ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ : ୫ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ୭୮ ରାଜସ୍ୱ ସେବା ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିର୍ଦେଶ ଅନୁଯାୟୀ ୭୮ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍‌) ଗ୍ରୁପ୍‌-ବି ଅଧିକାରୀଙ୍କୁ ବଦଳି କରାଯାଇଛି। ଏହାଛଡ଼ା ଆହୁରି ଅଧିକ ସଂଖ୍ୟକ ରାଜସ୍ୱ ସେବା ଅଧିକାରୀଙ୍କୁ ବଦଳି କରାଯିବ। କିନ୍ତୁ ପୂର୍ବ ନିର୍ଦେଶନାମା ଅନୁଯାୟୀ ୭୮ଜଣ ଓଆରଏସ୍‌ ଅଧିକାରୀ ଏ ପର୍ଯ୍ୟନ୍ତ ବଦଳି ହୋଇଥିବା ପଦବି ଓ ସ୍ଥାନରେ ଯୋଗ ଦେଇନାହାନ୍ତି। ଆସନ୍ତା ୫ ତାରିଖ ସୁଦ୍ଧା ସେମାନେ ନିର୍ଦେଶନାମା ପାଳନ ନ କଲେ ସେମାନଙ୍କ ଦରମା ବନ୍ଦ ହେବା ସହିତ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ କଡ଼ା ନିର୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, କିଛି ରାଜସ୍ୱ ସେବା ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ଅତିରିକ୍ତ ତହସିଲଦାର/ସହକାରୀ ଜିଲ୍ଲାପାଳ ପଦବିରେ ଯୋଗଦେବାକୁ ନିକଟରେ ବଦଳି କରାଯାଇଥିଲା। ସେହିପରି କିଛି ଅଧିକାରୀଙ୍କୁ ଜଳ ସଂପଦ ଓ ଆଇନ ବିଭାଗକୁ ବଦଳି କରାଯାଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ଅଧିକାରୀ ଆଦୌ ନିଜ ବଦଳି ପଦବି ଓ ସ୍ଥାନକୁ ଯାଇନଥିବା ବିଭାଗ ଦୃଷ୍ଟିକୁ ଆସିଛି। ଆସନ୍ତା ୫ ତାରିଖ ଭିତରେ ଏହି ଅଧିକାରୀମାନଙ୍କୁ ରିଲିଭ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ନଚେତ୍‌ ସେମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ରିଲିଭ୍‌ କରାଯାଇଛି ବୋଲି ବିବେଚନା କରାଯିବ। ଏହା ସତ୍ତ୍ୱେ ସେମାନେ ନିଜ ନିଜ ବଦଳି ସ୍ଥାନରେ ଯୋଗ ନଦେଲେ ସେମାନଙ୍କର ଦରମା ବନ୍ଦ ସହିତ ଆଇନଗତ ଭାବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର