ମିଳୁ ନାହାନ୍ତି ଡାକ୍ତର ରବୀନ୍ଦ୍ର ଜେନା

ଗିରଫ ପାଇଁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌

କଟକ : କଟକ ବଡ ମେଡିକାଲ୍‌ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ଗିରଫ କରିବାକୁ ଭିଜିଲାନ୍ସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଡାକ୍ତର ଜେନା ଏବେ ଛୁଟିରେ ରହିଥିବା ବେଳେ ଛୁଟି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜୟନଗରରେ ରହିବେ ବୋଲି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ଭିଜିଲାନ୍ସ ଟିମ୍‌ ଏସ୍‌ସିବି ମେଡିକାଲ୍‌ ଡିନ୍‌ ତଥା ପ୍ରିନ୍ସିପାଲ୍‌ଙ୍କଠାରୁ ଏ ତଥ୍ୟ ପାଇବା ପରେ ମହାକାଳପଡ଼ାରେ ଚଢଉ କରିଥିଲା। କିନ୍ତୁ ସେଠାରେ ଡାକ୍ତର ଜେନା ନଥିବା ବେଳେ ନିକଟ ଅତୀତରେ ବି ସେଠାକୁ ଆସି ନଥିବା ସୂଚନା ମିଳିଥିଲା। ଅନ୍ୟପଟେ ଡାକ୍ତର ଜେନା ଆଉ ୩ ସପ୍ତାହ ଛୁଟିରେ ରହିବେ ବୋଲି ଇତିମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଡାକ୍ତର ଜେନାଙ୍କୁ ଗିରଫ କରିବାକୁ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଉଦ୍ଦେଶ୍ୟମୂଳକ ଭାବେ ଔଷଧ କଂପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା, ଏଥିପାଇଁ ଷଡ଼ଯନ୍ତ୍ର କରିବା ଏବଂ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ଭଳି ଅଭିଯୋଗରେ ଡାକ୍ତର ଜେନାଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ସେହି ସମାନ ଅଭିଯୋଗରେ ଇତିମଧ୍ୟରେ ଭିଜିଲାନ୍ସ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର