ଭୁବନେଶ୍ୱର/କଟକ : ବହୁଚର୍ଚିତ ଓଆର୍ଏଚ୍ଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଏସ୍ ଅଫିସର୍ ବିନୋଦ କୁମାରଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଏହି ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଓଆର୍ଏଚ୍ଡିସିର ତତ୍କାଳୀନ ନିର୍ବାହୀ ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ ବି ଜେଲ୍ ଯାଇଛନ୍ତି। ଗତ ମାସ ୩ ତାରିଖରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରତ୍ୟେକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା କରିଥିଲେ। କିନ୍ତୁ ବିନୋଦ କୁମାର ଓ ପୂର୍ଣ୍ଣଚନ୍ଦ୍ର ଦାସ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ସହିତ ତଳ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଆଜି ସକାଳୁ ସକାଳୁ ଦୁହେଁ ଭିଜିଲାନ୍ସ କୋର୍ଟ ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ସିଧା ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ କରି ବିନୋଦ କୁମାର ହାଇକୋର୍ଟରେ ଦାୟର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡିବ।
ପୂର୍ଣ୍ଣଚନ୍ଦ୍ର ଦାସଙ୍କ ମାମଲାର ମଧ୍ୟ ସୋମବାର ଦିନ ଶୁଣାଣି ହେବ। ଆଜି ବିନୋଦ କୁମାର ଓ ଶ୍ରୀ ଦାସଙ୍କ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶର କପି ଆବେଦନକାରୀଙ୍କ ପକ୍ଷରୁ ଓକିଲ ଦାଖଲ କରିଥିଲେ।
ଅନ୍ୟପକ୍ଷରେ ଓଆରଏଚଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆକାଉଣ୍ଟାଣ୍ଟ ପ୍ରଦୀପ କୁମାର ରାଉତ ଓ ଚିତ୍ତରଂଜନ ମଲ୍ଲିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ୍ୟ ବିକାଶ ମଞ୍ଚର ସଂଗଠନ ସଂପାଦକ ଆଶିଷ କୁମାର ନାୟକଙ୍କ ଅପିଲ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ଏହି ତିନି ଜଣଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଏହି ତିନି ଜଣଙ୍କୁ ପ୍ରଦାନ କରାଯାଇଥିବା ଜରିମାନା ଦଣ୍ଡାଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବିନୋଦ କୁମାରଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା, ସୁଦୀପ୍ତ ପଣ୍ଡା ଓ ଅନ୍ୟମାନଙ୍କ ତରଫରୁ ଆଇନଜୀବୀ ଦେବାଶିଷ ଦାସ ଓ ଦେବାଶିଷ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।
କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୧୯୯୯ ମହାବାତ୍ୟା ପରେ ପରେ କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏହି ଯୋଜନାର ହୁଡ୍କୋ ଥିଲା ନୋଡାଲ ଏଜେଣ୍ଟ। ଓଆର୍ଏଚ୍ଡିସି ସହିତ ହୁଡ୍କୋ ରାଜିନାମା କରିଥିଲା। କିନ୍ତୁ ଓଆର୍ଏଚ୍ଡିସି ରାଜିନାମାର ଖିଲାପ କରି ‘ଗ୍ରାମ୍ୟ ବିକାଶ ମଞ୍ଚ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏ ବାବଦରେ ଉକ୍ତ ସଂଗଠନ ବାଲିପାଟଣା ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ୨୧ ଲକ୍ଷ ଟଙ୍କା ଋଣ ନେଇଥିଲା। କିନ୍ତୁ ଉକ୍ତ ସଂସ୍ଥା କୌଣସି ବି ଗୋଟିଏ ସ୍ଥାନରେ ବି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରି ନ ଥିଲା। ଏହି ଟଙ୍କାର ସୁଧ ବଢ଼ି ବଢ଼ି ୫୫ ଲକ୍ଷରେ ପହଞ୍ଚିଥିଲା। ଏହି ସମୟରେ ଓଆର୍ଏଚ୍ଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ବିନୋଦ କୁମାର କାର୍ଯ୍ୟ କରୁଥିଲେ।
ଏନେଇ ଭିଜିଲାନ୍ସ ପକ୍ଷରୁ ୨୦୦୭ ମସିହାରେ ୨୨ଟି ମାମଲା ରୁଜୁ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଇଏଏସ୍ ବିନୋଦ କୁମାରଙ୍କ ସମେତ ଓଆରଏଚ୍ଡିସିର ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ନିର୍ଦେଶକ ସଂଜୟ ମହାନ୍ତି, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ, ଆକାଉଣ୍ଟାଣ୍ଟ୍ ଚିତ୍ତରଂଜନ ମଲ୍ଲିକ ଓ ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଆଶିଷ କୁମାର ନାୟକ ପ୍ରମୁଖଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ୧୮ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଗତ ମାସ ୩ ତାରିଖରେ ଉପରୋକ୍ତ ରାୟ ଦେଇଥିଲେ। ପ୍ରକାଶଥାଉକି ଆଇଏଏସ ବିନୋଦ କୁମାର ଏବେ ଉଚ୍ଚଶିକ୍ଷା ବିଭାଗର ଓଏସ୍ଡି ଭାବେ କାର୍ଯ୍ୟରତ।