ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଫ୍ରାଞ୍ଚାଇଜ୍ କମ୍ପାନି କରିପାରିବେନି ବିଦ୍ୟୁତ୍ ବିଲ୍ ଆକଳନ
କେବଳ ଯାଞ୍ଚ କରିବେ, ଆସେସିଂ ଅଫିସର କ୍ଷମତା ପ୍ରଦାନ ବିଜ୍ଞପ୍ତି ରଦ୍ଦ
କଟକ : ଉପଭୋକ୍ତାଙ୍କର ବିଦ୍ୟୁତ ବିଲ୍ କେତେ ହେବ ସେ ସଂପର୍କରେ ବିଦ୍ୟୁତ ବିଭାଗରେ ନିୟୋଜିତ ବିଭିନ୍ନ ଫ୍ରାଞ୍ଚାଇଜ୍ କମ୍ପାନିର ଅଧିକାରୀ ଆକଳନ କରି ପାରିବେ ନାହିଁ। ସେମାନଙ୍କର ଆସେସିଂ ଅଫିସର କ୍ଷମତା ନାହିଁ। ସେମାନଙ୍କର କେବଳ ଯାଞ୍ଚ କରିବାର ଅଧିକାର ଅଛି ବୋଲି ହାଇକୋର୍ଟ ଏକ ରାୟରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ଶକ୍ତି ବିଭାଗ ୨୦୧୩, ଜାନୁଆରି ୧୧ରେ ବିଜ୍ଞପ୍ତି ପ୍ରକାଶ କରି ଫ୍ରାଞ୍ଚାଇଜି କମ୍ପାନିକୁ ଇଲେକ୍ଟ୍ରିସିଟି ଆକ୍ଟ, ୨୦୦୩ର ଧାରା ୧୨୬ରେ ଥିବା କ୍ଷମତା ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟ ଏ ସଂପର୍କିତ ଶକ୍ତି ବିଭାଗର ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଜଷ୍ଟିସ ଏସ୍.ଏନ୍.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ଲୋବାଲ ଫିଡ୍ସ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ ଫ୍ରାଞ୍ଚାଇଜ୍ କମ୍ପାନିର ଅଧିକାରୀ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଲୋଡ ସଂପର୍କିତ ନିରୀକ୍ଷଣ(ଇନ୍ସପେକ୍ସନ) କରି ପାରିବେ କିନ୍ତୁ ଆସେସିଂ ଅଫିସର କ୍ଷମତା ପ୍ରୟୋଗ କରି ଲୋଡ୍ ଯାଞ୍ଚ ଓ ଆକଳନ(ଆସେସମେଣ୍ଟ) ସଂପର୍କିତ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ। ଆବେଦନକାରୀ ସଂସ୍ଥାର ବିଦ୍ୟୁତ ଲୋଡ୍ ସଂପର୍କିତ ନିରୀକ୍ଷଣ ରିପୋର୍ଟ ରହିଥିବା ବେଳେ ଆଇନ ଅନୁସାରେ କ୍ଷମତାପ୍ରାପ୍ତ ଆସେସିଂ ଅଫିସର ଏହି ପ୍ରସଂଗରେ ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବେ। ଆସେସିଂ ଅଫିସରଙ୍କ ନିକଟରେ ଫ୍ରାଞ୍ଚାଇଜ୍ କମ୍ପାନି ନିଜ ନିରୀକ୍ଷଣ ରିପୋର୍ଟ ସପକ୍ଷରେ ଯୁକ୍ତି ରଖି ପାରିବ ଓ ଆବେଦନକାରୀ ମଧ୍ୟ ନିଜ ପକ୍ଷ ରଖିବେ। ଏହା ପରେ ଏହି ପ୍ରସଂଗରେ ଆସେସିଂ ଅଫିସର ୮ ସପ୍ତାହ ଭିତରେ ସାନି ନିର୍ଦ୍ଦେଶନାମା ଜାରି କରିବେ। ଅନ୍ୟପକ୍ଷରେ ୨୦୧୩ରୁ ଏ ପର୍ଯ୍ୟନ୍ତ ପୂର୍ବ ବିଜ୍ଞପ୍ତି ଆଧାରରେ କରାଯାଇଥିବା ଆକଳନ ଓ ଏ ସଂପର୍କିତ ନିର୍ଦ୍ଦେଶନାମା ଉପରେ ଏହି ରାୟ ଲାଗୁ ହେବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଭବାନୀ ଶଙ୍କର ତ୍ରିପାଠୀ, ଅତୁଲ ତ୍ରିପାଠୀ ଓ ଶକ୍ତି ବିଭାଗ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଶକ୍ତି ବିଭାଗ ବିଜ୍ଞପ୍ତି ପ୍ରକାଶ କରି ଆସେସିଂ ଅଫିସର କ୍ଷମତା ଫେଡ୍କୋ ଭଳି ଫ୍ରାଞ୍ଚାଇଜ୍ କମ୍ପାନିକୁ ପ୍ରଦାନ କରିଥିଲେ। ଫଳରେ କମ୍ପାନି ଅଧିକାରୀ ଆସେସିଂ ଅଫିସର କ୍ଷମତା ପ୍ରୟୋଗ କରି ଆବେଦନକାରୀ ସଂସ୍ଥା ଉପରେ ଲକ୍ଷାଧିକ ଟଙ୍କା ଜରିମାନା କରିଥିଲେ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଅଗଷ୍ଟ ୨୧ରେ ମାମଲାର ଚୂଡାନ୍ତ ଶୁଣାଣି କରି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।