ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ ଲୋକାର୍ପିତ

ସଂଗ୍ରହାଳୟ ଇତିହାସର ଦର୍ପଣ: ଜଷ୍ଟିସ୍‌ ଦୀପକ ମିଶ୍ର

କଟକ : ସଂଗ୍ରହାଳୟ ଇତିହାସର ଦର୍ପଣ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନବିିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି। ଓଡ଼ିଶା ହାଇକୋର୍ଟ ଉଦ୍ୟମରେ ବାରବାଟୀ ଦୁର୍ଗସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପୁରୁଣା ବାସଭବନରେ ନବନିର୍ମିତ ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟକୁ ଉଦ୍‌ଘାଟନ କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ଏହା କହିଛନ୍ତି। ସଂଗ୍ରହାଳୟ ଏକ ସ୍ୱତନ୍ତ୍ର ଅନୁଷ୍ଠାନ। ଏହା ପାଠାଗାରଠାରୁ ଭିନ୍ନ । ନବନିର୍ମିର୍ତ ସଂଗ୍ରହାଳୟ ଆଇନଜୀବୀଙ୍କ ସମେତ ଅନ୍ୟମାନଙ୍କ ପାଇଁ ଜ୍ଞାନ ଆହରଣ କରିବାର ସୁଯୋଗ ତିିଆରି କରିବ ବୋଲି ଜଷ୍ଟିସ ମିଶ୍ର କହିଥିଲେ । ସଂଗ୍ରହାଳୟରେ ୧୮୬୭ ମସିହାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟ ସମେତ ୧୮୬୧ ମସିହାର ଅର୍ଜି ସ୍ଥାନିତ ହୋଇଛି। ଏହା ସହିତ ନେତାଜୀ ସୁଭାଷ ବୋଷଙ୍କ ବାପା ଆଇନଜୀବୀ ଜାନକୀନାଥ ବୋଷଙ୍କ ଫଟୋ ସମେତ ତାଙ୍କର କଳାକୀର୍ତ୍ତି ରହିଛି। ଏହା ସହ ରାଜ୍ୟର ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ, ଭଦ୍ରକ ଆଦି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟମାନ ରହିଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ମିଶ୍ର ପ୍ରକାଶ କରିଥିଲେ। ସଂଗ୍ରହାଳୟ ପ୍ରତି ସମସ୍ତେ ଆଗ୍ରହ ଦେଖାଇବା ଉଚିତ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ପ୍ରକାଶ କରିଥିଲେ।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ସରନ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ନବନିର୍ମିତ ସଂଗ୍ରହାଳୟ ଆଗାମୀ ପିଢିକୁ ଜ୍ଞାନ, ସୂଚନା ଓ ପ୍ରେରଣା ଦେବାରେ ସହାୟତା କରିବ ବୋଲି କହିଥିଲେ । ଉତ୍ସବରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି, ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ବି.କେ.ନାୟକ, ଜଷ୍ଟିସ ଡି.ପି. ଚୌଧୁରୀ, ଜଷ୍ଟିସ ବିଶ୍ୱନାଥ ରଥ, ଡକ୍ଟର ଜଷ୍ଟିସ୍‌ ଏ.କେ. ରଥ, ଜଷ୍ଟିସ କେ.ଆର୍‌. ମହାପାତ୍ର, ଜଷ୍ଟିସ୍‌ ଏସ୍‌.ଏନ୍‌. ପ୍ରସାଦ, ଜଷ୍ଟିସ୍‌ ବିଶ୍ୱଜିତ ମହାନ୍ତି, ଜଷ୍ଟିସ୍‌ ଜେ.ପି. ଦାସଙ୍କ ସମେତ ଅନ୍ୟ ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପତ୍ନୀ ସୁପ୍ରମା ମିଶ୍ର, ଓଡ଼ିଶା ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି ଅଶୋକ ପରିଜା, ବରିଷ୍ଠ ଆଇନଜୀବୀ ବିଜନ ରାୟ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ରଥ, ଅଶୋକ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ସମାରୋହରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆର୍‌. ଆୟାର, ଡିସିପି ଅଖିଳେଶ୍ୱର ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମ୍ୟୁଜିୟମ କମିଟି ଅଧ୍ୟକ୍ଷ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ୧୯୦୪ ମସିହାରେ ତତ୍କାଳୀନ ବି୍ରଟିଶ୍‌ ସରକାର ବାରବାଟୀ ଦୁର୍ଗ ପରିସରସ୍ଥିତ ୪ ଏକର ଜମିରେ ୧୦ ହଜାର ବର୍ଗଫୁଟ ବିଶିଷ୍ଟ ସ୍ଥାନରେ ଏହି ସୌଧ ନିର୍ମାଣ କରିଥିଲେ। ସୌଧରେ ୨ଟି ବଡ ହଲ୍‌ ସମେତ ୬ଟି କୋଠରୀ ରହିଛି । କଟକ ଓଡ଼ିଶାର ରାଜଧାନୀ ଥିବା ବେଳେ ସୌଧଟି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଥିଲା । ପରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବାସଭବନ ହୋଇଥିଲା। ୨୦୧୧ରେ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ମୁଖ୍ୟ ବିଚାରପତିଙ୍କ ନୂଆ ବାସଭବନ ନିର୍ମାଣ ହେବା ପରେ ଏହା ଖାଲି ପଡିଥିଲା। ଏବେ ଏହା ହାଇକୋର୍ଟର ସଂଗ୍ରହାଳୟ ହୋଇଛି।

ସମ୍ବନ୍ଧିତ ଖବର