ସର୍ବକ୍ଷମା ଯୋଜନା ମାମଲା : ସଚିବ, ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ

କଟକ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନାକୁ ନେଇ ୨୦୧୮, ଜୁନ୍‌ ୨୦ରେ ପ୍ରକାଶିତ ବିଜ୍ଞପ୍ତିର ବୈଧତାକୁ ଚାଲେଞ୍ଜ କରି ରୁଜୁ ମାମଲାରରେ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ନଗର ଉନ୍ନୟନ ବିଭାଗ ସହିିତ ବିଡିଏ, ସିଡିଏ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉଲକେଲା ଉନ୍ନୟନ କର୍ତ୍ତୃପକ୍ଷ, ପିକେଡିଏ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲର ଏକ ସପ୍ତାହ ଭିତରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ଓ ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ଓ ସିଡିଏ ପକ୍ଷରୁ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସିଡିଏ, ବିଡିଏ ଓ ବିଭିନ୍ନ ସହରରେ ଥିବା ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ପ୍ଲାନ୍‌ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା କୋଠାବାଡିକୁ ନିୟମିତ କରିବା ପାଇଁ ସରକାର ସର୍ବକ୍ଷମା ଯୋଜନା ଆଣି ୨୦୧୮, ଜୁନ୍‌ ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ପୂର୍ବରୁ ମାମଲା ବିଚାରାଧୀନ ଥିବା ବେଳେ ଏପରି ବିଜ୍ଞପ୍ତି ପ୍ରକାଶ କରାଯିବା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର