ଜବାବ ଦାଖଲ ପାଇଁ ସରକାରଙ୍କୁ ନୋଟିସ୍‌

ଜୈବିକ ସାର କ୍ରୟ ଲାଗି ପ୍ରକାଶିତ ସାନି ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଟକ : ଜୈବିକ ସାର କ୍ରୟ କରିବା ନେଇ ରାଜ୍ୟ ସରକାର ବାହାର ରାଜ୍ୟର ଏଜେନ୍ସିକୁ ଅନୁଗ୍ରହ ଦେଖାଉଥିବା ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏକ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜାନାରେ ଜୈବିକ ଉତ୍ପାଦକ କ୍ରୟ ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୭, ଏପ୍ରିଲ ୧୨ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଜୈବିକ ସାର ଯୋଗାଣ ପାଇଁ ଆଗ୍ରହୀ ରାଜ୍ୟ ଭିତରର ଏଜେନ୍ସି ପାଇଁ ୧୨ଟି ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ ରାଜ୍ୟ ସରକାର ପୂର୍ବ ବିଜ୍ଞପ୍ତିକୁ ପରିବର୍ତନ କରି ୨୦୧୭, ଜୁନ ମାସରେ ଆଉ ଏକ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସାନି ବିଜ୍ଞପ୍ତିରେ ରାଜ୍ୟ ଭିତର ଏଜେନ୍ସିଙ୍କ ପାଇଁ ସେହି ୧୨ଟି ମାନଦଣ୍ଡ ରଖାଯାଇଥିବା ବେଳେ ବାହାର ରାଜ୍ୟର ଏଜେନ୍ସି ପାଇଁ ନିୟମ କୋହଳ କରାଯାଇଥିଲା।

ବିଜ୍ଞପ୍ତିରେ ବାହାର ରାଜ୍ୟରେ ଏଜେନ୍ସି ପାଇଁ ମାତ୍ର ଗୋଟିଏ ମାନଦଣ୍ଡ ରଖାଯାଇଥିଲା। ବାହାର ରାଜ୍ୟର ଜୈବିକ ସାର ପ୍ରସ୍ତୁତକାରୀ ସଂସ୍ଥାର ମାତ୍ର ୧ବର୍ଷର ଲାଇସେନ୍ସ ଥିବା ଆବଶ୍ୟକ ବୋଲି ସାନି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ରାଜ୍ୟ ଭିତରର ଏଜେନ୍ସିଗୁଡିକ ପାଇଁ ଗୋଟିଏ ନିୟମ ଓ ରାଜ୍ୟ ବାହାରର ଏଜେନ୍ସି ପାଇଁ ଆଉ ଗୋଟିଏ ନିୟମକୁ ବିରୋଧ କରାଯାଇଥିଲା। ଏପରି ନିୟମ କରି ରାଜ୍ୟ ଭିତରର ଏଜେନ୍ସିଗୁଡିକୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଥିଲାା ଶକ୍ତି ପ୍ରସାଦ ହୋତା ଓ ଅନ୍ୟ ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

ଆବେଦନରେ ଦର୍ଶାଯାଇଥିଲା ଯେ ଓଡିଶାରେ ବେକାର ଯୁବକମାନେ ମଧ୍ୟମ, କ୍ଷୁଦ୍ର ଶିଳ୍ପ ପାଇଁ ଲାଇସେନ୍ସ ହାସଲ କରି ଏଭଳି ଜୈବିକ ସାର ଉତ୍ପାଦନ କରୁଥିବା ବେଳେ ସରକାର ରାଜ୍ୟ ଭିତରର ସଂସ୍ଥାକୁ ଉତ୍ସାହିତ କରିବା ଉଚିତ। କିନ୍ତୁ ଏ କ୍ଷେତ୍ରରେ ରଜ୍ୟ ଭିତରର ସଂସ୍ଥା ପାଇଁ ୧୨ଟି ନିୟମ ଓ ବାହାର ରାଜ୍ୟ ସଂସ୍ଥା ପାଇଁ ଗୋଟିଏ ନିୟମ କରାଯିବା ଗ୍ରହଣଯୋଗ୍ୟ ନୁହେଁ। କଡା ନିୟମ ଯୋଗୁ ରାଜ୍ୟ ଭିତରର ଏଜେନ୍ସି ଯୋଗାଣ ପ୍ରକ୍ରିୟାରେ ସାମିଲ ହେବା କଷ୍ଟକର। ତେଣୁ ସମସ୍ତଙ୍କ ପାଇଁ ସମାନ ନିୟମ କରା ନଗଲେ ରାଜ୍ୟ ଭିତରର ସଂସ୍ଥା ପାଇଁ ନିୟମ କୋହଳ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ, ହର୍ଟିକଲ୍‌ଚର ନିର୍ଦ୍ଦେଶକ ଓ କେନ୍ଦ୍ର ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଯଶୋବନ୍ତ ଦାଶ ଓ ଭାରତୀ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର