ଓଆର୍‌ଏଚ୍‌ଡିସି ଦୁର୍ନୀତି: ହାଇକୋର୍ଟରେ ବିନୋଦ କୁମାରଙ୍କ ଆବେଦନ ଖାରଜ

କଟକ: ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାରଙ୍କ ସହିତ ଅନ୍ୟ ୩ ଜଣଙ୍କ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଅଗଷ୍ଟ ୩ରେ ଜଷ୍ଟିସ୍‌ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନୋଦ କୁମାରଙ୍କ ସମେତ ସମସ୍ତ ଚାରି ଜଣଙ୍କ ପକ୍ଷରୁ ଦାୟର ଏନବିଡବ୍ଲ୍ୟୁ ରିକଲ ପିଟିସନର ଶୁଣାଣି କରି ଆବେଦନକାରୀଙ୍କ ବିରୋଧରେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଜାରି କରିଥିଲେ। ଆଜି ଏ ସଂପର୍କିତ ସମସ୍ତ ଆବେଦନର ଚୂଡାନ୍ତ ଶୁଣାଣି ହୋଇଥିଲା। ଏନ୍‌ବିଡବ୍ଲୁ ରିକଲ୍‌ ପ୍ରସଂଗରେ କୌଣସି ନିର୍ଦ୍ଦେଶ ଜାରି କରିବାକୁ ଖଣ୍ଡପୀଠ ମନା କରିଛନ୍ତି। ଏଥି ସହିତ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ମାମଲାରେ ଆବେଦନକାରୀ ପୂର୍ବରୁ ଜାମିନରେ ଥିବା ବେଳେ ଏହି ନିର୍ଦ୍ଦେଶ ବଳବତ୍ତର ପ୍ରସଂଗରେ ହସ୍ତକ୍ଷେପ ପାଇଁ କରାଯାଇଥିବା ପ୍ରାର୍ଥନାକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। ଏହି ପ୍ରସଂଗରେ ନିମ୍ନ ଅଦାଲତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଦର୍ଶାଇ ଖଣ୍ଡପୀଠ ଏ ସଂପର୍କିତ ଆବେଦନ ଖାରଜ କରିଛନ୍ତି।

ସମ୍ବନ୍ଧିତ ଖବର