ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ଦଣ୍ଡାଦେଶ ପରିବର୍ତ୍ତନ, ‌୧୪ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୫ରୁ ଜେଲରେ ଥବା ବ୍ୟକ୍ତିଙ୍କ ମୁକୁଳିବା ବାଟ ଫିଟିଛି। ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ୨୦୦୬, ଏପ୍ରିଲ ୨୧ରେ ଆସାମୀକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଏହି ହତ୍ୟା ମାମଲାରେ ହାଇକୋର୍ଟ ଆଇପିସିର ଦଫା ୩୦୪(ପାର୍ଟ-୧)ରେ ଆସାମୀ ଉଜଳ ଷଣ୍ଢକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୧୦ ବର୍ଷ ଜେଲରେ ରହି ସାରିଥିବା ଉଜଳଙ୍କୁ ଜେଲରୁ ମୁକ୍ତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବୌଦ୍ଧ ଅତିରିକ୍ତ ଦୌରା ଜଜ୍ ୨୦୦୬, ଏପ୍ରିଲ ୨୧ରେ ଏହି ହତ୍ୟା ମାମଲାର ରାୟ ପ୍ରକାଶ କରି ଉଜଳଙ୍କୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ଉଜଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଏସ.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଜଳଙ୍କ ଆବେଦନର ଶୁଣାଣି କରି ଅତିରିକ୍ତ ଦୌରା ଜଜଙ୍କ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶକୁ ରଦ୍ଦ କରିବା ସହିତ ଆଇପିସିର ଦଫା ୩୦୪(ପାର୍ଟ-୧)ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ପାଇବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫, ଏପ୍ରିଲ ୭ରେ ମନମୁଣ୍ଡା ଥାନା ଅନ୍ତର୍ଗତ ଷଣ୍ଢପାଲ୍ଲୀ ଗ୍ରାମରେ ସକାଳ ୫ଟା ୩୦ରେ ଦାଣ୍ଡନାଚ ଚାଲିଥିବା ବେଳେ କେଶବ ଷଣ୍ଢ ନିଜ ଘର ସମ୍ମୁଖ ରାସ୍ତାରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଟାଙ୍ଗିଆ ଦ୍ବାରା ଉଜଳ କେଶବଙ୍କ ଗୋଡକୁ ଚୋଟ ପକାଇଥିଲା। କେଶବ ତଳେ ପଡି ଯିବା ପରେ ଉଜଳ ତାଙ୍କୁ ଟାଙ୍ଗିଆରେ ପୁଣି ଆକ୍ରମଣ କରିଥିଲା। କେଶବଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ମନମୁଣ୍ଡା ଥାନାରେ ମୃତ କେଶବଙ୍କ ଭାଇ ଏତଲା ଦେବା ପରେ ପୁଲିସ ଉଜଳଙ୍କୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ପୂର୍ବରୁ କେଶବ ରାସ୍ତା ଜବର ଦଖଲ କରି ଘର କରିବା ଯୋଗୁଁ ଉଜଳ ଓ ଅନ୍ୟମାନେ ସେ ବାଟରେ ଶଗଡ ନେଇଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିବାଦ ରହିଥିବା ବେଳେ ଘଟଣା ଦିନ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ହଠାତ ଉଜଳ କେଶବଙ୍କ ଗୋଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଓ ତାଙ୍କର କୌଣସି ପୂର୍ବ ଉଦ୍ଦେଶ୍ୟ ନଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର