ଜେଇଇ ମେନ୍‌ରେ ଭାଗ ନ ନେଉ ଓଡ଼ିଶା

ଇଞ୍ଜିନିୟରିଂ କଲେଜ ସିଟ୍‌ ଖାଲି ନେଇ ପୁଣି ଚିଠି ଲେଖିଲା ଓପେକା

ଭୁବନେଶ୍ୱର : ଗତ ୪ ବର୍ଷ ହେଲା ଜେଇଇ(ମେନ୍‌)ରେ ଓଡ଼ିଶା ଅଂଶଗ୍ରହଣ କରିବା ପରେ ଓଡ଼ିଶାରେ ବି.ଟେକ୍‌ ପାଠ୍ୟକ୍ରମ ସ୍ଥିତି ଖରାପ ହୋଇଯାଇଛି। ୨୦୧୨-୧୩ରେ ୫୦ ପ୍ରତିଶତ ସିଟ୍‌ ଖାଲି ପଡ଼ୁଥିବା ବେଳେ ଏବେ ଏହି ସଂଖ୍ୟା ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଛାତ୍ରଛାତ୍ରୀଙ୍କ ନାମଲେଖା କମିବା ଫଳରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ବି ପ୍ରଭାବିତ ହୋଇଛନ୍ତି। ଏପରିକି ତିଷ୍ଠି ରହିବା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ସହ ୨୦୧୮ରୁ ଓଡ଼ିଶା ଜେଇଇ ମେନ୍‌ରେ ଭାଗ ନ ନେବାକୁ ଦାବି କରିଛି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ଏନେଇ ଗତ ସେପ୍ଟେମ୍ବର ୨୧ରେ ସଂଘ ପକ୍ଷରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏକ ମାସ ବିତି ଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗତ ୨୦ ତାରିଖରେ ପୁଣିଥରେ ଓପେକା ସମ୍ପାଦକ ବିନୋଦ ଦାସ ବିଭାଗୀୟ ସଚିବ ଶ୍ରୀ ସିଂଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସେ କହିଛନ୍ତି ଯେ ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ମାତ୍ର ୬ଟି ରାଜ୍ୟର ପିଲାମାନେ ଜେଇଇ ମେନ୍‌ରେ ଅଂଶଗ୍ରହଣ କରୁଛନ୍ତି। ଅଧିକାଂଶ ରାଜ୍ୟ ନାମଲେଖା ଲାଗି ସ୍ୱତନ୍ତ୍ର ପରୀକ୍ଷା କରୁଛନ୍ତି। ସବୁଠାରୁ ଅଧିକ ଇଞ୍ଜିନିୟରିଂ କଲେଜ ଥିବା ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ରାଜ୍ୟ ଏପର୍ଯ୍ୟନ୍ତ ଜେଇଇ ମେନ୍‌ରେ ଭାଗନେଇ ନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ପିଲାମାନେ ଅଧିକ ସଂଖ୍ୟାରେ ପାସ୍‌ କରି ନାମଲେଖାର ସୁଯୋଗ ପାଉଛନ୍ତି। ଜେଇଇ ମେନ୍‌ ସିବିଏସ୍‌ଇ ପାଟର୍ଣ୍ଣରେ ହେଉଛି। ହେଲେ ଓଡ଼ିଶାର ପିଲାମାନେ ସିଏଚ୍‌ଏସ୍‌ଇ ପାଟର୍ଣ୍ଣରେ ପଢ଼ୁଥିବାରୁ ଭଲ ରେଜଲ୍ଟ କରିପାରୁନାହାନ୍ତି। କେବଳ ସେତିକି ନୁହେଁ, ଜେଇଇ ମେନ୍‌ ଲାଗି ଓଡ଼ିଶାରେ ଅଧିକ କେନ୍ଦ୍ର ହେଉ ନ ଥିବାରୁ ଅଧିକ ପିଲା ଜେଇଇ ମେନ୍‌ରେ ଭାଗନେଇପାରୁ ନାହାନ୍ତି। ଓଡ଼ିଶାରେ ମାତ୍ର ୯ଟି ସହରରେ ଜେଇଇ ମେନ୍‌ କେନ୍ଦ୍ର ହେଉଛି। ଯେତେବେଳେ କି ୩୦ଟି ଜିଲ୍ଲାରେ ୩୦ଟି କେନ୍ଦ୍ରର ଆବଶ୍ୟକତା ରହିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ଓଜେଇଇ କରାଯାଉଥିବା ବେଳେ ୧୭ରୁ ୧୯ ହଜାର ବାହାର ରାଜ୍ୟର ପିଲା ଅଂଶଗ୍ରହଣ କରୁଥିଲେ। କିନ୍ତୁ ଜେଇଇ ମେନ୍‌ ହେବା ଫଳରେ ଏହି ସଂଖ୍ୟା ୫୦ ପ୍ରତିଶତ କମିଯାଇଛି। ଯେଉଁଥିପାଇଁ ଗତ ୪ ବର୍ଷ ହେଲା ସ୍ଥିତି ଖରାପ ହେବାରେ ଲାଗିଛି। ଖାଲି ସିଟ୍‌ ସଂଖ୍ୟା ପ୍ରତିବର୍ଷ ବଢ଼ି ଚାଲିଛି। ଏମ୍‌ସିଏ, ଏମ୍‌ବିଏ, ଫାର୍ମାସି ପରି ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ହେଉଛି। ତେଣୁ ସେଥିରେ ବି.ଟେକ୍‌ ପାଠ୍ୟକ୍ରମକୁ ସାମିଲ କରାଗଲେ ଅଧିକ ଚାପ ପଡ଼ିବ ନାହିଁ। ସରକାର ବୈଷୟିକ ଶିକ୍ଷାର ବିକାଶ ଲାଗି ଏଦିଗରେ ପଦକ୍ଷେପ ନେବାକୁ ଓପେକା ସମ୍ପାଦକ ବିନୋଦ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର