ପ୍ରକାଶ ପାଇଲା ଓଷ୍ଟା ଟେଷ୍ଟପେପର୍‌

ଭୁବନେଶ୍ବର : ଅଭିଜ୍ଞ ଶିକ୍ଷକ, ଶିକ୍ଷାବିତ୍‌ମାନଙ୍କ ଦ୍ବାରା ପ୍ରସ୍ତୁତ ଓଷ୍ଟା ଟେଷ୍ଟପେପର୍‌ ଆଜି ପ୍ରକାଶ ପାଇଛି। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପ୍ରକାଶିତ ପରୀକ୍ଷା ଉପଯୋଗୀ ଏହି ଟେଷ୍ଟପେପର୍‌ଗୁଡ଼ିକ ଓଷ୍ଟା ଦ୍ବାରା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ‌ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଚଳିତବର୍ଷର ପରିବର୍ତ୍ତିତ ପରୀକ୍ଷା ପ୍ରଣାଳୀ ନିମନ୍ତେ ଉକ୍ତ ପୁସ୍ତକଗୁଡ଼ିକ ପିଲାମାନଙ୍କୁ ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ଶ୍ରେଣୀ ଉତ୍ତୀର୍ଣ୍ଣ ପରୀକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିପାରିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

୨୦୨୦ ମାଟ୍ରିକ୍‌ ପରୀକ୍ଷାରେ କିଛି ପରିବର୍ତନ ଅଣାଯାଇଛି। ୨୦୧୩ରୁ ପ୍ରଚଳିତ ହୋଇ ଆସୁଥିବା ଓଏମ୍‌ଆର ପରୀକ୍ଷା ପ୍ରଣାଳୀ ପରିବର୍ତନ ହୋଇଛି। ଏହି ସ୍ଥାନରେ ଅତି କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନକୁ ସନ୍ନିବେଶିତ କରାଯାଇଛି। ଛାତ୍ରଛାତ୍ରୀ ପ୍ରଥମ କରି ଚାରି ପ୍ରକାର ସମାନ୍ତରାଳ ପ୍ରଶ୍ନପତ୍ରର ସମ୍ମୁଖୀନ ହେବେ। ଦଶମ ଶ୍ରେଣୀ ନିମନ୍ତେ ଏହି ଢାଞ୍ଚାଗତ ପରିବର୍ତନକୁ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ପ୍ରସ୍ତୁତ କରିବେ। ଏହି ଟେଷ୍ଟପେପର ଛାତ୍ରଛାତ୍ରୀଙ୍କୁ ସ୍ବୟଂସମ୍ପନ୍ନ କରିପାରିବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି। ଶିକ୍ଷାବର୍ଷ ଅଧା ହେବାକୁ ବସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପିଲାଙ୍କ ପାଖରେ ବହି ପହଞ୍ଚି ପାରି ନଥିବାରୁ ଓଷ୍ଟା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ଦଶମ ଶ୍ରେଣୀ ପିଲାଙ୍କୁ ପ୍ରଶ୍ନପତ୍ରର ନମୁନା ଦିଆଯାଇ ନଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଟେଷ୍ଟପେପର୍‌ ପ୍ରକାଶ କରାଯାଇ ପ୍ରଶ୍ନପତ୍ରର ନମୁନା ଅଭ୍ୟାସ ନିମନ୍ତେ ଦିଆଯାଇଛି ବୋଲି ଓଷ୍ଟା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର