ଯୋଗ୍ୟତା ନଥାଇ ନିଯୁକ୍ତି : ଓପିଏସ୍‌ସିକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା ବିଭାଗ

0 162

କଟକ : ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟତା ନଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ଏଭଳି ଘଟଣା ଧରା ପଡ଼ିବା ପରେ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ଓପିଏସ୍‌ସିକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟପଟେ ଏଭଳି ସାଂଘାତିକ ତ୍ରୁଟିକୁ ଓପିଏସସି ସ୍ୱୀକାର କରିବା ସହିତ ସଂପୃକ୍ତ ପ୍ରାର୍ଥୀଙ୍କ ନିଯୁକ୍ତି ମନୋନୟନ ବାତିଲ କରିବାକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ନେଇଛି। କିନ୍ତୁ ଏଭଳି ପ୍ରକ୍ରିୟାରେ ଗୋଟିଏ ପଟେ ଯୋଗ୍ୟ ପ୍ରାର୍ଥୀ ପ୍ରାଥମିକ ମନୋନୟନରୁ ବାଦ୍‌ ପଡିଥିବା ବେଳେ ଅନ୍ୟପଟେ ନିଯୁକ୍ତି ପାଇଁ ଚୟନ ହୋଇ ଏବେ ସୁଯୋଗ ହରାଇବାକୁ ଯାଉଥିବା ପ୍ରାର୍ଥୀ ବି ମାନସିକ ଭାବେ ଆଘାତ ପାଉଛନ୍ତି।

ସୂଚନା ଅନୁଯାୟୀ ନିକଟରେ ଓପିଏସ୍‌ସି ପକ୍ଷରୁ ସର୍ଜରି ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ସର୍ଭିସ୍‌ର ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ (ପ୍ରୋଜେକ୍ଟ) ପାଇଁ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ନିର୍ଦ୍ଧାରିତ ବୟସ, ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିଲା। ଚୟନ ପାଇଁ ପ୍ରାର୍ଥୀଙ୍କ ଆବେଦନ ପରେ ସେମାନଙ୍କ ଆବେଦନପତ୍ର ଯାଞ୍ଚ କରି ପରୀକ୍ଷା କରାଯାଇଥିଲା। ସେହି ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଓପିଏସ୍‌ସି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ତାଲିକା ପହଞ୍ଚିବା ପରେ ନିଯୁକ୍ତିପତ୍ର ଦେବା ପୂର୍ବରୁ ସେମାନଙ୍କ ଯୋଗ୍ୟତା ଯାଞ୍ଚ ବେଳେ ଏଭଳି ତ୍ରୁଟି ଧରା ପଡିଥିଲା। ଆସିଷ୍ଟାଣ୍ଟ ପ୍ରଫେସର (ସର୍ଜରି)ରେ ନିଯୁକ୍ତି ପାଇଁ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣଙ୍କର ନିର୍ଦ୍ଧାରିତ ଯୋଗ୍ୟତା ନଥିବା ଜଣା ପଡିଥିଲା। ସେହିଭଳି ଆସିଷ୍ଟାଣ୍ଟ୍‌ ମ୍ୟାନେଜର (ପ୍ରୋଜେକ୍ଟ) ନିଯୁକ୍ତି ପାଇଁ ମନୋନୀତ ଜଣେ ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇ ନ ଥିବା ଜଣା ପଡିଥିଲା। ଓପିଏସ୍‌ସି କିଭଳି ସେମାନଙ୍କୁ ଯୋଗ୍ୟ ବିବେଚିତ କରି ନିଯୁକ୍ତି ପାଇଁ ନାମ ସୁପାରିଶ କଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ଏହା ଏକ ତ୍ରୁଟି ନା ଜାଣିଶୁଣି ଏଭଳି କେଳେଙ୍କାରୀ କରାଯାଉଛି, ତାହାକୁ ନେଇ ନିଯୁକ୍ତି ଆଶାୟୀଙ୍କ ମନରେ ପ୍ରଶ୍ନ ଉଠୁଛି।

Panda Mobile only

ଅଗଷ୍ଟ ୨୩ ତାରିଖରେ ରାଜ୍ୟ ସରକାରଙ୍କ ଏମଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଓପିଏସ୍‌ସି ସ୍ୱତନ୍ତ୍ର ସଚିବଙ୍କୁ ଚିଠି (ନଂ ଏଫ୍‌ଇ-୫୧/୨୦୧୮ (ପିଟି) ୫୪୧୩) ଲେଖି ଏ ସଂକ୍ରାନ୍ତରେ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଓପିଏସ୍‌ସିକୁ ଅନୁରୂପ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଆବେଦନପତ୍ର ଯାଞ୍ଚ ସହ ନିଯୁକ୍ତି ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ କର୍ମଚାରୀ, ଅଧିକାରୀ ନିୟୋଜନ ହେଉଥିବା ବେଳେ ଏଭଳି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ଅନ୍ୟପଟେ ଓପିଏସ୍‌ସି ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ କହିଛନ୍ତି ଯେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ (ପ୍ରୋଜେକ୍ଟ) ମନୋନୟନରେ ହୋଇଥିବା ତ୍ରୁଟି ତାଙ୍କ ଦୃଷ୍ଟିରେ ରହିଛି। ଆସିଷ୍ଟାଣ୍ଟ ପ୍ରଫେସର (ସର୍ଜରି)ରେ ଯଦି କୌଣସି ତ୍ରୁଟି ରହିଥାଏ ତେବେ ସେ ତାହାର ଯାଞ୍ଚ କରିବେ। କିନ୍ତୁ ଓପିଏସସି ଏବେ ସବୁ କାର୍ଯ୍ୟକୁ ଡିଜିଟାଲାଇଜଡ୍‌ କରି ସ୍ୱଚ୍ଛତା ରକ୍ଷା ପାଇଁ ପଦକ୍ଷେପ ନେଇଛି। ଅନେକ ସମୟରେ ସବୁ ପ୍ରମାଣପତ୍ର ଯାଞ୍ଚ କରିବାର ସୁଯୋଗ ନଥାଏ। ତେଣୁ ନିଯୁକ୍ତି ମନୋନୟନ ପ୍ରୋଭିଜିନାଲ୍‌ ହୋଇଥାଏ। ପରବର୍ତ୍ତୀ ସମୟରେ ସରକାର ନିଯୁକ୍ତି ଦେବା ପୂର୍ବରୁ ସବୁ ପ୍ରମାଣପତ୍ର ଯାଞ୍ଚ କରିଥା’ନ୍ତି। ପ୍ରାଥମିକ ଭାବେ ବି ସବୁ ନିଯୁକ୍ତି ପ୍ରୋଭିଜିନାଲ୍‌ ହୋଇଥାଏ। ତେଣୁ ଏ ତ୍ରୁଟି ସୁଧାରିବାକୁ ପଦକ୍ଷେପ ନିଆଯାଇଛି। ଏହି ପରୀକ୍ଷାରେ ପରବର୍ତ୍ତୀ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.