ମହାବାତ୍ୟାକୁ ୧୮ ବର୍ଷ : ବଦଳିନି ଚେହେରା

ପାରାଦୀପ : ଆସନ୍ତାକାଲି ୧୮ ବର୍ଷ ପୂରିବ। ଏବେବି ଲୋକଙ୍କ ମନରୁ ମହାବାତ୍ୟାର ଭୟଙ୍କର ରୂପ ଯାଇନି। ପୂର୍ବ ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟର ଚର୍ଚା ହେବାକ୍ଷଣି ଏବେ ବି ଅଜଣା ଭୟରେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇଉଠୁଛନ୍ତି। ଏହି ପ୍ରଳୟଙ୍କରୀ ଦୃଶ୍ୟକୁ ମନେ ପକାଇବା ଛଡା ସେମାନଙ୍କର ଅଧିକ କିଛି ବିକାଶ ହୋଇନି। ପାରିପାର୍ଶ୍ୱିକ ପରିବର୍ତ୍ତନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ବି ପୂରଣ ହୋଇନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସର୍ବାଧିକ ମୃତ୍ୟୁ ହୋଇଥିବା ଶଙ୍ଖାକୁ ‘ଆଦର୍ଶ ଗାଁ’ କେବଳ ଘୋଷଣାରେ ରହିଯାଇଛି।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ କେବଳ ପାରାଦୀପ, ଏରସମା ଓ ବାଲିକୁଦାରେ ପାଖାପାଖି ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଗୃୃହପାଳିତ ପଶୁ ଭାସି ଯାଇଥିଲେ। ରାଜ୍ୟ ସରକାର ବି ରିପୋର୍ଟରେ ୯,୮୮୫ଜଣଙ୍କର ପ୍ରାଣହାନୀ ଘଟିଥିବା ଦର୍ଶାଇଥିଲେ। ଏଥିସହିତ, ୧୩ ଲକ୍ଷ ହେକ୍ଟରର ଧାନ-ବିରି ଫସଲ, ୧.୭୬ ଲକ୍ଷ ହେକ୍ଟରର ପରିବା ଚାଷ ଏବଂ ୨.୭୫ ଲକ୍ଷ ହେକ୍ଟରର ଅନ୍ୟାନ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏହାସହ ୨୨,୧୪୩ଟି ମାଛଧରା ଜାଲ ନଷ୍ଟ ହୋଇଥିବା ବେଳେ ୯,୦୮୫ଟି ଡଙ୍ଗାର ଟେର୍‍ ମିଳିନଥିଲା। ସେହିପରି ୩ ଲକ୍ଷ ୧୫ ହଜାର ୮୮୬ ଗୃହପାଳିତ ପଶୁ, ୧୮ଲକ୍ଷ ୮୩ ହଜାର ୪୬୮ଟି କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁ ପ୍ରାଣ ହରାଇଥିଲେ। ଏହା ବ୍ୟତୀରକେ ଆହୁରି ଅନେକ ପଶୁ, ପକ୍ଷୀଙ୍କର ପତ୍ତା ମିଳିନଥିଲା। ସେତେବେଳେ ସାରା ଦେଶ ଏହି ମହାବାତ୍ୟାର ରୂପ ଦେଖି ଡରି ଯାଇଥିଲା।

ମହାବାତ୍ୟାରେ ପାରାଦୀପର ଷଣ୍ଢକୁଦ ବସ୍ତି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। କେତୋଟି ପରିବାର ସମୁଦ୍ର ପାଣିରେ ଭାସି ଯାଇଥିଲେ, ସେମାନଙ୍କର କିଛି ଖବର ନାହିଁ। ଏପରିକି ଗୋଟିଏ ଗୋଟିଏ ପରିବାରକୁ ମହାବାତ୍ୟା ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଦେଇଛି। ଷଣ୍ଢକୁଦ ବସ୍ତିରେ ଆଜି ବି ପାନୀୟ ଜଳ, ବିଜୁଳି ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି। ପାନୀୟଜଳ ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ବାତ୍ୟା ପରେ ସମସ୍ତଙ୍କ ନଜରରେ ଏହି ବସ୍ତି ଥିବାରୁ ଏହାର ଉନ୍ନତି ପାଇଁ ସେତେବେଳେ ପ୍ରଶାସନ ବହୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏ ସମସ୍ତ ପ୍ରତିଶ୍ରୁତି ଏବେ ବି ଅଧାରେ ଅଟକି ରହିଛି।

ସେହିଭଳି, ଏରସମା ବ୍ଲକ୍‌ ଅନ୍ତର୍ଗତ ସମୁଦ୍ରକୂଳିଆ ଶଙ୍ଖା ଗାଁରେ ସର୍ବାଧିକ ୧୦୭ ଜଣ ପ୍ରାଣ ହରାଇଥିଲେ। ଅନ୍ୟମାନେ ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଆଜି ବି ସେହି ଦୃଶ୍ୟ ବର୍ଣ୍ଣନା କରିବା ବେଳେ ଗା୍ରମବାସୀ ଭୟରେ ଥରି ଉଠନ୍ତି। ଏହି ଗାଁର ଉନ୍ନତି ପାଇଁ ସେତେବେଳେ ବହୁ ଯୋଜନା କରାଗଲା। ମାତ୍ର ଏହି ଯୋଜନା କେବଳ କାଗଜ କଲମରେ ରହିଯାଇଛି। ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ଏବେ ବି ଆକାଶରେ ବାଦଲ ଖଣ୍ଡିଏ ଦେଖିଲେ ପିଲା ଛୁଆଙ୍କୁ ସାଥୀରେ ଧରି ଲୋକେ ଆମ୍ବିକି ଗାଁରେ ଆଶ୍ରୟ ନିଅନ୍ତି। ଗାଁରେ ଏବେ ନାହିଁ ନଥିବା ସମସ୍ୟା। ଭଲ ରାସ୍ତାଟିଏ ନଥିବାରୁ ଯିବା ଆସିବା କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଛୋଟ ଛୋଟ ପିଲା ସେହି କାଦୁଅ ରାସ୍ତାରେ ପାଖ ଗାଁକୁ ଚାଲି ଚାଲି ପଢ଼ିବାକୁ ଯାଆନ୍ତି। ୧୮ ବର୍ଷ ହେଲାଣି ରାସ୍ତାଟିଏ ନିର୍ମାଣ କରାଯାଉ ନାହିଁ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି।

କୁହାଯାଉଛି ଯେ, ସମୁଦ୍ର କୂଳରେ ଥିବା ଝାଉଁ ଓ ହେନ୍ତାଳ ବଣ ଯୋଗୁଁ ସମୁଦ୍ର ପାଣି ପାରାଦୀପ ସହର ମଧ୍ୟକୁ ପ୍ରବେଶ କରି ପାରିନଥିଲା। ମାତ୍ର ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସମୁଦ୍ର କୂଳରେ ଆଉ ଝାଉଁ ଜଙ୍ଗଲ କି ହେନ୍ତାଳ ବଣ ନାହିଁ। ସହର ଓ ବନ୍ଦର ସମ୍ପ୍ରସାରଣ ପାଇଁ କିଛି ଗଛ କଟା ଯାଉଥିବା ବେଳେ ଆଉ କିଛି ଗଛକୁ ମାଫିଆମାନେ କାଟି ନେଉଛନ୍ତି। ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବୃକ୍ଷରୋପଣ କରାଯିବା ତ ଦୂରରେ ଥାଉ, ଯେତିକି ଗଛ ଅଛି ତାହାର ମଧ୍ୟ ରକ୍ଷଣାବେକ୍ଷଣ କରାଯାଇ ପାରୁନାହିଁ। ଏଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ବର୍ତ୍ତମାନ ବହୁ କଷ୍ଟ ହୋଇପଡ଼ିବ ବୋଲି ପରିବେଶବିତ୍‍ମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର