ଓପିଏସ୍‌ସିର ବିଚିତ୍ର ନିଷ୍ପତ୍ତି : ବିଜ୍ଞପ୍ତି ବାହାରିବା ପରଦିନ ପ୍ରମାଣପତ୍ର ଯାଞ୍ଚ

୬ଦିନ ପରେ ହେବ ସାକ୍ଷାତକାର, ଫଳାଫଳ ଶୀଘ୍ର ଓ ତ୍ରୁଟିମୁକ୍ତ କରିବାକୁ ଚେଷ୍ଟା କରାଯାଇଛି: ଅଧ୍ୟକ୍ଷ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ର ବିଚିତ୍ର ନିଷ୍ପତ୍ତିକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନିଯୁକ୍ତି ଆଶାୟୀ। େଓ୍ଵବସାଇଟ୍‌ରେ ଯେଉଁଦିନ ବିଜ୍ଞପ୍ତି ପ୍ରକାଶ ପାଉଛି ତହିଁ ପରଦିନ ପ୍ରମାଣପତ୍ର ଯାଞ୍ଚ ପାଇଁ ସମୟ ଧାର୍ଯ୍ୟ କରାଯାଉଛି। ସୁଦୂର କଳାହାଣ୍ଡି, କୋରାପୁଟ, ମୟୁରଭଞ୍ଜ ଭଳି ଜିଲ୍ଲାରୁ ଆସୁଥିବା ପ୍ରାର୍ଥୀମାନେ ଏତେଶୀଘ୍ର କେମିିତି ଆସିବେ ସେଥିପ୍ରତି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ। କେବଳ ଏତିକିନୁହେଁ, ପୂର୍ବରୁ ଯେଉଁଦିନ ପ୍ରମାଣପତ୍ର ଯାଞ୍ଚ ହେଉଥିଲା ସେହିଦିନ ସାକ୍ଷାତକାର ବି ହେଉଥିଲା। ଫଳରେ ଦୂରରୁ ଆସିଥିବା ପ୍ରାର୍ଥୀମାନେ ଗୋଟିଏ ଦିନରେ କାମ ସାରି ଫେରିପାରୁଥିଲେ। ହେଲେ ସାକ୍ଷାତକାର ପାଇଁ ପ୍ରାୟ ୬ ଦିନ ସମୟ ରହୁଛି। ଫଳରେ ପ୍ରାର୍ଥୀମାନେ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ କଲେଜର ଓଇଏସ୍‌ ଗ୍ରୁପ୍‌-ଏ’ ପାହ୍ୟାର ବିଭିନ୍ନ ବିଷୟର ଅଧ୍ୟାପକ ପଦବି ପାଇଁ ୨୦୧୭ ମେ’ ମାସରେ ଓପିଏସ୍‌ପି ପକ୍ଷରୁ େଓ୍ଵବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍‌ ୧୬ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ଫିଜିକ୍ସ, କେମେଷ୍ଟ୍ରି, ଜୁଲୋଜି ଓ ଏଜୁକେସନର ୭ଟି ଲେଖାଏଁ ଏବଂ ସୋସିଓଲୋଜିର ୬ ଓ କମର୍ସର ୮ଟି ପଦପି ପାଇଁ ଏହି ବିଜ୍ଞପ୍ତି ବାହାର କରାଯାଇଥିଲା। କ୍ୟାରିଅର୍‌ ପ୍ରଦର୍ଶନକୁ ଭିତ୍ତିକରି ସାକ୍ଷାତକାର ପାଇଁ ଡକାଯିବାକୁ ଏଥିରେ ଦର୍ଶାଯାଇଥିଲା। ମ୍ୟାଟ୍ରିକ ପାଇଁ ୨୦ ପ୍ରତିଶତ, ଯୁକ୍ତ ଦୁଇ ପାଇଁ ୨୦ ପ୍ରତିଶତ, ସ୍ନାତକ ପାଇଁ ୨୦ ପ୍ରତିଶତ ଓ ସ୍ନାତକୋତ୍ତର ପାଇଁ ୪୦ ପ୍ରତିଶତ ମାର୍କ ରଖାଯାଇଥିଲା। ସେହି ଅନୁଯାୟୀ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଯାଞ୍ଚ ପାଇଁ ଗତ ୪ ତାରିଖଠୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ୧୬ରୁ ୧୮ ତାରିଖ ମଧ୍ୟରେ ସାକ୍ଷାତକାର ପାଇଁ ଡକାଯାଇଛି।

୪ ତାରିଖରେ ଫିଜିକ୍ସର ବିଜ୍ଞପ୍ତି ପ୍ରକାଶ ପାଇଥିଲାବେଳେ ୧୦ ତାରିଖରେ ପ୍ରାର୍ଥୀମାନଙ୍କୁ ଯାଞ୍ଚ ପାଇଁ ଡକାଯାଇଥିଲା। ୧୬ ତାରିଖରେ ସେମାନଙ୍କର ସାକ୍ଷାତକାର ତାରିଖ ଧାର୍ଯ୍ୟ ହୋଇଥିଲା। ସେହିପରି ୭ ତାରିଖରେ କେମେଷ୍ଟ୍ରି ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ଯାଞ୍ଚ ପାଇଁ ୧୦ ତାରିଖରେ ଡକାଯାଇଥିଲା ଓ ସାକ୍ଷାତକାର ପାଇଁ ୧୬ ତାରିଖରେ ଆସିବାକୁ କୁହାଯାଇଛି। ୯ ତାରିଖରେ ଏଜୁକେସନ୍‌ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ଯାଞ୍ଚ ପାଇଁ ୧୧ ତାରିଖରେ ଓ ସାକ୍ଷାତକାର ପାଇଁ ୧୭ ତାରିଖରେ ଆସିବାକୁ କୁହାଯାଇଛି। ଜୁଲୋଜି ପ୍ରାର୍ଥୀଙ୍କୁ ଯାଞ୍ଚ ପାଇଁ ୧୧ ତାରିଖରେ ଓ ସାକ୍ଷାତକାର ପାଇଁ ୧୭ ତାରିଖରେ ଆସିବାକୁ ୧୦ ତାରିଖରେ କୁହାଯାଇଥିଲା। ସୋସିଓଲୋଜି ପ୍ରାର୍ଥୀଙ୍କୁ ୧୨ ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ସାକ୍ଷାତକାର ପାଇଁ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। କମର୍ସ ପ୍ରାର୍ଥୀଙ୍କୁ ଯାଞ୍ଚ ପାଇଁ ୧୨ ତାରିଖ ଓ ସାକ୍ଷାତକାର ପାଇଁ ୧୮ ତାରିଖରେ ଆସିବାକୁ ୧୦ ତାରିଖରେ ବିଜ୍ଞପ୍ତି ଦିଆଯାଇଥିଲା।

ଏସଂକ୍ରାନ୍ତରେ ଓପିଏସ୍‌ସି ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପଟ୍ଟନାୟକ କହିଛନ୍ତି ଯେ, ପ୍ରାର୍ଥୀଙ୍କଠୁ ଆଉ ହାର୍ଡ କପି ନିଆଯାଉନାହିଁ। ଅନ୍‌ଲାଇନ୍‌ରେ ଯାହା ତଥ୍ୟ ଦେଉଛନ୍ତି, ତାହାକୁ ଆଧାର କରି ଚୟନ କରାଯାଉଛି। ହେଲେ ପ୍ରମାଣପତ୍ର ଯାଞ୍ଚ ବେଳକୁ ସଂଖ୍ୟାଗୁଡ଼ିକୁ ବେଳେବେଳେ ତରବରିଆଭାବେ ଭୁଲ୍‌ ଟାଇପ୍‌ କରିଦେଇଥିବା ଜଣାପଡୁଛି। ସେଭଳି କ୍ଷେତ୍ରରେ ପ୍ରମାଣପତ୍ର ଯାଞ୍ଚ ବେଳେ ସେମାନେ ଯେଉଁ କପି ଦେଉଛନ୍ତି, ତାହାର ବୈଧତା ଯାଞ୍ଚ କରିବା ପାଇଁ କିଛି ଦିନ ସମୟର ଆବଶ୍ୟକତା ରହିଥାଏ। ତେବେ ସାକ୍ଷାତକାର ପାଇଁ ୬ଦିନ ସମୟ ନିଆଯାଉଥିବା ଯୋଗୁଁ ପ୍ରାର୍ଥୀମାନେ ପୂର୍ବାପେକ୍ଷା କିଛିଟା ସମସ୍ୟାରେ ପଡୁଥିବା କଥା ସତ, କିନ୍ତୁ ଏଭଳି ବ୍ୟବସ୍ଥା ଦ୍ୱାରା ଫଳାଫଳ ଶୀଘ୍ର ବାହାରିପାରିବ ଏବଂ ତ୍ରୁଟିମୁକ୍ତ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର