ବିଜେଡି କୃଷକ ସମାବେଶକୁ ବିରୋଧୀଙ୍କ ତାଛଲ୍ୟ

ଚାପରୁ ମୁକୁଳିବା ପାଇଁ ଦିଲ୍ଲୀରେ ସୁଆଙ୍ଗ : ଧର୍ମେନ୍ଦ୍ର, ଚାଷୀଙ୍କ ନାଁରେ ଦିଲ୍ଲୀରେ ବିଜେଡି ପିକ୍‌ନିକ୍ କରୁଛି : ନିରଞ୍ଜନ

ଭୁବନେଶ୍ବର : ନୂଆଦିଲ୍ଲୀରେ ବିଜେଡିର କୃଷକ ସମାବେଶକୁ ତାଛଲ୍ୟ କରିଛନ୍ତି ବିରୋଧୀ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୃଥକ ପୃଥକ ପ୍ରତିକ୍ରିୟାରେ ବିଜେଡିର ସମାବେଶକୁ ସମାଲୋଚନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ‌େର ଚାଷ ଓ ଚାଷୀ ପ୍ରସଙ୍ଗରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। ଜନବିଦ୍ରୋହ ଏବେ ଗାଁ ଗାଁ‌େର ଆରମ୍ଭ ହୋଇଗଲାଣି। ଚାପରୁ ମୁକୁଳିବା ପାଇଁ ଦିଲ୍ଲୀରେ ବିଜେଡି ସୁଆଙ୍ଗ କରୁଛି। କିନ୍ତୁ ଚାଷ ହେଲା ରାଜ୍ୟର ବିଷୟ। ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ବରୁ ମୁକୁଳିପାରିବେ ନାହିଁ। ମଣ୍ଡି କାହିଁକି ଖୋଲି ନାହିଁ ଓ କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ କାହିଁକି ପାଉ ନାହାନ୍ତି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ। ଚଳିତ ବର୍ଷ ନିର୍ବାଚନର ବର୍ଷ ହୋଇଥିବାରୁ ବିଜେଡି ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍‌ ମାଲିକଙ୍କ ସହ ଶାସକ ଦଳର ମଧୁଚନ୍ଦ୍ରିକା ହୋଇଛି। ସେଥି ପାଇଁ ଚାଷୀ ମଧ୍ୟସ୍ଥମାନଙ୍କୁ ୧୦୦୦ରୁ ୧୨୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛି। ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ବ ନ ‌େନଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ନିଜ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ କହିବାର ବାଟ ଧରିଛନ୍ତି। କିଛି ବର୍ଷ ତ‌େଳ ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିିଲେ ଯେ ଏମ୍‌ଏସ୍‌ପି ଉପରେ ୧୦୦ ଟଙ୍କା ବୋନସ୍ ଦିଆଯିବ। ଆଶ୍ଚର୍ଯ୍ୟଜନକ ଭାବେ ଏହି କଥାକୁ ସମସ୍ତେ ଭୁଲିଯାଇଛନ୍ତି। କିନ୍ତୁ ଏହି ଠକାମିକୁ ଲୋକ ନିଶ୍ଚିତ ଧରିବେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର କୃଷି କ୍ଷେତ୍ର ଧ୍ବଂସ ପାଇଁ ବିଜେଡି ସମ ପରିମାଣରେ ଦାୟୀ। ବିଜେଡିର ଚାଷୀ ସମାବେଶ ବଡ଼ ପ୍ରହସନ। ଓଡ଼ିଶାର ଚାଷୀ ସର୍ବନିମ୍ନ ସୁବିଧାସୁଯୋଗ ଓ ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଯେଉଁମାନେ ଓଡ଼ିଶାରେ ଚାଷ କଲେ, ସେମାନେ ଋଣଯନ୍ତାରେ ବୁଡ଼ିଛନ୍ତି। ସରକାର ସେମାନଙ୍କ ଧାନର ସହାୟକ ମୂଲ୍ୟ ଓ ବୋନସ୍ ‌େଦବା କ୍ଷେତ୍ରରେ ବିଫଳ ହୋଇଛନ୍ତି। ସରକାର କାଳିଆ ଯୋଜନା ନାଁରେ ଲୋକଙ୍କୁ ଭୂଆଁ ବୁଲାଇବାକୁ ବସିଛନ୍ତି। ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏମ୍‌ଏସ୍‌ପି ନାଁରେ ଆନ୍ଦୋଳନର ନାଟକ ଚଳାଇଛନ୍ତି। ଗତ ୧୮ ବର୍ଷ ଧରି ଚାଷୀଙ୍କ ପାଇଁ କିଛି କରି ନ ଥିବା ବିଜେଡି ସରକାର ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଯୋଜନା ନାଁରେ ରାଜ୍ୟକୁ ଦେବାଳିଆ କରିବାକୁ ବସିଛନ୍ତି। ଋଣ ଛାଡ଼ ଓ ଚାଷୀଙ୍କୁ ବୋନସ୍ ନେଇ ସରକାର କିଛି ଘୋଷଣା କରୁ ନାହାନ୍ତି। ଦିଲ୍ଲୀ ଯାଇ ସହାୟକ ମୂଲ୍ୟ ବୃଦ୍ଧି ଦାବି ସହ ଆର୍ଥିକ ସ୍ବାୟତ୍ତତା ପରି ଅବାସ୍ତବ ଦାବି କରୁଛନ୍ତି। ରାଷ୍ଟ୍ରପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିକୁ ବିଜେଡି ସର୍ତ୍ତମୂଳକ ସମର୍ଥନ ଦେଇଥିଲେ, ଓଡ଼ିଶା ଉପକୃତ ହୋଇଥା’ନ୍ତା। କିନ୍ତୁ ତାହା ନ କରି ଚତୁରେ ଚତୁରେ ଉପରେ କହି ଭିତରେ କୋଳାକୋଳି ହେଉଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କଟାକ୍ଷ କରିଛନ୍ତି, ଆଜି ନବୀନ ପଟ୍ଟନାୟକ ଆଣ୍ଡ କୋ ୫୨ ଲକ୍ଷ ଟଙ୍କା ଖର୍ଚ କରି ଦିଲ୍ଲୀରେ ପିକ୍‌ନିକ କରୁଛନ୍ତି। ସେମାନେ ଚାଷୀଙ୍କ ନାମରେ ଏଭଳି ନାଟକବାଜି କରୁଛନ୍ତି। ଏତକ ଟଙ୍କା ଯଦି ଋଣୀ ଚାଷୀଙ୍କୁ ଦେଇଥାନ୍ତେ, ଅନେକ ଅନ୍ନଦାତାଙ୍କ ଜୀବନ ରକ୍ଷା ହୋଇପାରିଥା’ନ୍ତା।

ସମ୍ବନ୍ଧିତ ଖବର