସାର ଓ ବିହନ ସବୁଥିରେ ଭେଜାଲ। ନିକଟରେ ଜଣେ ମହିଳା ଋଣ ବୋଝ ଯୋଗୁ କୀଟନାଶ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ବଞ୍ଚିଗଲେ। କୀଟନାଶକ ଭେଜାଲ ଥିବାରୁ ମହିଳା ଜଣଙ୍କ ବଞ୍ଚିଗଲେ ବୋଲି ଚିକିତ୍ସା କରିଥିବା ଡାକ୍ତର କହିଥିବୀ ଶ୍ରୀ ବାହିନୀପତି କହିଥିଲେ।

ଶାସକଦଳର ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ, ବିଜେଡି ସରକାର ସମୟରେ ଚାଷ ଓ ଚାଷୀର ଯଥେଷ୍ଟ ବିକାଶ ହୋଇଛି। କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଇଛି। ତଥାପି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଛି। ଏଥିପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ।

ଆଲୋଚନା ଶେଷରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖି କହିଥିଲେ, ଓଡ଼ିଶା କୃଷି ପ୍ରଧାନ ରାଜ୍ୟ। ଏଠାରେ ୬୨% ଲୋକ କୃଷି ଉପରେ ନିର୍ଭର କରନ୍ତି। ମୋଟ ଘରୋଇ ଉତ୍ପାଦରେ ୧୮.୯% କୃଷିର ଅବଦାନ ରହିଛି। ଜାତୀୟ ସ୍ତରରେ କୃଷିର ଅଭିବୃଦ୍ଧି ୨.୧% ହୋଇଥିବାବେଳେ ଓଡ଼ିଶାରେ ୨.୭% ହୋଇଛି। ମନ୍ତ୍ରୀଙ୍କ ଉତ୍ତର ଜାରି ରଖିଥିବାବେଳେ ବିଜେପି ସଦସ୍ୟମାନେ ଅସନ୍ତୁଷ୍ଟ ହୋଇ କକ୍ଷ୍ୟତ୍ୟାଗ କରିଥିଲେ। ଶ୍ରୀ ପୂଜାରୀ ଆହୁରି କହିଥିଲେ କୃଷି ବିକାଶକୁ ତ୍ବାରାନ୍ବିତ କରିବା ପାଇଁ ଏବଂ କୃଷକର ଆୟ ବୃଦ୍ଧି କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଏକ କ୍ରିୟାଶୀଳ କୃଷି ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ୨୦୦୮ ମସିହାର କୃଷି ନୀତିକୁ ୨୦୧୩ ମସିହାରେ ଅଧିକ କ୍ରିୟାଶୀଳ କରାଯାଇଥିଲା। ମାନବ ସମ୍ବଳର ଅଭିବୃଦ୍ଧି ଘଟାଇବା ଏହି କୃଷି ନୀତିର ମୂଳ ଲକ୍ଷ୍ୟ ହେବ। ମନ୍ତ୍ରୀଙ୍କ ଉତ୍ତର ଶେଷରେ କଂଗ୍ରେସ ସଦସ୍ୟ ବି କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବିଭାଗର ୮ ହଜାର ୮୭୪ କୋଟି ୪୮ ଲକ୍ଷ ୫୪ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା।

କୃଷି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ପ୍ରମୋଦ ମଲ୍ଲିକ, ଅନନ୍ତ ଦାସ, ଦେବେଶ ଆଚାର୍ଯ୍ୟ, କେ. ନାରାୟଣ ରାଓ, ନିତ୍ୟାନନ୍ଦ ସାହୁ, ମୌସୁଦୀ ବାଗ୍, ନବ ଚରଣ ମାଝୀ, କିଶୋର ଚନ୍ଦ୍ର ନାୟକ ଓ ମକରନ୍ଦ ମୁଦୁଲି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର