ଜାଗା ମିସନ୍‌ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜାଗା ମିସନ୍‌‌େର ଜମି ପଟ୍ଟା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ମିସନ୍ ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ନିକଟତର ହେବାକୁ ଶାସକ ଦଳ ଲକ୍ଷ୍ୟ ରଖିଛି। ବ୍ରହ୍ମପୁର ପରେ ଆଜି ପୁରୀରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି। ସରକାରଙ୍କ ତଥ୍ୟକୁ ଭୁଲ୍ ଦର୍ଶାଇବା ସହ ଜମି ପଟ୍ଟା ନାଁରେ ପ୍ରହସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି।

ଜାଗା ମିସନ୍‌ ସମ୍ପର୍କିତ ତଥ୍ୟ ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୧୮ ମେ’ ୭ରେ ଛତ୍ରପୁର ଠାରେ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇବାର କାର୍ଯ୍ୟକ୍ରମ ଆୟୋଜନ କରି ୨୦୦୦ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇବାର ଘୋଷଣା କରିଥିଲେ। ଏହି ଅବସରରେ ପ୍ରକାଶିତ ବିଜ୍ଞାପନରେ ୧ ବର୍ଷ ମଧ୍ୟରେ ସହରାଞ୍ଚଳର ୨୫୦୦ ବସ୍ତିରେ ରହୁଥିବା ୧୦ ଲକ୍ଷ ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଯେଉଁ ୨୦୦୦ ପରିବାରକୁ ଜମିପଟ୍ଟା ଦେଇଥିଲେ, ସେମାନେ ସେମାନଙ୍କ ଜମିର ଦଖଲ ପାଇବା ଉପରେ ଏବେ ବି ସନ୍ଦେହ ରହିଛି। ସରକାର ସେହି ଲୋକମାନଙ୍କ ନାମ ୱେବ୍‌ସାଇଟ୍ ମାଧ୍ୟମରେ ସାର୍ବଜନୀନ କଲେ ସତ୍ୟ ପଦାକୁ ଆସିବ। ମେ’ ମାସରେ କୁହାଯାଇଥିଲା ଯେ ୧୦ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ଦିଆ‌ଯିବ। ଆଜି ସୁଦ୍ଧା‌ ଏଥିରେ କେତେ ପଟ୍ଟ‌ା ଦିଆସରିଛି ? ସେହିପରି ୧୦ ଲକ୍ଷରୁ ୧୮ ଲକ୍ଷ ପର୍ଯ୍ୟନ୍ତ ସୀମା କିପରି ଓ କେବେ ବଢ଼ିଲା ? ଏହି ୮ ଲକ୍ଷ ଲୋକଙ୍କୁ କେବେ ସୁଦ୍ଧା ପଟ୍ଟା ମିଳିବ ? ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବାକୁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଘରଡିହ ନ ଥିବା ଭୂମିହୀନମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସରକାର ୨୦୦୬ ମସିହାରେ ‘ବସୁନ୍ଧରା’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଘୋଷଣା କରିଥିଲେ ଯେ ତିନି ବର୍ଷ ଭିତରେ ଓଡ଼ିଶାରେ କେହି ଭୂମିହୀନ ରହିବେ ନାହିଁ। କିନ୍ତୁ ତାହା ପ୍ରତାରଣାରେ ପରିଣତ ହୋଇଥିଲା। ଆଜି ଦିନରେ ଓଡ଼ିଶାରେ ୪.୫୦ ଲକ୍ଷ ପରିବାର ଭୂମିହୀନ। ଭୂମିହୀନଙ୍କୁ ୪ ଡିସିମିଲ୍ ଘରଡିହ ଖଣ୍ଡେ ଯୋଗାଇବାକୁ ଅକ୍ଷମ ସରକାର ଶିଳ୍ପପତି ଓ ବ୍ୟବସାୟୀଙ୍କ ପାଇଁ ୧,୨୩,୭୫୬ ଏକର ଜମି ଯୋଗାଇ ଦେବାର ଯୋଜନା କରିବା ଅକ୍ଷମଣୀୟ ଅପରାଧ। ଭୂମିହୀନମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସଙ୍କ ସମେତ ମନୋଜ ମହାପାତ୍ର, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର